ନୂଆଦିଲ୍ଲୀ,୧୫ା୬: ଇରାନ-ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଆକ୍ରମଣ ପ୍ରତି ଆକ୍ରମଣ ମଧ୍ୟରେ ଯେତେବେଳେ ଇରାନ ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲର ହାଇଫା ବନ୍ଦର ଏବଂ ଏହା ନିକଟରେ ଅବସ୍ଥିତ ଏକ ବଡ଼ ତୈଳ ବିଶୋଧନାଗାର ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କଲା, ସବୁଠାରୁ ବଡ଼ ପ୍ରଶ୍ନ ଥିଲା ଯେ, ଭାରତୀୟ କୋଟିପତି ଗୌତମ ଆଦାନୀଙ୍କ ମାଲିକାନାରେ ଥିବା ହାଇଫା ବନ୍ଦର ଆକ୍ରମଣର ଶିକାର ହୋଇଛି କି ନାହିଁ?
କିନ୍ତୁ ବର୍ତ୍ତମାନ ଖବର ଆସିଛି ତାହା ଭାରତ ଏବଂ ଆଦାନୀ ଗ୍ରୁପ୍ ଉଭୟଙ୍କ ପାଇଁ ଆଶ୍ୱସ୍ତିର ବିଷୟ। ସୂତ୍ର ଅନୁଯାୟୀ, ଆଦାନୀର ହାଇଫା ବନ୍ଦର ଉପରେ ଆକ୍ରମଣର କୌଣସି ପ୍ରଭାବ ପଡ଼ିନାହିଁ ଏବଂ ବନ୍ଦରର ସମସ୍ତ କାର୍ଗୋ କାର୍ଯ୍ୟ ପୂର୍ବପରି ଜାରି ରହିଛି।
ସୂତ୍ର ଅନୁଯାୟୀ ଇରାନ ଆକ୍ରମଣରେ କିଛି ସାରାପେନାଲ (ବିଛାଯାଇଥିବା ଖଣ୍ଡ) ବନ୍ଦରର ରାସାୟନିକ ଟର୍ମିନାଲରେ ପଡ଼ିଛି ଏବଂ କ୍ଷେପଣାସ୍ତ୍ର ନିକଟବର୍ତ୍ତୀ ରିଫାଇନାରୀ ଉପରେ ମଧ୍ୟ ପଡ଼ିଛି। ତଥାପି ଆଦାନୀ ବନ୍ଦରର କୌଣସି ଅଂଶରେ କୌଣସି କ୍ଷତି କିମ୍ବା ଆଘାତର ଖବର ନାହିଁ। ‘କିଶାନ ପଶ୍ଚିମ’ ନାମକ ଏକ ଅଂଶରେ ଏକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ଏକ ଖଣ୍ଡ ମଧ୍ୟ ମିଳିଛି, କିନ୍ତୁ ସେଠାରେ ସବୁକିଛି ସୁରକ୍ଷିତ ରହିଛି। ବର୍ତ୍ତମାନ, ବନ୍ଦରରେ ଆଠଟି ଜାହାଜ ଲୋଡିଂ ଏବଂ ଅନଲୋଡିଂ କରୁଛି ଏବଂ ସମସ୍ତ କାର୍ଯ୍ୟକଳାପ ସ୍ୱାଭାବିକ ଅଛି। ଅର୍ଥାତ୍ ବାଣିଜ୍ୟ ଏବଂ ଯୋଗାଣ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ।
ଇସ୍ରାଏଲର ହାଇଫା ବନ୍ଦର ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ କେନ୍ଦ୍ର, ଯାହା ଆମଦାନୀ-ରପ୍ତାନୀ କାର୍ଯ୍ୟକଳାପର ୩୦ପ୍ରତିଶତରୁ ଅଧିକ ପରିଚାଳନା କରେ। ଏହି ବନ୍ଦରରେ ଆଦାନୀ ଗ୍ରୁପର ୭୦ ପ୍ରତିଶତ ଅଂଶଧନ ଅଛି। ଯଦିଓ ଏହା ଆଦାନୀ ବନ୍ଦରଏବଂ SEZର ମୋଟ ଆୟତନର ମାତ୍ର ୨ ପ୍ରତିଶତ, ତଥାପି ପ୍ରାୟ ୫ ପ୍ରତିଶତ ରାଜସ୍ୱ ଏହି ବନ୍ଦରରୁ ଆସେ।