ନୂଆଦିଲ୍ଲୀ : ବ୍ୟବସାୟ ଏବଂ ଗ୍ରାହକଙ୍କ ବୋଝକୁ ହାଲୁକା କରିବା ପାଇଁ, ଭାରତରେ ଜୁଲାଇ ୧, ୨୦୧୭ ରେ ସାମଗ୍ରୀ ଏବଂ ସେବା କର (ଜିଏସଟି) ଆରମ୍ଭ ହୋଇଥିଲା। ଏହା ଏକ ଏକୀକୃତ, ସ୍ୱଚ୍ଛ କର ବ୍ୟବସ୍ଥା ଆଡ଼କୁ ଭାରତର ଏକ ଐତିହାସିକ ଲମ୍ଫ ଥିଲା, ଯାହା ଭାରତର ଜଟିଳ, ବହୁସ୍ତରୀୟ କର ବ୍ୟବସ୍ଥାକୁ ବଦଳାଇ ‘ଏକ ରାଷ୍ଟ୍ର, ଏକ ଟିକସ’ରେ ପରିଣତ କରିଛି ।
ମାତ୍ର ଆଠ ବର୍ଷ ମଧ୍ୟରେ, ଜିଏସଟି, ୧୭ଟି କର ଏବଂ ୧୩ଟି ସେସକୁ ଏକୀକୃତ କରି, ଏକ ସୁଗମ ଜାତୀୟ ବଜାର ସୃଷ୍ଟି କରିପାରିଛି, ସରଳୀକୃତ ଅନୁପାଳନ, ଡିଜିଟାଇଜଡ୍ କର ବ୍ୟବସ୍ଥା, କରଦାତା ଆଧାରକୁ ବିସ୍ତାର କରିଥିଲା ଏବଂ ସହଯୋଗମୂଳକ ସଂଘୀୟତାକୁ ସୁଦୃଢ଼ କରିଥିଲା ।
ଜିଏସଟି ସଂପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩୦, ୨୦୧୭ରେ କହିଥିଲେ ଯେ ଜିଏସଟିକୁ ସେ ଗୁଡ୍ (ଭଲ) ଓ ସିମ୍ପଲ (ସରଳ) ଟିକସ ବୋଲି କହିଥିଲେ । ଏହା ବହୁତ କମ ସମୟ ମଧ୍ୟରେ ଆମ ଅର୍ଥନୀତି ଉପରେ ଏକ ବଡ଼ ସକାରାତ୍ମକ ପ୍ରଭାବ ପକାଇଛି ଏବଂ ଆଗାମୀ ଦିନରେ ଅର୍ଥନୀତି ବିଶେଷଜ୍ଞ, ମ୍ୟାନେଜମେଣ୍ଟ ବିଶେଷଜ୍ଞ ଓ ଟେକନଲୋଜୀ ବିଶେଷଜ୍ଞମାନେ ଜିଏସଟି ଉପରେ ନିଶ୍ଚୟ ଗବେଷଣା କରିବେ ଓ ଭାରତର ଜିଏସଟି ବିଶ୍ବ ପାଇଁ ଏକ ମଡେଲ ବୋଲି ଉଲ୍ଲେଖ କରିବେ । ଏହା ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟ ପାଇଁ ଏକ କେସ୍ ଷ୍ଟଡି ହେବ।
ଜିଏସଟିର ବୈଶିଷ୍ଟ୍ୟ
ଜିଏସଟିର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହା ଦେଶରେ ପୂର୍ବରୁ ପ୍ରଚଳିତ ଅନେକ ପ୍ରକାରର ପରୋକ୍ଷ ଟିକସକୁ ଏକାଠି କରି ଗୋଟିଏ ଟିକସ ବ୍ୟବସ୍ଥାରେ ପରିଣତ କରିଛି ଓ ‘ଗୋଟିଏ ଦେଶ-ଗୋଟିଏ ଟିକସ’କୁ ବାସ୍ତବ ରୂପ ଦେଇଛି । ସେହିପରି ଏହାର ଆଉ ଏକ ବୈଶିଷ୍ଟ ହେଉଛି ଏହାକୁ ଦ୍ବୈତ ମଡେଲଭାବେ ଡିଜାଇନ କରାଯାଇଛି । ଏଥିରେ ରାଜ୍ୟ ମଧ୍ୟରେ କାରବାର ପାଇଁ କେନ୍ଦ୍ରୀୟ ଜିଏସଟି (CGST) ଏବଂ ରାଜ୍ୟ ଜିଏସଟି (SGST) ଅନ୍ତର୍ଭୁକ୍ତ। ରାଜ୍ୟ-ରାଜ୍ୟଗୁଡ଼ିକ ମଧ୍ୟରେ ବାଣିଜ୍ୟ ପାଇଁ, ସମନ୍ୱିତ ଜିଏସଟି (IGST) ରହିଛି। ସେହିପରି ଜିଏସଟି ଦ୍ରବ୍ୟ ବା ସେବାର ଉତ୍ପାଦନ ସ୍ଥାନ ବଦଳରେ ବ୍ୟବହାର ସ୍ଥାନରେ ଲାଗୁ ହୋଇଥାଏ । ଏହାର ଅନ୍ୟ ବୈଶଷ୍ଟ୍ୟଗୁଡ଼ିକ ମଧ୍ୟରେ ରହିଛି ଇନପୁଟ ଟାକ୍ସ କ୍ରେଡିଟ୍, ଥ୍ରେସହୋଲଡ୍ ଏଜେମ୍ପସନ, କମ୍ପୋଜିସନ ସ୍କିମ, ଅନଲାଇନ କମ୍ଲାଇଆନ୍ସ, ସେକ୍ଟର ସ୍ପେଶିଫିକ୍ ଏକଜେମ୍ପସନ। ବଡ଼ କଥା ହେଉଛି ଜିଏସଟି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ରାଜସ୍ୱର ସୁଗମ ବଣ୍ଟନ ସୁନିଶ୍ଚିତ କରେ।
ଜିଏସଟି ପରିଷଦର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
ଜିଏସଟି ଲାଗୁ ହେବାପରଠାରୁ ଗତ ୮ ବର୍ଷରେ ଜିଏସଟି ପରିଷଦ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି ସାମଗ୍ରୀ ପରିବହନ ଉପରେ ନଜର ରଖିବା ଏବଂ ଟିକସ ଚୋରି ହ୍ରାସ କରିବା ପାଇଁ ଇ-ୱେ ବିଲ୍ ପ୍ରଚଳନ। ପରେ ଏଗୁଡ଼ିକୁ ଇ-ଇନଭଏସିଂ ଏବଂ ରିଟର୍ଣ୍ଣ ଫାଇଲିଂ ସିଷ୍ଟମ ସହିତ ସଂଯୁକ୍ତ କରାଯାଇଥିଲା। ଆଉ ଏକ ବଡ଼ ନିଷ୍ପତ୍ତି ଥିଲା ନିର୍ମାଣାଧୀନ ସୁଲଭ ଗୃହ ଉପରେ ଜିଏସଟି ୮ ପ୍ରତିଶତରୁ ୧ ପ୍ରତିଶତକୁ ହ୍ରାସ କରିବା ସହିତ ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ପାଇଁ ହାର ରିହାତି। ସେହିପରି ବିଟୁବି କାରବାର ପାଇଁ ଇ-ଇନଭୋଇସିଂ ଅନୁମୋଦନ, ବର୍ତ୍ତମାନ ୫ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବାର୍ଷିକ କାରବାର ଥିବା ଫାର୍ମଗୁଡ଼ିକ ପାଇଁ ବାଧ୍ୟତାମୂଳକ କରିବା ଏକ ବଡ଼ ନିଷ୍ପତ୍ତି ଥିଲା। ଜିଏସଟି ପରିଷଦର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା ଇଲେକ୍ଟ୍ରିକ୍ ଯାନ ଉପରେ ଜିଏସଟି ବୋଝ ଲାଘବ କରିବା । ଇଲେକ୍ଟ୍ରିକ୍ ଯାନ ଉପରେ ଜିଏସଟିକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ଏବଂ ବଡ଼ ବୈଦ୍ୟୁତିକ ବସ୍ ଉପରେ ଜିଏସଟି ଛାଡ କରାଯାଇଥିଲା । ଆଉ ଏକ ବଡ଼ ନିଷ୍ପତ୍ତି ଥିଲା କୋଭିଡ୍ ସମୟରେ ମେଡିକାଲ ଉପକରଣ ଓ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ହାରକୁ ଯୁକ୍ତିଯୁକ୍ତ କରିବା ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି, ଗୁରୁତ୍ୱପୂର୍ଣ୍ଣ ହାର ଯୁକ୍ତିଯୁକ୍ତକରଣ, ଯେପରିକି ସର୍ବୋଚ୍ଚ ଟିକସ ସ୍ଲାବ ଅଧୀନରେ ଥିବା ଜିନିଷ ସଂଖ୍ୟାକୁ ୨୨୭ ରୁ ମାତ୍ର ୩୫ କୁ ହ୍ରାସ କରିବା। ବିବାଦର ଶୀଘ୍ର ସମାଧାନ ସୁନିଶ୍ଚିତ କରିବା ପାଇଁ ଜିଏସଟି ଆପିଲେଟ୍ ଟ୍ରିବ୍ୟୁନାଲ ସୃଷ୍ଟି ଜିଏସଟି ପରିଷଦର ଏକ ବଡ଼ ନିଷ୍ପତ୍ତି ଥିଲା । ଏଥିଲାଗି ନୂଆଦିଲ୍ଲୀରେ ପ୍ରମୁଖ ବେଞ୍ଚ ଏବଂ ଆବଶ୍ୟକତା ଅନୁଯାୟୀ ରାଜ୍ୟ ବେଞ୍ଚର ବ୍ୟବସ୍ଥା ରହିଛ। ଅପିଲ୍ ପାଇଁ ସାଧାରଣ କ୍ଷମା ଯୋଜନା ସମ୍ପର୍କରେ ପରିଷଦ ନିଷ୍ପତ୍ତି ନେଇଥିଲା, ଯାହା କରଦାତାମାନଙ୍କୁ ଡିମାଣ୍ଡ ଆଦେଶ ବିରୁଦ୍ଧରେ ବିଳମ୍ବରେ ଆପିଲ୍ ଦାଖଲ କରିବାର ସୁଯୋଗ ପ୍ରଦାନ କରେ।
ପ୍ରମୁଖ ସଫଳତା
୨୦୨୪-୨୫ ରେ, ମୋଟ ଜିଏସଟି ସଂଗ୍ରହ ରେକର୍ଡ ୨୨.୦୮ ଲକ୍ଷ କୋଟି ଟଙ୍କା ଛୁଇଁଛି, ଯାହା ବାର୍ଷିକ ୯.୪ ପ୍ରତିଶତ ଅଭିବୃଦ୍ଧି ଦର୍ଶାଉଛି। ଏହି ବୃଦ୍ଧି ଅର୍ଥନୀତିର ବର୍ଦ୍ଧିତ ଆନୁଷ୍ଠାନିକୀକରଣ ଏବଂ ଉନ୍ନତ ଟିକସ ଅନୁପାଳନକୁ ପ୍ରତିଫଳିତ କରେ।
ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ସୁବିଧା
ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଜିଏସଟି ଅନେକ ସୁବିଧା ଆଣିଦେଇଛି । ଦ୍ରବ୍ୟ ପାଇଁ ଜିଏସଟି ଛାଡ଼ ସୀମା ୨୦ ଲକ୍ଷରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଫଳରେ କ୍ଷୁଦ୍ର ବ୍ୟବସାୟୀ ଏବଂ ନିର୍ମାତାଙ୍କ ପାଇଁ ଅନୁପାଳନ ବୋଝ ଲାଘବ ହୋଇଛି । କମ୍ପୋଜିସନ ସ୍କିମ ଅଧିନରେ ଯେଉଁ ବ୍ୟବସାୟଗୁଡ଼ିକର କାରବାର ୧.୫ କୋଟି (ଦ୍ରବ୍ୟ) କିମ୍ବା ୫୦ ଲକ୍ଷ (ସେବା) ପର୍ଯ୍ୟନ୍ତ, ସେମାନେ ସର୍ବନିମ୍ନ କାଗଜପତ୍ର ସହିତ ଏକ ସ୍ଥିର ଟିକସ ହାର ବାଛିପାରିବେ। ୫ କୋଟି ଟଙ୍କା ପର୍ଯ୍ୟନ୍ତ ଟର୍ଣ୍ଣଓଭର ଥିବା କ୍ଷୁଦ୍ର କରଦାତାମାନେ ମାସିକ ବଦଳରେ ତ୍ରୈମାସିକ ରିଟର୍ଣ୍ଣ ଦାଖଲ କରିପାରିବେ। ସେହିପରି ଟ୍ରେଡ ରିସିଭେବଲସ ଡିସକାଉଣ୍ଟିଙ୍ଗ ସିଷ୍ଟମ ମାଧ୍ୟମରେ ଏମଏସଏମଇ ମାନଙ୍କୁ ଋଣ ପାଇବା ସହଜ ହୋଇପାରିଛି।
ସହଜ ହୋଇଛି ବ୍ୟବସାୟ କରିବା
ଦେଶରେ ଜିଏସଟି ଲାଗୁ ହେବା ପରେ ବ୍ୟବସାୟ କରିବା ସହଜ ହୋଇଯାଇଛି ଓ ବିଶ୍ବ ଇଜ୍ ଅଫ ଡୁଇଙ୍ଗ ବିଜନେସ ମାନ୍ୟତାରେ ଭାରତ ଉନ୍ନତି ହାସଲ କରିପାରିଛି । ୨୦୧୪ରେ ଭାରତର ମାନ୍ୟତା ୧୪୨ ଥିବାବେଳେ ୨୦୧୯ ସୁଦ୍ଧା ତାହା ୬୩କୁ ଉନ୍ନୀତ ହୋଇଥିଲା । ସେହିପରି ବିଶ୍ୱ ବ୍ୟାଙ୍କର ଲଜିଷ୍ଟିକ୍ସ କାର୍ଯ୍ୟଦକ୍ଷତା ସୂଚକାଙ୍କରେ ଭାରତର ମାନ୍ୟତା ୨୦୨୩ ସୁଦ୍ଧା ୩୮ରେ ପହଞ୍ଚିଛି ।
ରାଜସ୍ୱ ସଂଗ୍ରହ ଏବଂ ଅନୁପାଳନରେ ଉନ୍ନତି
ଇ-ଇନଭଏସିଂ ଏବଂ ଇ-ୱେ ବିଲ୍ ସମେତ ଜିଏସଟିର ଡିଜିଟାଲ୍ ଢାଞ୍ଚା, ରାଜସ୍ୱ ସଂଗ୍ରହ ଏବଂ ଅନୁପାଳନରେ ସ୍ୱଚ୍ଛତା ବୃଦ୍ଧି କରିଛି ଏବଂ ଟିକସ ଚୋରି ହ୍ରାସ କରିଛି। ଜିଏସଟି ଲାଗୁ ହେବାର ୨୩ ଦିନ ମଧ୍ୟରେ, ଜିଏସଟି ନେଟୱାର୍କରେ ପ୍ରାୟ ୭୮ ଲକ୍ଷ ବ୍ୟକ୍ତି ପଞ୍ଜୀକୃତ ହୋଇଥିଲେ। ମେ ୨୦୨୫ ସୁଦ୍ଧା ଏହା ୧.୫୨ କୋଟିକୁ ବୃଦ୍ଧି ପାଇଲା, ଯାହା ଟିକସ ଆଧାରକୁ ବିସ୍ତାର କରିଥିଲା। ଅନ୍ଯପକ୍ଷରେ ବାର୍ଷିକ ଜିଏସଟି ରାଜସ୍ୱ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି । ଏହା ୨୦୧୭-୧୮ ଆର୍ଥିକ ବର୍ଷରେ ୭ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪-୨୫ ମସିହାରେ ୨୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ମେ ୨୦୨୫ ସୁଦ୍ଧା ୧୬୨ କୋଟିରୁ ଅଧିକ ଜିଏସଟି ରିଟର୍ଣ୍ଣ ଦାଖଲ କରାଯାଇଛି । ସେହିପରି ଦେଶର ଜିଏସଟି ରାଜସ୍ବ ସଂଗ୍ରହ ଏପ୍ରିଲ ୨୦୨୫ରେ ସର୍ବାଧିକ ୨.୩୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା।
ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାକୁ ପ୍ରେତ୍ସାହନ
ଜିଏସଟି ବ୍ୟବସ୍ଥା ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାକୁ ପ୍ରେତ୍ସାହନ ଦେଇଚାଲିଛି । ଅଗଷ୍ଟ-ସେପ୍ଟେମ୍ବର ୨୦୧୬ରେ ମାତ୍ର ତିନି ସପ୍ତାହ ମଧ୍ୟରେ ୧୭ଟି ରାଜ୍ୟ ଜିଏସଟି ସାମ୍ବିଧାନିକ ସଂଶୋଧନକୁ ଅନୁମୋଦନ କରିଥିଲେ, ଯାହାକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହଯୋଗମୂଳକ ସଂଘୀୟ ସିଦ୍ଧାନ୍ତର ସର୍ବୋତ୍ତମ ଉଦାହରଣ ଥିଲା।