“ମତେ ଆମେରିକାରୁ ଟ୍ରମ୍ପ ନିମନ୍ତ୍ରଣ କରିଥିଲେ, ହେଲେ ଜଗନ୍ନାଥ ମତେ ଓଡ଼ିଶା ଟାଣି ଆଣିଲେ”
ଓଡ଼ିଶାରେ ମୋଦିଙ୍କ ଭାଷଣ। ଜୟ ଜଗନ୍ନାଥ, ଜୟ ଲିଙ୍ଗରାଜ କହି ଆରମ୍ଭ କଲେ ଉଦବୋଧନ।
ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ। ଜୟ ଲିଙ୍ଗରାଜ, ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ।
କହିଲେ ଆଜିର ଦିନ ବହୁତ ସ୍ୱତନ୍ତ୍ର। କାରଣ ସଫଳତାର ସହତି ଓଡ଼ିଶା ବିଜେପି ଏକ ବର୍ଷ ପୂରଣ କରିଛି। ସୁଶାସନର ବର୍ଷ ସ୍ଥାପନ ହୋଇଛି। ସେଥିପାଇଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।
ଏହାସହ ମୋହନ ମାଝୀଙ୍କ ଟିମକୁ ମଧ୍ୟ ଧନ୍ୟବାଦ ଜଣାଇଲେ। ନିରନ୍ତର କାମ କରି ଓଡ଼ିଶାର ବିକାଶକୁ ନୂଆ ଦିଗ ଦେଇଛନ୍ତି। ଜଗନ୍ନାଥ ଆମ ଆରାଧ୍ୟ ଆଉ ପ୍ରେରଣା। ସେଥିପାଇଁ ଶ୍ରୀମନ୍ଦିର ପ୍ରସଙ୍ଗର ସମାଧାନ ହୋଇଛି।
ସରକାର ଆସିବା ମାତ୍ରେ ୪ ଦ୍ୱାର ଓ ରତ୍ନଭଣ୍ଡାର ଖୋଲିଛି। ମୁଁ କାନାଡ଼ାରେ ଥିବାବେଳେ ଟ୍ରମ୍ପ ଫୋନ୍ କଲ୍ କରିଥିଲେ। ସେ ମତେ ଆମେରିକା ଯିବା ପାଇଁ ନିମନ୍ତ୍ରଣ କରିଥିଲେ।
ହେଲେ ମୁଁ ତାଙ୍କ ନିମନ୍ତ୍ରଣ ରକ୍ଷା ନକରି ଓଡ଼ିଶା ଆସିଲି। ମହାପ୍ରଭୁ ମତେ ଓଡ଼ିଶାକୁ ଟାଣି ଆଣିଲେ। ଏବେ ଦେଶ ବିଜେପିର ବିକାଶ ମଡେଲ ଦେଖୁଛି। ବିଜେପି ଶାସିତ ରାଜ୍ୟରେ ଅର୍ଥନୈତିକ ଉନ୍ନତି ଆରମ୍ଭ ହୋଇଛି।
ଆସାମ ଓ ତ୍ରିପୁରା ସମସ୍ୟାର ସମାଧାନ ହୋଇଛି। ଗରିବ, କୃଷକଙ୍କ ହକ୍ ମିଳୁନଥିଲା। ଦୁର୍ନୀତି ଅଧିକ ଥିଲା, ଏବେ କିନ୍ତୁ ସମସ୍ତଙ୍କୁ ତାଙ୍କ ହକ୍ ମିଳୁଛି। ବିକାଶରେ ଡବଲ ଇଞ୍ଜିନର ଫାଇଦା ମିଳୁଛି। ଆଜି ହେଉଥିବା ପ୍ରକଳ୍ପରେ ଡବଲ ଇଞ୍ଜିନର ଛାପ ଦେଖିବାକୁ ମିଳୁଛି।
ଲୋକଙ୍କୁ ମିଳୁଛି ଡବଲ ଲାଭ। ଓଡ଼ିଶାର ୩ କୋଟି ଲୋକଙ୍କୁ ଆୟୁଷ୍ମାନରେ ଯୋଡିଛୁ। ଏବେ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟରେ ଲାଭ ମିଳୁଛି। ରାଜ୍ୟ ବାହାରେ ସ୍ୱାସ୍ଥ୍ୟସେବାର ସେବା ମିଳିବ। ବର୍ଷକ ପୂର୍ବରୁ ଓଡ଼ିଶାବାସୀଙ୍କୁ ଲାଭ ମିଳୁନଥିଲା। ମୋ ରାଜ୍ୟ ଗୁଜୁରାଟରେ ବି ଅନେକ ଓଡ଼ିଆ ଅଛନ୍ତି। ସେମାନଙ୍କୁ ବି ସମସ୍ତ ସୁବିଧା ସୁଯୋଗ ମିଳୁଛି।