ନୂଆଦିଲ୍ଲୀ,୨୧ା୫: ଭାରତର ଅନେକ ରାଜ୍ୟରେ ହଠାତ୍ ପାଣିପାଗରେ ବଡ଼ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଭାରତରେ ପୂର୍ବରୁ ତାଣ୍ଡବ ରଚିଥିବା ଝଡ଼ ତୋଫାନ ଏବେ ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ଆଡକୁ ମୁହାଁଇଛି। ବୁଧବାର ଦିଲ୍ଲୀ-ଏନସିଆରରେ ଧୂଳି ଝଡ଼ ପରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ପାଗର ଭୟଙ୍କର ପରିବର୍ତ୍ତନ ଯୋଗୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି।
ଜଣେ ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ, ପାଗ ପରିବର୍ତ୍ତନ ଯୋଗୁ ଅତି କମରେ ୧୦ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିବାବେଳେ ୫୦ଟି ବିମାନ ଉଡ଼ାଣରେ ବିଳମ୍ବ ହୋଇଛି । ସନ୍ଧ୍ୟା ୭:୪୫ ରୁ ୮:୪୫ ମଧ୍ୟରେ ୫୦ରୁ ଅଧିକ ବିମାନ ବିଳମ୍ବରେ ଯାତ୍ରା କରିଛି। ସେହି ସମୟରେ ଗତିପଥ ପରିବର୍ତ୍ତନ ହୋଇଥିବା ୧୦ଟି ବିମାନ ମଧ୍ୟରୁ ଅଧିକାଂଶକୁ ଜୟପୁର ପଠାଯାଇଛି ଏବଂ ଗୋଟିଏ ବିମାନକୁ ମୁମ୍ବାଇ ପଠାଯାଇଛି।