କାମ ଚାପରେ ବ୍ୟାଙ୍କରେ ଦଉଡ଼ି ଲଗାଇ ଦେଲେ ଚିଫ୍ ମ୍ୟାନେଜର
ବ୍ୟାଙ୍କରେ ଝୁଲିପଡ଼ିଲେ ମ୍ୟାନେଜର । କାମ ଚାପ ଦେଉଥିଲା କଷ୍ଟ ।
ପୁଣେ: ମହାରାଷ୍ଟ୍ର ପୁଣେରେ ଘଟି ଯାଇଛି ଏକ ଚିନ୍ତାଜନକ ଘଟଣା । ନ୍ୟାସନାଲାଇଜ୍ଡ ବ୍ୟାଙ୍କର ମ୍ୟାନେଜର କରିଛନ୍ତି ଆତ୍ମହତ୍ୟା ।
ଶିବଶଙ୍କର ମିତ୍ର (୪୦) ଗୁରୁବାର ଦିନ ରାତିରେ ବ୍ୟାଙ୍କ ଭିତରେ ରଶି ଲଗାଇ କରିଚନ୍ତି ଆତ୍ମହତ୍ୟା । କାମ ଚାପ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଜୁଲାଇ ୧୧ରେ ମିତ୍ର ଚିଫ୍ ମ୍ୟାନେଜର ପଦରୁ ଇସ୍ତଫା ଦେଇଥିଲେ ।
ଅଫିସ ସମୟ ସରିବା ପରେ ମିତ୍ର ଅନ୍ୟ ଷ୍ଟାଫଙ୍କୁ ଘରକୁ ଚାଲିଯିବାକୁ କହିଥିଲେ । ଶେଷରେ ସେ ବ୍ରାଞ୍ଚ ବନ୍ଦ କରି ଯିବେ ବୋଲି କହିଲେ । ରାତି ପ୍ରାୟ ୯ଟା ୩୦ ମିନିଟବେଳକୁ ସିକ୍ୟୁରିଟି ଗାର୍ଡ ବ୍ରାଞ୍ଚ ଛାଡ଼ିଥିବାବେଳେ ୧୦ଟାବେଳେ ମିତ୍ର ରଶି ଲଗାଇ ବ୍ୟାଙ୍କରେ ଆତ୍ମହତ୍ୟା କରିଥିବା କୁହାଯାଉଛି ।
ସମ୍ପୂର୍ଣ୍ଣ ଘଟଣା ବ୍ୟାଙ୍କ ସିସିଟିଭିରେ କଏଦ ହୋଇଛି । ବିଳମ୍ବିତ ରାତିରେ ଘରେ ନ ପହଞ୍ଚିବାରୁ ମିତ୍ରଙ୍କ ସ୍ତ୍ରୀ ବ୍ୟାଙ୍କରେ ପହଞ୍ଚିଥିଲେ । ଅନ୍ୟ ଜଣେ ଷ୍ଟାଫଙ୍କୁ ମଧ୍ୟ ଫୋନ୍ କରି ଡକେଇଲେ ମିତ୍ରଙ୍କ ସ୍ତ୍ରୀ ।
ମିତ୍ରଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି, ଯେଉଁଥିରେ ମିତ୍ର ୱାର୍କ ଲୋଡ୍ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଥିବା ଲେଖିଛନ୍ତି ।