fbpx

ମାସ୍କ ନ ପିନ୍ଧିଥିବା ପୋଲିସଙ୍କ ଫଟୋ ଉଠାଇ ହଟହଟା ହେଲେ ୨ ଛାତ୍ର

ଭୁବନେଶ୍ୱର,୧୮/୪: ମାସ୍କ ପିନ୍ଧିନଥିବା ପୋଲିସ ବାବୁଙ୍କ ଫଟୋ ଉଠାଇ ହଟ ହଟା ହୋଇଛନ୍ତି ଦୁଇ ଛାତ୍ର, ଖାଲି ସେତିକି ନ ଥାନାକୁ ମଧ୍ୟ ଯିବାକୁ ପଡିଥିଲା ଦୁଇ ଛାତ୍ରଙ୍କୁ । ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବୃଦ୍ଧି ପାଇବାରେ ଲାଗିଛି । ଆମ ରାଜ୍ୟରେ ମଧ୍ୟ ଦୈନିକ ୩୦୦୦ରୁ ଅଧିକ ସଂକ୍ରମଣ କେସ ସାମ୍ନାକୁ ଆସୁଛି । ସରକାର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି । ଏବଂ ଏଭଳି ସ୍ଥିତିରେ କରୋନାକୁ ରୋକିବା ପାଇଁ ପୋଲିସ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଛି ।

ମାତ୍ର ଗତ କାଲି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସର କାର୍ଯ୍ୟ ମଞ୍ଚେଶ୍ୱର ଥାନା ପୋଲିସର ପ୍ରକୃତ ଚେହେରାକୁ ସାମ୍ନାକୁ ଆଣିଛି । ମଞ୍ଚେଶ୍ୱର ଥାନା ପୋଲିସର ନିର୍ଯ୍ୟାତନାର ଶିକାର ହୋଇଛନ୍ତି ମଞ୍ଚେଶ୍ୱର ଚକେଇସିଆଣୀ ବସ୍ତିର ଦୁଇ ଛାତ୍ର ।

ଘଟଣା ଅନୁଯାୟୀ ଗତକାଲି ଉକ୍ତ ଦୁଇ ଛାତ୍ର ସେମାନଙ୍କ ଅନ୍ୟ ସାଙ୍ଗମାନଙ୍କ ସହ ମିଶି କୁଆଖାଇ ବନ୍ଧ ନିକଟରେ ଖେଳୁଥିଲେ ସେହି ସମୟରେ ସେଠାରେ ମଞ୍ଚେଶ୍ୱର ଥାନା ପୋଲିସର ଏକ ପିସିଆର ଭ୍ୟାନ ଆସି ପହଞ୍ଚିଥିଲା, ପିସିଆର ଭ୍ୟାନରେ ବସିଥିବା ପୋଲିସମାନେ ମାସ୍କ ପିନ୍ଧି ନଥିଲେ  । ଏହା ଦେଖି ପିଳାମାନେ ସେମାନଙ୍କୁ ସଚେତନ କରିବାପାଇଁ ଏକାଠି ହୋଇ ପିସିଆର ଭ୍ୟାନ ପାଖକୁ ଯାଇଥିଲେ  । ଏବଂ ତାଙ୍କୁ ପ୍ରଶ୍ନ କରିଥିଲେ ସରକାରଙ୍କ ଗାଇଡଲାଇନ ଅନୁସାରେ ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି ତାଙ୍କଠାରୁ ଆପଣମାନେ ଫାଇନ ଆଦାୟ କରୁଛନ୍ତି ହେଲେ ଆପଣମାନେ କାହିଁକି ମାସ୍କ ପିନ୍ଧି ନାହାଁନ୍ତି? ଏହି ସମୟରେ ଜଣେ ଛାତ୍ର ଏହାର ଫଟୋ ଉଠାଇବାକୁ ଲାଗିଥିଲେ । ଯାହାକୁ ନେଇ ପୋଲିସ ମାନେ ରାଗି ଯାଇଥିଲେ ଏବଂ ସେମାନଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ, ସେମାନଙ୍କ ହାବୁଡରେ ଦୁଇଜଣ ପଡିଯାଇଥିଲେ । ପୋଲିସ ସେମାନଙ୍କୁ ନିସ୍ତୁକ ପିଟିବା ସହ ଥାନାକୁ ନେଇଯାଇଥିଲେ ସେଠାରେ ସେମାନଙ୍କର ଫୋନ ଛଡାଇ ନେଇ ଯାଇଥିଲେ ଏବଂ ସେମାନଙ୍କର ଠିକଣା ଲେଖାଇଥିଲେ । ନିଜର ଘର ଲୋକଙ୍କୁ ଡକାଇବାକୁ ମଧ୍ୟ କହିଥିଲେ  । ଘର ଲୋକଙ୍କୁ ନଜଣାଇ ସେମାନଙ୍କୁ ଛାଡି ଦେବା ପାଇଁ ଦୁଇ ଛାତ୍ର ଅନୁରୋଧ ହୋଇଥିଲେ ମଧ୍ୟ ପୋଲିସ କିଛି ଶୁଣି ନଥିଲା ।

ତେବେ ଏହି ଘଟଣା ସଂପର୍କରେ ଥାନାର ଭାରପ୍ରାପ୍ତ ଅଧିକାରୀ ଷ୍ଟାଲିନ କୁମାର ବିଶ୍ୱାଳ କୋଭିଡ ଡ୍ୟୁଟିରେ ଥିବାକୁ ଏ ସଂପର୍କରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ଘଟଣା ସଂପର୍କରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି ସେ ଏହା ବିଷୟରେ ଅବଗତ ନାହାଁନ୍ତି । ଏହାର ତଦନ୍ତ କରାଯିବ ।

Get real time updates directly on you device, subscribe now.