fbpx

ହାଇଦରକୁ ଖସାଇବା ପାଇଁ ଚାରି ମାସ ତଳୁ ଆରମ୍ଭ ହୋଇଥିଲା ଷଡଯନ୍ତ୍ର, ପରିବାର ଲୋକ ରହିଥିଲେ ସାମିଲ

କଟକ, ୧୭ ।୪ (ଓଡିଶା ଭାସ୍କର) : ଏପ୍ରିଲ୍ ୧୦ ତାରିଖରେ ହାଇଦରକୁ କଟକ ଏସସିବିରୁ ଯୋଜନା ମୁତାବକ ଖସାଇ ନିଆଯାଇଥିଲା । ତାକୁ ଖସାଇ ନେବାରେ ଧରମପୁଅ ଏବଂ କିଛି ସହଯୋଗୀ ମିଶି କଟକ ଜୋବ୍ରାରେ ଥିବା ଏକ ଭଡାଘରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ଆଉ ତାହା କଟକ ଏସସିବିରେ କାର୍ଯ୍ୟକାରୀ ହୋଇଥିଲା । ମାତ୍ର ୨ ରୁ ୩ ଘଣ୍ଟା ମଧ୍ୟରେ ସହଯୋଗୀ ମାନେ ହସ୍ପିଟାଲରୁ ହାଇଦର୍ କୁ ପୋଲିସ୍ ଜାଲରୁ ଖସାଇ ନେଇଥିଲେ । ସବୁ କିଛି ଏକଦମ୍ ଯୋଜନା ଅନୁସାରେ ହୋଇଥିଲା । ତେବେ ଏହି ଫେରାର୍ କରିବାର ବ୍ଲୁ-ପ୍ରିଣ୍ଟ ଚାରି ମାସ ତଳୁ ହିଁ ଆରମ୍ଭ ହୋଇଥିଲା ବୋଲି ଜଣାପଡିଛି । ଏହାର ମୁଖ୍ୟ ଯୋଜନାକାରୀ ହେଉଛି ହାଇଦର୍ ର ଧରମ ପୁଅ ମହମ୍ମଦ ଇମତିଆଜ୍ । ସେ ହିଁ ଷଡଯନ୍ତ୍ର କରି ହାଇଦର୍ କୁ ତେଲେଙ୍ଗାନା ପଠାଇ ଦେଇଥିଲା । ଆଉ ଏହା ପଛରେ କେବଳ ଧରମପୁଅ ନୁହେଁ ବରଂ ହାଇଦରର ନିଜ ପୁଅ, ପୁତୁରା, ଶଳା, ଭିଣେଇ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ସାମିଲ ଥିବା ସୁଚନାରୁ ଜଣାପଡିିଛି ।

ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ, ଗତ ୪ ମାସ ଧରି ଚାଲିଥିବା ଫେରାର୍ ଷଡଯନ୍ତ୍ରକୁ ରୁପ ଦେବା ପାଇଁ ହାଇଦର ୩ ମାସ ଭିତରେ ତୃତୀୟ ଥର ପାଇଁ କଟକ ଏସସିବିକୁ ଚିକିତ୍ସା ବାହାନାରେ ଆସିଥିଲା । ଯେଉଁ ପୁର୍ବ ଦୁଇ ଥର ଆସିଥିଲା । ସେଥିରେ ଯୋଜନା କାର୍ଯ୍ୟକାରୀ ହୋଇପାରିନଥିଲା । ହେଲେ ଏଥର ଯୋଜନା ସଫଳ ହୋଇଥିଲା । ହେଲେ କଟକ ପୋଲିସ୍ ତାକୁ କାବୁ କରିନେଇଥିଲା । ତେବେ ବିସ୍ତୃତ ରୁପେ କହିବାକୁ ଗଲେ ହାଇଦରକୁ ଖସାଇବାର ବ୍ଲୁ-ପ୍ରିଣ୍ଟ ଜାନୁଆରୀ ମାସରୁ କଟକ ଜୋବ୍ରାରେ ଥିବା ଭଡାଘରେ ତିଆରି ହୋଇଥିଲା । ଏହି ଘରେ ଧରମପୁଅ ମହମ୍ମଦ ଇମତିଆଜ୍ ରହୁଥିଲା । ଆଉ ଇମତିଆଜ୍ ମାଧ୍ୟମରେ ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ୍ ଖାଁ ହାଇଦର୍ ର ନିକଟତର ହୋଇଥିଲା । ହାଇଦର୍ ଯେତେବେଳେ ବି କଟକ ଏସସିବିକୁ ଆସୁଥିଲା ସେତେବେଳେ ୟାକୁବ୍ ହାତରେ ହାଇଦର୍ ପାଖକୁ ବିରିୟାନି ପଠାଉଥିଲା ଇମତିଆଜ୍ । ଏହି ଭଡାଘରେ ଇମତିଆଜ୍ ସମେତ ସାନପୁଅ ଚୁନ୍ନା ଏବଂ ଆଉ ଏକ ସହଯୋଗୀ କାଲା ମଧ୍ୟ ରହୁଥିଲା ।

ସୁଚନା ଅନୁସାରେ, କଟକ ହସ୍ପିଟାଲରୁ ହାଇଦର୍ ଅନେକ ଥର ଏହି ଭଡାଘରକୁ ଆସିଛି । ଆଉ ସେ ବି ଏହି ଫେରାର୍ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ ମଧ୍ୟ କରିଛି । ସେପଟେ ହାଇଦରର ମଝିଆ ପୁଅ କେନ୍ଦ୍ରାପଡାରେ ରହି ବାପା ଇସାରାରେ ଟଙ୍କା ଯୋଗାଡ କରୁଥିଲା । ଭଡ଼ାଘରେ ବସି ହାଇଦର ପ୍ଲାନ୍ ତିଆରି କରୁଥିବା ବେଳେ ତା’ର ଶଳା ଗୋରା କଟକ ଏସସିବି ମେଡିକାଲରୁ ନ୍ୟାସନାଲ ହାଇଓ୍ବେକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଭିଡିଓ କଲ ମାଧ୍ୟମରେ ଦେଖାଉଥିଲା । ପ୍ରଥମେ ଜାନୁଆରୀ ମାସରେ ଫେରାର୍ ପାଇଁ ଗୋଟିଏ ରୁଟ୍ ଫାଇନାଲ ହୋଇଥିଲେ ମଧ୍ୟ ଫେବ୍ରୁଆରୀରେ ରୁଟ୍ ବଦଳାଇଥିଲା ହାଇଦର । ଗୁରୁତ୍ୱପୁର୍ଣ୍ଣ କଥା ହେଉଛି, ଚିକିତ୍ସା ବାହାନାରେ ହାଇଦର ଦୁଇ ଦୁଇ ଥର ସମ୍ବଲପୁରରୁ କଟକ ଆସିଥିବା ବେଳେ ପ୍ରତିଥର ପୋଲିସ କନ୍ଷ୍ଟେବଲ ମହମ୍ମଦ ମୌସିମ ହିଁ ହାଇଦର ସହ ଏସକର୍ଟରେ ଆସିଥିବା କହିଛି ୟାକୁବ୍ । ଧରମପୁଅ ଇମତିଆଜ୍ ଫେରାର୍ ହୋଇଥିବା ଗାଡି ପ୍ରସ୍ତୁତ କରିଥିଲା । ଆଉ ପ୍ଲାନ୍ ମୁତାବକ ହାଇଦର ଫେରାର ହେବା ଦିନ ସକାଳୁ ଜୋବ୍ରାରେ ସେହି ଭଡ଼ାଘରକୁ ଛାଡ଼ି ଦେଇଥିଲେ ହାଇଦରର ସମ୍ପର୍କୀୟ ।

ଫେରାର୍ ହେବା ଦିନ ଏସସିବିରେ ଡ୍ୟୁଟିରେ ଥିବା ସୁରକ୍ଷା କର୍ମଚାରୀଙ୍କୁ ନିଶା ଦେଇ ଖସିଯାଇଥିଲା ହାଇଦର । ପ୍ରଥମେ କାର୍ ପରେ ବାଇକେ ଯୋଗେ ଚାଲିଯାଇଥିଲା । ସେ ତେଲେଙ୍ଗାନାରେ ଥିବା ନେଇ ୧୧ ତାରିଖରେ ସ୍ପଷ୍ଟ ସୂଚନା ମିଳିଥିଲା । ତାପରେ ତେଲେଙ୍ଗାନାରେ ପୋଲିସ୍ ତନ୍ନ ତନ୍ନ କରି ହାଇଦରକୁ ଖୋଜିଥିଲା । ୪ ଟି ଟିମ୍ ୪ ଭାଗରେ ବିଭକ୍ତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ୧୩, ୧୪, ୧୫ରେ ଅପରେସନକୁ ଜୋରଦାର କରାଯାଇଥିଲା । ଆମର ୨ଟି ଟିମ୍ ତେଲେଙ୍ଗାନା ଯାଇ ତନାଘନା କରିଥିଲେ । ଏହି ଟିମରେ ଥିଲେ ବାଦାମବାଡି ଥାନା ଆଇଆଇସି ଓ ଚାଉଳିଆଗଞ୍ଜ ଥାନା ଆଇଆଇସି । ଶେଷରେ ଦୀର୍ଘ ୫ ଦିନ ପରେ ତାଙ୍କୁ ତେଲେଙ୍ଗାନାର ସାଙ୍ଗାରେଡ୍ଡିରୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୋଲିସ । ବର୍ତ୍ତମାନ ସେ ଚୌଦ୍ୱର ଜେଲ୍ ରେ ରହିଛି । ଗତକାଲି ସେ କରୋନା ସଂକ୍ରମିତ ଥିବା ଜଣାପଡିବାପରେ ତାକୁ ଜେଲ୍ ରେ ଆଇସୋଲେସନରେ ରଖାଯାଇଛି । ଜେଲ୍ କର୍ତ୍ତୃପକ୍ଷ ମାନେ ତାର ଯତ୍ନ ନେଉଛନ୍ତି । ସେ ସୁସ୍ଥ ହେବା ପରେ ତାକୁ ରିମାଣ୍ଡରେ ନିଆଯିବ ବୋଲି ଡିସିପି କହିଛନ୍ତି ।

Get real time updates directly on you device, subscribe now.