3 ସପ୍ତାହ ଧରି ମୁହଁରେ ଏହି ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୋଇପାରେ ଓରାଲ କ୍ୟାନ୍ସର…

3 ସପ୍ତାହ ଧରି ମୁହଁରେ ଏହି ଲକ୍ଷଣ ଦେଖାଯାଉଥିଲେ ହୋଇପାରେ ଓରାଲ କ୍ୟାନ୍ସର ବା ମୁଖ କର୍କଟ । ଯାହା ପାଟି, ଓଠ, ଜିଭ, ମାଢି, ଲାଳ ଗ୍ରନ୍ଥି ଓ ଗଳାରୁ ପ୍ରଭାବିତ କରିପାରେ ।

ଓଡ଼ିଶା ଭାସ୍କର: ନିଶା କବଳରେ ଆଜିର ଯୁବପିଢି । ଯୁବବର୍ଗଙ୍କ ମଧ୍ୟରେ ଖଇନି, ଗୁଟ୍‌କା, ପାନ ମସାଲା ଇତ୍ୟାଦି ମାଦକ ଦ୍ରବ୍ୟ ଖାଇବାର ଅଭ୍ୟାସ ବଢିବାରେ ଲାଗିଛି । ଆଶ୍ଚର୍ଯ୍ୟର କଥା, କିଛି ଲୋକ ଶୋଇବା ସମୟରେ ମଧ୍ୟ ଗୁଟ୍‌କା ଜିଭ ତଳେ ରଖୁଛନ୍ତି । ଯାହାକୁ ଅତ୍ୟନ୍ତ ବିପଜ୍ଜନକ ବୋଲି ଚେତାଇଛନ୍ତି ଡାକ୍ତର । ଏନେଇ ଡାକ୍ତରଙ୍କ କହିବା କଥା, ଏପରି ଭାବେ ମାଦକ ଦ୍ରବ୍ୟ ସେବନ ଦ୍ବାରା ପାଟିରେ ଘା ସୃଷ୍ଟି ହୁଏ । ଧୀରେ ଧୀରେ ସେହି ଅଂଶ କ୍ୟାନ୍ସରରେ ପରିଣିତ ହୋଇଯାଏ । ତମାଖୁ ଦ୍ରବ୍ୟ ମୁଖ, ବେକ ଓ ଫୁସଫୁସ କର୍କଟର ମୁଖ୍ୟ କାରଣ ବୋଲି କୁହାଯାଇଛି ।

ପାଟି, ଓଠ, ଜିଭ, ମାଢି, ଲାଳ ଗ୍ରନ୍ଥି ଓ ଗଳା ଓରାଲ କ୍ୟାନ୍ସର ବା ମୁଖ କର୍କଟ ଦ୍ବାରା ପ୍ରଭାବିତ ହୋଇପାରେ । ଏହି କର୍କଟ ଖୁବ୍ ମାରାତ୍ମକ ଓ ପ୍ରାଣଘାତି ହୋଇଥାଏ । ଓରାଲ କ୍ୟାନ୍ସରରେ ମୃତ୍ୟୁହାର ଅନ୍ୟ କ୍ୟାନ୍ସର ତୁଳନାରେ ସର୍ବାଧିକ । ଏହି କ୍ୟାନ୍ସରର ଲକ୍ଷଣ ଆରମ୍ଭରୁ ଜଣାପଡେ ନାହିଁ । ଏହା ଗୁରୁତର ଷ୍ଟେଜକୁ ଯିବାପରେ ଜଣାପଡିଥାଏ । ଯାହାଫଳରେ ଏହାର ଚିକିତ୍ସାର ପ୍ରଭାବ ଓ ବଞ୍ଚିବା ସମ୍ଭାବନାକୁ ସୀମିତ କରିଥାଏ । ତେଣୁକରି ମାଦକ ଦ୍ରବ୍ୟ ସେବନ କରୁଥିଲେ ଆପଣ ନିଜ ଦାନ୍ତ ଚିକିତ୍ସକଙ୍କ ନିକଟରେ ନିୟମିତ ଓରାଲ କ୍ୟାନ୍ସରର ଯାଞ୍ଚ କରାଇବା ଉଚିତ୍ ।

ଓରାଲ କ୍ୟାନ୍ସରର 5 ଲକ୍ଷଣ …

ଦାନ୍ତ ମାଢିରେ ରକ୍ତସ୍ରାବ:

ବେଳେବେଳେ ଦାନ୍ତ ମାଢିରେ ରକ୍ତ ବାହାରିବା ପିରିୟଡେଣ୍ଟାଲ ରୋଗର ଲକ୍ଷଣ ଭାବେ ବିବେଚନା କରାଯାଏ । ବିନା କାରଣରେ ପାଟିରେ ରକ୍ତସ୍ରାବ ମଧ୍ୟ କେତେକାଂଶରେ ଓରାଲ କ୍ୟାନ୍ସରର ଏକ ସାଧାରଣ ଲକ୍ଷଣ ହୋଇପାରେ । ଦାନ୍ତରୁ ଅସ୍ବାଭାବିକ ଭାବେ ଅଧିକ ରକ୍ତ ବାହାରୁଥିଲେ ନିଜ ଦାନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ୍ ।

ମୁହଁରେ ଘା’ ବା ଅଲସର:

ମୁହଁରେ ଘା’ ବା ଅଲ୍‌ସର ହୋଇଥିଲେ ଏବଂ ଠିକ୍ ହେଉନଥିଲେ ଏହା ଓରାଲ କ୍ୟାନ୍ସରର ସବୁଠୁ ସାଧାରଣ ଲକ୍ଷଣ । କ୍ୟାନ୍ସର ଘା ଦେଖିବାକୁ ଅସ୍ବାଭାବିକ ଲାଗିଥାଏ, ଯାହା ଅନ୍ୟ ସାମାନ୍ୟ ଘା ଠାରୁ ଅଲଗା ହୋଇଥାଏ । ଏହା ମୁହଁ ଓ ଏହାର ଆଖପାଖରେ ହୋଇଥାଏ ।

ଏହା ବିଷୟରେ ଧ୍ୟାନ ଦିଅନ୍ତୁ:

  • କ୍ୟାନ୍ସର ଘା ସାଧାରଣତଃ ଲାଲ, ଧଳା କିମ୍ବା ରଙ୍ଗହୀନ ହୋଇଥାଏ
  • କ୍ୟାନ୍ସର ଘା ଭଲ ହୁଏ ନାହିଁ ଏବଂ ସେହି ଘାରୁ ରକ୍ତ ବାହାରିଥାଏ ।

ମାଢି ଯନ୍ତ୍ରଣା:

ଓରାଲ କ୍ୟାନ୍ସର ଯୋଗୁଁ ମୁହଁର ଜ’ ଦୁର୍ବଳ ହୋଇଯାଏ । ଯେଉଁ କାରଣରୁ କଥା କହିବା, ଖାଦ୍ୟ ଚୋବାଇବା ଓ ଗଳିବାରେ କଷ୍ଟକର ହୋଇଥାଏ । କ୍ୟାନ୍ସର ବଢିଲେ ଜ’ ମଧ୍ୟ ବଢିଥାଏ, ଯାହାଦ୍ବାରା ଅଧିକ ଅସୁବିଧା ହୋଇଥାଏ । ଯଦି ଆପଣଙ୍କ ଜ’ରେ ଅଧିକ ଦିନ ଧରି ଯନ୍ତ୍ରଣା ରହୁଛି ତାହେଲେ ଦନ୍ତ ଚିକିତ୍ସକଙ୍କ ଦ୍ବାରା ଯାଞ୍ଚ କରାନ୍ତୁ ।

ଧଳା କିମ୍ବା ଲାଲ ଦାଗ:

ପାଟିରେ ଲାଲ କିମ୍ବା ଧଳା ରଙ୍ଗର ଦାଗ ଓରାଲ କ୍ୟାନ୍ସରର ଲକ୍ଷଣ ହୋଇପାରେ । ନିୟମିତ ଯାଞ୍ଚ ସମୟରେ ଆପଣଙ୍କ ଦନ୍ତ ଚିକିତ୍ସକଙ୍କୁ ମାଢି, ଓଠ ଅର୍ଥାତ୍ ପାଟି ଭିତରର କିଛି ବି ଦାଗର ଯାଞ୍ଚ କରିବା ଉଚିତ୍ ।

ବାରମ୍ବାର ଗଳା ଯନ୍ତ୍ରଣା:

ଗଳାରେ ଯନ୍ତ୍ରଣା ଏକ ସାଧାରଣ କଥା । ଖାସ୍ କରି ଶୀତ ଦିନରେ ଗଳାରେ ଯନ୍ତ୍ରଣା ହୋଇପାରେ । କିନ୍ତୁ ଯଦି ଲଗାତାର ଏହି ଯନ୍ତ୍ରଣା ରହୁଛି, ଖାଦ୍ୟ ଢୋକିବାରେ କଷ୍ଟ ଲାଗୁଛି କିମ୍ବା ଗଳାରେ କିଛି ଫସିରହିବା ଭଳି ଅନୁଭବ ହେଉଛି ତାହେଲେ ଏହା ଓରାଲ କ୍ୟାନ୍ସର ହୋଇଥାଇପାରେ । ଏହାକୁ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ଯାଞ୍ଚ କରିବା ଉଚିତ୍ ।

National health service ମୁତାବକ, ମୁଖ କର୍କଟର ଲକ୍ଷଣ ଆପଣଙ୍କ ମୁହଁର ଯେକୌଣସି ଅଂଶ ଯେପରି- ମାଢି, ଜିଭ, ଗଳା, ଓଠକୁ ପ୍ରଭାବିତ କରିପାରେ ।

ଏସବୁ ଲକ୍ଷଣ ମଧ୍ୟ ହୋଇପାରେ:

  • 3 ସପ୍ତାହରୁ ଅଧିକ ସମୟ ଧରି ପାଟିରେ ଘା ରହିବା
  • ପାଟି ଭିତରେ ଲାଲ କିମ୍ବା ଧଳା ଦାଗ
  • ପାଟିରେ ଯନ୍ତ୍ରଣା
  • ଖାଦ୍ୟ ଢୋକିବାରେ ସମସ୍ୟା
  • କଥା କହିବାରେ ସମସ୍ୟା କିମ୍ବା କର୍କଶ ସ୍ବର
  • ବିନା କାରଣରେ ଓଜନ ହ୍ରାସ
  • ଗଳାରେ କିଛି ଫସି ରହିଥିବା ଅନୁଭବ କରିବା
  • ଦାନ୍ତ ଏବଂ ମାଢ଼ି ଛିଣ୍ଡିଯିବା