ଅପରେସନ ସିନ୍ଦୂରର ଲଞ୍ଚକୁ ନେଇ ବଡ଼ ଖୁଲାସା, ସଂସଦୀୟ କମିଟିିକୁ ଏହି କଥା କହିଦେଲେ ଏସ ଜୟଶଙ୍କର
ପାକିସ୍ତାନକୁ ଅପରେସନ ସିନ୍ଦୂରର ଲଞ୍ଚର ୩୦ ମିନିଟ ମଧ୍ୟରେ ଦିଆଯାଇଥିଲା ସୂଚନା, ସଂସଦୀୟ କମିଟିରେ ସୂଚନା ଦେଲେ ଏସ ଜୟଶଙ୍କର
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଦିନ ସଂସଦୀୟ ପରାମର୍ଶଦାତା କମିଟିକୁ କହିଛନ୍ତି ଯେ, ଭାରତ ଅପରେସନ ସିନ୍ଦୂରର ଲଞ୍ଚ କରିବା ୩୦ ମିନିଟି ମଧ୍ୟରେ ପାକିସ୍ତାନକୁ ସୂଚନା ଦେଇଥିଲା।
ଅପରେସନ ସିନ୍ଦୂର ଅନୁଯାୟୀ, ଭାରତର ଏୟାର ଷ୍ଟ୍ରାଇକ କରି ପାକିସ୍ତାନ ଏବଂ ପିଓକେରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ୭ ମେ ରାତିରେ ଅପରେସନ ସିନ୍ଦୂର ଲଞ୍ଚ କରାଯାଇଥିଲା।
ବୈଦେଶିକ ମନ୍ତ୍ରୀଙ୍କ ଅନୁଯାୟୀ, ଅପରେସନ ସିନ୍ଦୂର ଆରମ୍ଭ ହେବାର ଅଧ ଘଣ୍ଟା ମଧ୍ୟରେ ହିଁ ପାକିସ୍ତାନକୁ କୁହାଯାଇଥିଲା ଯେ, କେବଳ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଛି।
ବୈଠକରେ ଚର୍ଚ୍ଚା: ବୈଦେଶକି ମାମଲାକୁ ନେଇ ସଂସଦୀୟ ପରାମର୍ଶଦାତା କମିଟିର ବୈଠକ ଏସ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଏହି ବୈଠକରେ ଅପରେସନ ସିନ୍ଦୂର ଏବଂ ସୀମା ପାର ଆତଙ୍କବାଦକୁ ନେଇ ଆଲୋଚନା କରାଯାଇଛି। ଏଥିରେ କେସି ବେଣୁଗୋପାଲ, ବାସନିକ, ପ୍ରିୟଙ୍କା ଚତୁର୍ବେଦୀ, ଅପରାଜିତା ସଢଙ୍ଗୀ ଏବଂ ଗୁରଜୀତ ସିଂହ ଔଜଲା ସମେତ ଅନେକ ସାଂସଦମାନେ ଭାଗ ନେଇଥିଲେ।
ଅସୁବିଧାରେ ନ ପଡିବା ପାଇଁ ଦିଆଯାଇଥିଲା ସୂଚନା: ଏହି ବୈଠକରେ ଏସ ଜୟଶଙ୍କର ଏହା ସ୍ପଷ୍ଟ କରିଛନ୍ତି ଯେ, ଭାରତ କେବଳ ଆତଙ୍କବାଦ ଢାଞ୍ଚାକୁ ଟାର୍ଗେଟ କରି ସଠିକ୍ ଭାବେ କାର୍ଯ୍ୟ କରିଛି ଏବଂ ସମସ୍ୟାଠାରୁ ଦୂରେଇ ରହିବା ଲାଗି ପାକିସ୍ତାନକୁ ସଙ୍ଗେ ସଙ୍ଗେ ଏହି ବିଷୟରେ କୁହାଯାଇଛି।
ଭାରତ-ପାକିସ୍ତାନ ଯୁଦ୍ଧବିରତି ଉପରେ ଆମେରିକାର ଦାବି ସମ୍ପର୍କରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଭାରତର ମତ ଦଶ ଶବ୍ଦରେ କୁହାଯାଇଛି। ସେମାନେ ଗୁଳି ଚାଳନା କରନ୍ତି, ଆମେ ଗୁଳି ଚାଳନା କରୁ। ଯଦି ସେମାନେ ବନ୍ଦ କରନ୍ତି, ଆମେ ମଧ୍ୟ ବନ୍ଦ କରିଦେବୁ।
ଏସ ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ଆମେରିକାର ବୈଦେଶିକ ମନ୍ତ୍ରୀ ଗୁପ୍ତଚର ସୂଚନା ଦେଇଥିଲେ ଯେ, ପାକିସ୍ତାନ ବଡ଼ ପରିମାଣରେ ପ୍ରତିଶୋଧ ନେଇପାରିବ, ଭାରତ ଦୃଢ଼ ଜବାବ ଦେଇଥିଲା ଯେ, ଯଦି ପାକିସ୍ତାନ ଆକ୍ରମଣ ବୃଦ୍ଧି କରେ, ତେବେ ଆମେ ସମାନ ଭାବରେ ଜବାବ ଦେବାକୁ ପ୍ରସ୍ତୁତ।