ଟ୍ରମ୍ପଙ୍କୁ ମୋଦୀଙ୍କ ଶକ୍ତ ଝଟକା, ରୁଷ ସହ ଭାରତର ସମ୍ପର୍କକୁ ନେଇ ବଡ଼ ବୟାନ

ଅକଳରେ ଆମେରିକା। ରୁଷ ଠାରୁ ତେଲ କିଣିବା ଜାରି ରଖିବ ଭାରତ।

ନୂଆଦିଲ୍ଲୀ: ଭାରତ ପୁଣି ଥରେ ରୁଷରୁ ତେଲ କିଣିବା ନେଇ ନିଜର ମତ ସ୍ପଷ୍ଟ କରିଛି। ରୁଷରେ ଭାରତର ରାଷ୍ଟ୍ରଦୂତ ବିନୟ କୁମାର କହିଛନ୍ତି ଯେ ଭାରତୀୟ କମ୍ପାନୀଗୁଡ଼ିକ ଯେଉଁଠାରୁ ‘ସର୍ବୋତ୍ତମ ଡିଲ୍’ ପାଇବେ ସେଠାରୁ ତେଲ କିଣିବା ଜାରି ରଖିବେ। ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ନୂଆଦିଲ୍ଲୀ ତା’ର ‘ଜାତୀୟ ସ୍ୱାର୍ଥ’କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବା ଜାରି ରଖିବ।

ଦେଶର ପ୍ରାଥମିକତା କ’ଣ: ରୁଷର ସରକାରୀ ଖବର ସଂସ୍ଥା ‘TASS’କୁ ଏକ ସାକ୍ଷାତକାରରେ କୁମାର କହିଛନ୍ତି ଯେ ଦେଶର ୧.୪ ବିଲିୟନ ଲୋକଙ୍କ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ନୂଆଦିଲ୍ଲୀର ପ୍ରାଥମିକତା।

ଭାରତ ଋଷରୁ କମ୍ ଦରରେ ଅଶୋଧିତ ତୈଳ କିଣିବା ଉପରେ ଆମେରିକାର ସମାଲୋଚନା ମଧ୍ୟରେ ଏହି ମନ୍ତବ୍ୟ ଟ୍ରମ୍ପଙ୍କୁ ଏକ ଶକ୍ତ ଝଟକା ଦେଇଛି। ଏହାସହ ଜୋର ଦେଇ କୁମାର କହିଛନ୍ତି, “ଭାରତୀୟ କମ୍ପାନୀଗୁଡ଼ିକ ଯେଉଁଠାରୁ ସର୍ବୋତ୍ତମ ଡିଲ୍ ପାଇବେ ସେଠାରୁ କିଣିବା ଜାରି ରଖିବେ।

 ଭାରତ-ରୁଷ ବାଣିଜ୍ୟ: କୁମାର କହିଛନ୍ତି ଯେ ଭାରତ ଏବଂ ରୁଷ ମଧ୍ୟରେ ବାଣିଜ୍ୟ ପାରସ୍ପରିକ ସ୍ୱାର୍ଥ, ବଜାର କାରକ ଉପରେ ଆଧାରିତ। ସେ ଏହା ମଧ୍ୟ କହିଛନ୍ତି ଯେ କେବଳ ସାମଗ୍ରିକ ଉଦ୍ଦେଶ୍ୟ ସହିତ ଲୋକଙ୍କ ଶକ୍ତି ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ।

ଆମେରିକା ଏବଂ ୟୁରୋପ ମଧ୍ୟ ବ୍ୟବସାୟ କରୁଛନ୍ତି: ଆମେରିକା ଭାରତକୁ ରୁଷଠାରୁ ଅଶୋଧିତ ତେଲ କିଣି ୟୁକ୍ରେନରେ ମସ୍କୋର ଯୁଦ୍ଧକୁ ସହାୟତା କରୁଥିବା ଅଭିଯୋଗ କରିଛି।

ଭାରତ ଆମେରିକାର ଯୁକ୍ତିକୁ ଦୃଢ଼ ଭାବରେ ଖଣ୍ଡନ କରିଛି। ୱାଶିଂଟନର ନିଷ୍ପତ୍ତିକୁ “ଅନ୍ୟାୟ” ବୋଲି କହି କୁମାର କହିଛନ୍ତି ଯେ ଭାରତ ସରକାର “ଦେଶର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବା ଜାରି ରଖିବ।” ସେ କହିଛନ୍ତି, “ଆମେରିକା ଏବଂ ୟୁରୋପ ସମେତ ଅନ୍ୟ ଦେଶମାନେ ମଧ୍ୟ ରୁଷ ସହିତ ବ୍ୟବସାୟ କରୁଛନ୍ତି।”

ଏସ୍ ଜୟଶଙ୍କର କ’ଣ କହିଲେ: ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅଶୋଧିତ ତୈଳ ପ୍ରସଙ୍ଗରେ ଭାରତ ପ୍ରତି ଆମେରିକାର ସମାଲୋଚନା ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, “ଏହା ହାସ୍ୟାସ୍ପଦ ଯେ ବାଣିଜ୍ୟ ସମର୍ଥନ କରୁଥିବା ଆମେରିକୀୟ ପ୍ରଶାସନ ପାଇଁ କାମ କରୁଥିବା ଲୋକମାନେ ଅନ୍ୟ ଲୋକମାନଙ୍କୁ ବାଣିଜ୍ୟ କରୁଥିବାର ଅଭିଯୋଗ କରୁଛନ୍ତି।”

ସେ କହିଥିଲେ, “ଏହା ପ୍ରକୃତରେ ଅଜବ। ଯଦି ଆପଣଙ୍କର ଭାରତରୁ ତେଲ କିମ୍ବା ପରିଷ୍କୃତ ଉତ୍ପାଦ କିଣିବାରେ ସମସ୍ୟା ଅଛି, ତେବେ ଏହାକୁ କିଣନ୍ତୁ ନାହିଁ। କେହି ଆପଣଙ୍କୁ କିଣିବାକୁ ବାଧ୍ୟ କରନ୍ତି ନାହିଁ। କିନ୍ତୁ ୟୁରୋପ କିଣେ, ଆମେରିକା କିଣେ, ତେଣୁ ଯଦି ଆପଣଙ୍କୁ ଏହା ପସନ୍ଦ ନ ଆସେ ତେବେ ଏହାକୁ କିଣନ୍ତୁ ନାହିଁ।”