fbpx

ବନ୍ଧୁକ ମୁନରେ ୨୨ଶିଶୁଙ୍କୁ ବନ୍ଧକ ଘଟଣା: ଅଭିଯୁକ୍ତ ନିହତ, ବନ୍ଧକ ମୁକୁଳିଲେ

ଫାରୁଖାବାଦ, ୩୧ା୧: ଉତ୍ତରପ୍ରଦେଶର ଫାରୁଖାବାଦ ଜିଲ୍ଲା ଅନ୍ତର୍ଗତ କଥରିଆ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ସୁବାସ ବାଥମ୍ ନାମକ ଜଣେ ଦୁର୍ବୃତ୍ତ ୨୨ଜଣ ଶିଶୁଙ୍କୁ ନିଜ ଝିଅର ଜନ୍ମଦିନ ବାହାନାରେ ଘରକୁ ଡକାଇ ଏକ କୋଠରୀ ମଧ୍ୟରେ ବନ୍ଧୁକ ଦେଖାଇ ବନ୍ଧକ କରି ରଖିଥିଲା । ମଝିରେ ମଝିରେ ସେହି ଘର ମଧ୍ୟରୁ ଗୁଳିଚାଳନା ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଥିଲା । ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ଓ ଏଟିଏସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ମଧ୍ୟରାତ୍ରୀ ପ୍ରାୟ ୧ଟା ୩୦ ମିନିଟ୍‌ରେ ସୁରକ୍ଷାକର୍ମୀମାନେ ଅପରେସନ୍ ଆରମ୍ଭ କରି ଅଭିଯୁକ୍ତକୁ ନିହତ କରିବା ସହ ଶିଶୁ ଓ କେତେକ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଅଭିଯୁକ୍ତଠାରୁ ଶିଶୁମାନଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିବା ପାଇଁ ପୋଲିସ ଓ ଏଟିଏସ୍‌କୁ ନାକେଦମ୍ ହେବାକୁ ପଡ଼ିଥିଲା । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀମାନେ ଅଭିଯୁକ୍ତକୁ ଆତ୍ମସମର୍ପଣ କରିବା ସହ ଶିଶୁମାନଙ୍କୁ ସୁରକ୍ଷିତ ଭାବେ ଛାଡ଼ିବାକୁ କହିଥିଲେ ମଧ୍ୟ ସେ ଶୁଣି ନଥିଲା । ଶେଷରେ ବାଧ୍ୟହୋଇ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଥିଲା । ସୁରକ୍ଷାକର୍ମୀଙ୍କ ଏହି କାର୍ଯ୍ୟାନୁଷ୍ଠାନରେ ଅଭିଯୁକ୍ତ ନିହତ ହୋଇଛି । ପ୍ରକାଶଯୋଗ୍ୟ, ଶିଶୁଙ୍କୁ ବନ୍ଧକ ରଖିବା ସମୟରେ ଅଭିଯୁକ୍ତ ସୁବାଷ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିଚାଳନା ସହ ବୋମା ମଧ୍ୟ ମାଡ କରିଥିଲା । ଘଟଣାକୁ ଆଖିଆଗରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରିଷ୍ଠ ଅଧିକାରୀଙ୍କ ଏକ ଜରୁରି ବୈଠକ ମଧ୍ୟ ଡକାଇଥିଲେ । ତୁରନ୍ତ ଶିଶୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଉପରେ ଜୋର୍ ଦିଆଯାଇଛି । ଅଭିଯୁକ୍ତ ସୁବାସର ବୋମାମାଡ ଫଳରେ ଏକ ପାଚେରୀ ଭୁଷୁଡି ପଡିଥିବାବେଳେ ୨ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଅଭିଯୁକ୍ତ ଜଣକ ପୂର୍ବରୁ ଅନ୍ୟ ଏକ ମାମଲରେ ଗିରଫ ମଧ୍ୟ ହୋଇଥିଲା ।ସେହି ଅଞ୍ଚଳର ଜଣେ ବ୍ୟକ୍ତି ଉଦ୍ଦେଶ୍ୟମୂଳକଭାବେ ରାଗ ରଖି ଅଭିଯୁକ୍ତକୁ ଗିରଫ କରାଇଥିଲେ ବୋଲି ସେ ଭାବି ଏପରି କରିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.