ସାବଧାନ! ପିଏମ କିଷାନ ନାଁରେ ବଡଧରଣର ଠକେଇ, ଆଖି ପିଛୁଳାକେ ନେଇଗଲେ ୧୨ ଲକ୍ଷ

ପିଏମ କିଷାନ ଯୋଜନା ନାଁରେ ଏକ ବଡ଼ଧରଣର ଠକେଇ

ଭୁବନେଶ୍ୱର: ପିଏମ କିଷାନ ଯୋଜନା ନାଁରେ ଏକ ବଡ଼ଧରଣର ଠକେଇ ମାମଲା ସାମ୍ନାକୁ ଆସିଛି। ଗଞ୍ଜାମର ୨ଜଣ ସାଇବର ଠକେଇର ଶିକାର ହୋଇଛନ୍ତି।

ଠକମାନେ ଆଖି ପିଛୁଳାକେ ଉଭୟଙ୍କ ମୋବାଇଲକୁ ହ୍ୟାକ୍ କରିବା ସହ ବ୍ୟାଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୩୫ ହଜାରୁ ଟଙ୍କା ଠକି ନେଇଛନ୍ତି ବୋଲି ଜଣାପଡିଛି। ଏହି ବାବଦରେ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ୨ଟି ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଛତ୍ରପୁର ନିକଟ କେଳୁଆପଲ୍ଲୀରେ ରହୁଥିବା ଜଣେ ୩୩ ବର୍ଷୀୟ ମହିଳାଙ୍କ ହ୍ବାଟ୍ସଆପ୍‌କୁ ୩ ଦିନ ତଳେ ଏକ ମେସେଜ ଆସିଥିଲା। ପିଏମ-କିଷାନ ଯୋଜନାର ଲାଭ ଉଠାଇବାକୁ ହେଲେ ଉକ୍ତ ଲିଙ୍କକୁ କ୍ଲିକ କରି ସବିଶେଷ ତଥ୍ୟ ଜାଣିବାକୁ କୁହାଯାଇଥିଲା।

ମହିଳା ଜଣଙ୍କ ପିଏମ-କିଷାନ ଯୋଜନାର କିସ୍ତି ପାଇବା ଲୋଭରେ ଉକ୍ତ ଲିଙ୍କକୁ କ୍ଲିକ କରି ଏପିକେ ଫାଇଲ ଡାଉନଲୋଡ୍ କରିଥିଲେ। ଏହାପରେ ମହିଳାଙ୍କ ମୋବାଇଲର ସମସ୍ତ ଡାଟାକୁ ସାଇବର ଠକମାନେ ହାତେଇ ନେଇଥିଲେ।

ଏଥିସହ ତାଙ୍କ ମୋବାଇଲ ସହ ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟରୁ ୫ ଲକ୍ଷ ୮୪ ହାଜର ଟଙ୍କା ନେଇ ଯାଇଥିଲେ। ଆକାଉଣ୍ଟରୁ ଟଙ୍କା କଟିବା ମେସେଜ ଆସିବା ପରେ ଠକେଇ ହେବା ଜଣାପଡିଥିଲା।

ସେହିପରି ବ୍ରହ୍ମପୁରର ଲୋଚାପଡାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ହ୍ବାଟ୍ସଆପ୍‌ ନମ୍ବରକୁ ୩ ଦିନ ତଳେ ଏକ ଅଜଣା ନମ୍ବରରୁ ବାର୍ତ୍ତା ଆସିଥିଲା। ସେଥିରେ ମଧ୍ୟ ପିଏମ-କିଷାନ ଯୋଜନା ବିଷୟରେ ଉଲ୍ଲେଖ ରହିଥିଲା।

ସେହି ଲିଙ୍କ ସହ ଏପିକେ ଫାଇଲ ମଧ୍ୟ ଆସିଥିଲା। ବ୍ୟକ୍ତି ଜଣଙ୍କ ଉକ୍ତ ଫାଇଲରେ କ୍ଲିକ କରିବା ପରେ ତାଙ୍କ ମୋବାଇଲ ସହ ଲିଙ୍କ ଥିବା ବିଭିନ୍ନ ଆକାଉଣ୍ଟରୁ ୬ ଲକ୍ଷ ୫୧ ହଜାର ଟଙ୍କା ଗାଏବ ହୋଇ ଯାଇଥିଲା।

ଉଭୟଙ୍କ ଅଭିଯୋଗକୁ ଭିତ୍ତି କରି ସାଇବର ଥାନାରେ ୨ଟି ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶଙ୍କର ପଣ୍ଡା କହିଛନ୍ତି।