ଖୁଲାସା ହେବନି ପିଏମ ମୋଦୀଙ୍କ ଗ୍ରାଜୁଏସନ ଡିଗ୍ରୀର ଡାଟା, CIC ଆଦେଶକୁ ବାତିଲ କଲେ ଦିଲ୍ଲୀ ହାଇକୋର୍ଟ
ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଶୁଣାଣି, ଖୁଲାସା ହେବନି ପିଏମ ମୋଦୀଙ୍କ ଗ୍ରାଜୁଏସନ ଡିଗ୍ରୀର ଡାଟା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ନାତକ ଡିଗ୍ରୀ ସହ ଜଡିତ ରେକର୍ଡକୁ ପ୍ରକାଶ କରିବା ପାଇଁ ମନାକରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ସୂଚନା ଆୟୋଗର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲା।
୨୦୧୬ରେ ଦାଖଲ ହୋଇଥିବା ଏକ RTI ଆବେଦନ ଆଧାରରେ, CIC ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ନାତକ ଡିଗ୍ରୀ ସହ ଜଡିତ ରେକର୍ଡକୁ ପ୍ରକାଶ କରିବା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ।
‘ଶିକ୍ଷାଗତ ରେକର୍ଡ ଏବଂ ଡିଗ୍ରୀ ପ୍ରକାଶ କରିବା ବାଧ୍ୟତାମୂଳକ ନୁହେଁ’: ଦିଲ୍ଲୀ ହାଇକୋର୍ଟର ବିଚାରପତି ସଚିନ ଦତ୍ତଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶିକ୍ଷାଗତ ରେକର୍ଡ ଏବଂ ଡିଗ୍ରୀ ପ୍ରକାଶ କରିବା ବାଧ୍ୟତାମୂଳକ ନୁହେଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ରେକର୍ଡ ପ୍ରକାଶ କରିବା ନେଇ ଏହି ଆଇନଗତ ଲଢ଼େଇ ବର୍ଷ ବର୍ଷ ଧରି ଚାଲିଛି। ସୂଚନା ଅଧିକାର (RTI) ଅଧୀନରେ ଆବେଦନ ଦାଖଲ କରିବା ପରେ, କେନ୍ଦ୍ରୀୟ ସୂଚନା ଆୟୋଗ ଡିସେମ୍ବର ୨୧, ୨୦୧୬ରେ ୧୯୭୮ରେ BA ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଙ୍କ ରେକର୍ଡ ଯାଞ୍ଚ କରିବାକୁ ଅନୁମତି ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।
ଡିଗ୍ରୀ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଥିଲା CIC: ତୃତୀୟ ପକ୍ଷଙ୍କ ସହ ଜଡିତ ସୂଚନା ସେୟାର ନକରିବା ପାଇଁ ନିୟମ ଦର୍ଶାଇ ବିଶ୍ୱବିଦ୍ୟାଳୟ ମନା କରିଦେଇଥିଲା। ତଥାପି, କେନ୍ଦ୍ରୀୟ ସୂଚନା ଆୟୋଗ (CIC) ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ।
ଏଥିସହ ଡିସେମ୍ବର 2016 ରେ DU କୁ ଯାଞ୍ଚ କରିବାକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। CIC କହିଥିଲେ ଯେ, ଯେକୌଣସି ସାଧାରଣ ବ୍ୟକ୍ତିଙ୍କ, ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ୱଚ୍ଛ ହେବା ଉଚିତ।
CIC ଏହା ମଧ୍ୟ କହିଥିଲେ ଯେ, ଏହି ସୂଚନା ଧାରଣ କରିଥିବା ରେଜିଷ୍ଟରକୁ ଏକ ସାଧାରଣ ଡକ୍ୟୁମେଣ୍ଟ ଭାବରେ ଧରାଯିବ।
ରେକର୍ଡକୁ ପ୍ରକାଶ କରିବା ଏକ ବିପଜ୍ଜନକ: ବିଶ୍ୱବିଦ୍ୟାଳୟ ଏହି ନିର୍ଦ୍ଦେଶ ବିରୁଦ୍ଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। ଯେଉଁଠାରେ ଭାରତର ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଏବଂ ତାଙ୍କ legal team ପ୍ରତିନିଧିତ୍ୱ କରିଥିଲେ।
ତୁଷାର ମେହେଟ୍ଟା ଯୁକ୍ତି କରିଥିଲେ ଯେ, ତଥ୍ୟ ପ୍ରକାଶ କରିବା ଏକ ବିପଜ୍ଜନକ ଉଦାହରଣ ସୃଷ୍ଟି କରିବ। ଯାହା ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ସେ କହିଛନ୍ତି ଯେ, କିଛି ଲୋକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ରେକର୍ଡ ପ୍ରକାଶ କରିବାକୁ ସମର୍ଥନ କରୁଛନ୍ତି।