ସାଙ୍ଗମାନଙ୍କ ସହିତ ବସିଥିବାବେଳେ ଯୁବକ ଛାତିରେ ଛୁରି ଭୁସି ହତ୍ୟା

ସମ୍ବଲପୁର,୧୪ା୬: ଶନିବାର ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ସୀମା ଅନ୍ତର୍ଗତ କୁମ୍ଭାରପଡ଼ାରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାମ କଲିମ ବେଗ୍।

ରିପୋର୍ଟ ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ କଲିମ କୁମ୍ଭାରପଡ଼ାରେ ତାଙ୍କ ସାଙ୍ଗମାନଙ୍କ ସହିତ ବସିଥିଲେ। ଏହି ସମୟରେ ମାୟା ବଗିଚାରୁ ନାନୁ ନାମକ ଜଣେ ଯୁବକ କଲିମ ପାଖକୁ ଆସି ତାଙ୍କ ଛାତିରେ ଛୁରି ଭୁସି ଦେଇଥିଲେ। ଫଳରେ କଲିମ ଗୁରୁତର ଆହତ ହୋଇଥିଲେ। ନାନୁ ତାଙ୍କୁ ଛୁରି ଭୁସି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। କଲିମଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାର ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ। ନାନୁଙ୍କୁ ଗିରଫ କରିବା ପାଇଁ ପୋଲିସ ଏକ ଦଳ ଗଠନ କରିଛି।

ଖବର ମିଳିଛି ଯେ, କଲିମ କିଛି ଦିନ ପୂର୍ବରୁ ଏକ ହତ୍ୟା ମାମଲାରେ ଜେଲରୁ ଆସିଥିଲା।