fbpx

ବାଲ୍ୟ ବିବାହର ପେଣ୍ଠସ୍ଥଳୀ ପାଲଟିଛି ସୁକିନ୍ଦା, ବର୍ଷେ ଭିତରେ ୧୦୧ ବିବାହ

କଳିଙ୍ଗନଗର : ଦଶନ୍ଧି ପରେ ଦଶନ୍ଧି ବିତି ଚାଲିବା ସହ ଲୋକ ମାନେ ଆଧୁନିକ ଯୁଗରେ ଆସି ଉପନୀତ ହେଲେଣି । ହେଲେ ଆଜି ଯାଏ କିଛି ଏମିତି ଅଞ୍ଚଳ ରହିଛି ଯେଉଁଠାରେ ଏପର୍ଯ୍ୟନ୍ତ ଲୋକମାନେ ବାଲ୍ୟ ବିବାହକୁ ବିଶ୍ୱାସ କରୁଛନ୍ତି । ଆଉ ଏହି ଘୃଣ୍ୟ ପ୍ରଥା ପ୍ରଚଳିତ ମଧ୍ୟ ହେଉଛି । ଏହିପରି ଏକ ସ୍ଥାନ ହେଉଛି ସୁକିନ୍ଦା । ଯାଜପୁର ଜିଲ୍ଳାର ସୁକିନ୍ଦା ଏବେ ବାଲ୍ୟ ବିବାହର ପେଣ୍ଠସ୍ଥଳୀ ପାଲଟିଛି । ଏଠାରେ ୨୦୨୦ରୁ ମାର୍ଚ୍ଚ ୨୦୨୧ ମାର୍ଚ୍ଚ ମଧ୍ୟରେ ବ୍ଲକରେ ୧୦୧ ଯୋଡି ବାଲ୍ୟ ବିବାହ ହୋଇଛି । ଏନେଇ ଆସପେୟାର ନାମକ ଏକ ଏନଜିଓ ସଂସ୍ଥା ରିପୋର୍ଟରୁ ପ୍ରକାଶ ପାଇଛି । ଏହି ସଂସ୍ଥା ଉକ୍ତ ଅଞ୍ଚଳରେ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ସହ ମିଶି ପ୍ରାୟ ୫୮ଟି ବାଲ୍ୟ ବିବାହକୁ ବନ୍ଦ କରିବାରେ ସଫଳ ହୋଇଛନ୍ତି । ହେଲେ ସେଥିମଧ୍ୟରୁ କିଛି ବିବାହ ପରବର୍ତ୍ତୀ ସମୟରେ ହୋଇଯାଇଥିବା ଜଣାପଡିଛି । ସେଠାକାର ଲୋକ ମାନେ ଏଯାବତ୍ ଏଭଳି ଏକ ସମାଜ ବିରୋଧୀ ପ୍ରଥାକୁ ଜାବୁଡି ଧରି ବସିଛନ୍ତି ।

ଯାଜପୁର ଜିଲ୍ଲା ସୁକିନ୍ଦାକୁ ରାଜ୍ୟ ସରକାର ଏକ ବିକଶିତ ଅଞ୍ଚଳରେ ପରିଣତ କରିବା ପାଇଁ ଅନେକ ପ୍ରୟାସ କରୁଛନ୍ତି । ଲୋକଙ୍କ ଜୀବନଶୈଳୀକୁ ଉନ୍ନତ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଯେପରିକି ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ଦାରିଦ୍ର ଦୂରୀକରଣ, ଖାଦ୍ୟ ଓ ସୁରକ୍ଷା, ମାଗଣା ରାସନ ସମାଗ୍ରୀ ବଣ୍ଟନ ଆଦି କ୍ଷେତ୍ରରେ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି । ହେଲେ ଏତେ ସବୁ ପରେ ବି କିଛି ସମ୍ପ୍ରଦାୟର ଲୋକ ମାନେ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ଭଳି ଜିନିଷର ବଶବର୍ତ୍ତି ହୋଇ ସମାଜ ବିରୋଧୀ ପନ୍ଥାକୁ ଆପଣାଉଛନ୍ତି । ଯାହା ଫଳରେ ଏହି ଅନ୍ଧବିଶ୍ୱାସ ଚିଙ୍ଗୁଡିପାଳ ପଞ୍ଚାୟତ, ନଗଡା, ଜୁଆଙ୍ଗ, ସଂସାଇଲୋ, କାଙ୍କଡପାଳ, ଓଳିଆ, ରାଁସୋଳ, ପିମ୍ପୁଡିଆ, ବନ୍ଧଗାଁ, ଗୋବରଘାଟି, କାଳିଆପାଣି, ଦୁଧୁଯୋରର, ଆମ୍ପୋଳବା, ପିଙ୍ଗଲ, ଖରଡି, ହାତିବାରୀ, କଅଁସ ଏବଂ ସୁକିନ୍ଦା ପଞ୍ଚାୟତର ସଦର ମହକୁମା ପଞ୍ଚାୟତ ସୁକିନ୍ଦାଗଡ ଭଳି ପଞ୍ଚାୟତରେ ବାଲ୍ୟ ବିବାହ ଭଳି ପ୍ରଥା କାୟା ମେଲାଇଛି । ଏହି ସବୁ ମଫସଲ ଅଞ୍ଚଳ ଗୁଡିକରେ ୬ଷ୍ଠ ଶ୍ରେଣୀରୁ ୧୦ମ ଶେଣ୍ରୀ ପିଲାମାନଙ୍କୁ ବିବାହ କରିଦେଉଛନ୍ତି । ଏହାର ସଂଖ୍ୟା ଆସି ୧୦୧ ରେ ପହଞ୍ଚିଲାଣି । ଏହିସବୁ ଅଞ୍ଚଳରେ ଏନଜିଓ ଏବଂ କିଛି ସଂସ୍ଥା ଯାଇ ସଚେତନ କଲେ ସୁଦ୍ଧା ଏମାନେ ବୁଝିବାକୁ ନାରାଜ ।

ତେବେ କେବଳ ସୁକିନ୍ଦା ନୁହେଁ ଦାନବଦି ବ୍ଲକରେ ମଧ୍ୟ ୨୦୨୦ ମାର୍ଚ୍ଚରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ୭୭ଟି ବାଲ୍ୟ ବିବାହ କରାଯାଇଛି । ଏଠାକୁ ଯାଉ ୨୯ଟି ବିବାହକୁ ଏନଜିଓ ବନ୍ଦ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ବିବାହ କରାଯାଇଥିବା ଜଣାପଡିଛି । ସେପଟେ ଏହିସବୁ କୁ ରୋକିବାକୁ ସ୍ଥାନୀୟ ପୋଲିସ୍ ଚେଷ୍ଠିତ ନଥିବାରୁ ଅନେକ ପିଲାଙ୍କ ଜୀବନ ଏହି ଅନ୍ଧବିଶ୍ୱାସ ପ୍ରଥାରେ ନଷ୍ଟ ହୋଇଯାଉଛି । ସେହିପରି ଉକ୍ତ ଅଞ୍ଚଳର ଅଙ୍ଗନୱାଡୀ କର୍ମୀ ମାନେ ବିବାହକୁ ରୋକିବାକୁ ଚେଷ୍ଟା କଲେ ବାଲ୍ୟ ବିବାହ କରୁଥିବା ପରିବାର ଲୋକଙ୍କ ଆକ୍ରମଣର ଶିକାର ହେଉଛନ୍ତି । ପୋଲିସ୍ ହସ୍ତକ୍ଷେପ କରୁନଥିବାରୁ ଲୋକେ ବିନା ଭୟରେ ବିବାହ କରିବାକୁ ସାହାସ କରୁଛନ୍ତି ।

Get real time updates directly on you device, subscribe now.