fbpx

ଭିସୁଟରୁ ହଟିଲା କଣ୍ଟେନମେଣ୍ଟ କଟକଣା

ସମ୍ବଲପୁର,୩ ।୩(ଓଡିଶା ଭାସ୍କର): ବୁର୍ଲା ଭିସୁଟ ପରିସରରୁ ଆଜିଠାରୁ ହଟିଛି କଣ୍ଟେନମେଣ୍ଟ କଟକଣା । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ ଗତ ୨୭ ତାରିଖରୁ ଲାଗିଥିବା କଟକଣାକୁ ହଟାଇଛି ପ୍ରଶାସନ । ଭିସୁଟର ବିଭିନ୍ନ ହଷ୍ଟେଲରୁ କଣ୍ଟେନମେଣ୍ଟ ଜୋନ କଟକଣା ହଟିଛି । କଣ୍ଟେନମେଣ୍ଟ ହଟିବା ସତ୍ୱେ ୭ ଦିନ ଯାଏଁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ । ଏହା ସହ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ୭ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବେ ବୋଲି କୁଳପତି କହିଛନ୍ତି ।

ତେବେ ଭିସୁଟରେ ୨୫ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପ୍ରସଙ୍ଗରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ମାମଲାରେ ଗତକାଲି ସ୍ପଷ୍ଟୋକ୍ତି ରଖିଥିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଥିଲେ ଯେ, ‘କିଟ୍ ଖରାପ ଯୋଗୁଁ ରିପୋର୍ଟ ପଜିଟିଭ୍ ଆସିଥିଲା । ଆରଟି-ପିସିଆର ଟେଷ୍ଟରେ କେହି ପଜିଟିଭ୍ ଆସିନାହାନ୍ତି । ବୁର୍ଲା ଭିସୁଟରେ ଆଣ୍ଟିଜେନ ଟେଷ୍ଟ ପରେ ଛାତ୍ରଛାତ୍ରୀମାନଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା ।’ ଭିସୁଟ ହଷ୍ଟେଲରେ ପଜିଟିଭ ଚିହ୍ନଟ ପରେ ଆଖପାଖ ଅଞ୍ଚଳ ବନ୍ଦ ରହିଥିଲା । ଏପରିକି ଭିସୁଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।

 

Get real time updates directly on you device, subscribe now.