ବଢିବ ଚାଷୀ ପଞ୍ଜୀକରଣ ଅବଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଚାଷୀ ପଞ୍ଜୀକରଣ ଅବଧି ବଢିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ସିଏମ କିଶାନ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। କିନ୍ତୁ ଯେଉଁ ଚାଷୀ ଏଯାଏଁ ପଞ୍ଜୀକରଣ କରିନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ଖୁସି ଖବର ରହିଛି। ସରକାର ଚାଷୀ ପଞ୍ଜୀକରଣ ଅବଧି ବଢାଇବାକୁ ଯୋଜନା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ସୂଚନା ଅନୁଯାୟୀ, କେତେ ଦିନ ବଢିବ ଖୁବଶୀଘ୍ର ଘୋଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଉ ସପ୍ତାହେ ବଢାଇବାକୁ ପ୍ରସ୍ତାବ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି ଏବଂ ଘୋଷଣା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି ମିଳିଛି। ଚାଷୀଙ୍କୁ ଆଜି ମିଳିଲା ସିଏମ କିଷାନ କିସ୍ତି ଟଙ୍କା। ତୃତୀୟ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା 2 ହଜାର ଲେଖାଏଁ ଟଙ୍କା । 1 ହଜାର 41 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର। ଏଥିରେ 51 ଲକ୍ଷ 54 ହଜାର 115 ଜଣ ଚାଷୀ ଉପକୃତ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରଙ୍କ ସିଏମ୍‌-କିଷାନ ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି। ଓୟୁଏଟି ସ୍ଥିତ କୃଷିଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି । ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯାଇଛି।

ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଛି। ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହୋଇଛନ୍ତି। ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି।