ଗରିବ ଲୋକ ପାଉନାହାନ୍ତି, ହେଲେ ୫.୭୫ ଲକ୍ଷ ମୃତକଙ୍କ ନାଁରେ ରାସନକାର୍ଡ ରହିଛି
ସୂଚନା ଦେଲେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଭୁବନେଶ୍ୱର: ରାସନ କାର୍ଡ ଇ-କେଓ୍ୱାଇସି ପରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ। ରାଜ୍ୟରେ ଅନେକ ଗରିବ ଅଛନ୍ତି ଯେଉଁମାନଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚି ପାରୁନାହିଁ। ହେଲେ ଏଠି ମଲା ଲୋକଙ୍କ ନାଁରେ ରାସନ କାର୍ଡ କରି ସରକାରୀ ଲାଭ ଉଠାଯାଉଛି।
ଜଣେ କି ଦୁଇ ଜଣ ନୁହେଁ ଏକାଥରେ ୫ ଲକ୍ଷ ୭୫ ହଜାର ମୃତକଙ୍କ ନାଁରେ ରହିଛି ରାସନ କାର୍ଡ। ଏକଥା ଆମେ କହୁନାହୁଁ ଖୋଦ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏପରି କିଛି ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନାନୁସାରେ, ରାସନ କାର୍ଡ ଇ-କେଓ୍ୱାଇସି ପରେ ସତ ସାମ୍ନାକୁ ଆସିଛି। ୫ ଲକ୍ଷ ୭୫ ହଜାର ମୃତକଙ୍କ ନାଁରେ ରାସନ କାର୍ଡ ଥିବା ସ୍ପଷ୍ଟ ହୋଇଛି।
ଏହାସହ ୧ ଲକ୍ଷ ୫ ହଜାର ଆୟକରଦାତା କାର୍ଡ ଫେରାଇଛନ୍ତି। ଏବଂ ୬ ଲକ୍ଷ ଗରିବ ଲୋକ ଏବେ କାର୍ଡ ପାଇଛନ୍ତି। ରାସନ କାର୍ଡ ଆବେଦନ କରି ଅପେକ୍ଷାରେ ୧୪ ଲକ୍ଷ ଲୋକ ଅଛନ୍ତି।
କେବଳ ସେତିକି ନୁହେଁ ଧନୀ ଲୋକ କାର୍ଡ ପାଇଥିଲେ ସେମାନଙ୍କ କାର୍ଡ କାଟିବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଅନ୍ତ୍ୟୋଦୟ କାର୍ଡ ମଧ୍ୟ ଧନୀ ଲୋକ ହାତେଇଛନ୍ତି। ସେମାନଙ୍କ କାର୍ଡ ମଧ୍ୟ କାଟିବାକୁ ଯୋଜନା ଚାଲିଛି। ଏନେଇ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।