fbpx

‘ଜଙ୍ଗଲ କ୍ରାଏ’କୁ ମିଳିଲା ଦାଦା ସାହେବ ଫାଲ୍କେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ବର: କିସ୍ ରଗ୍ବୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’ ପାଇଲା ଦାଦା ସାହେବ ଫାଲକେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର । ଏକାଦଶ ଦାଦା ସାହେବ ଫାଲ୍କେ ଫିଲ୍ମ ଫେଷ୍ଟିଭାଲ ୨୦୨୧ ଅବସରରେ ଜୁରୀ ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜଙ୍ଗଲ କ୍ରାଏକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କିସ୍ର ୧୨ଜଣ ଛାତ୍ରଙ୍କୁ ନେଇ ଗଠିତ କିସ୍ ରଗ୍ବୀ ଦଳ ୨୦୦୭ରେ ଇଂଲଣ୍ଡରେ ଯେଭଳି ୧୪ ବର୍ଷରୁ କମ୍ ଆନ୍ତର୍ଜାତୀୟ ରଗ୍ବୀ ଚାମ୍ପିଅନ୍ ହେଲେ ସେହି ସତ୍ୟ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ହେଉଛି ‘ଜଙ୍ଗଲ କ୍ରାଏ’ ।

ସୁଚନାଯୋଗ୍ୟ, ଜନଜାତି ଛାତ୍ରଛାତ୍ରୀଙ୍କୁ ନେଇ ଗଢ଼ି ଉଠିଥିବା କିସ୍ ଅନୁଷ୍ଠାନ ଶିକ୍ଷା, କ୍ରୀଡ଼ା ସହ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଆସିଛି । ୨୦୦୫ ମସିହାରେ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସରେ ରଗ୍ବୀକୁ ସୁଯୋଗ ଦେଇଥିଲେ । ୨୦୦୭ରେ କିସ୍ର ୧୨ ଛାତ୍ରଙ୍କୁ ନେଇ ଗଠିତ ଭାରତୀୟ ୧୪ବର୍ଷରୁ କମ୍ ରଗ୍ବୀ ଦଳ ଆନ୍ତର୍ଜାତିକ ରଗ୍ବୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଉ ଏହି ରଗ୍ବୀ ଦଳକୁ ବିଶ୍ୱସ୍ତରରେ ନିଜକୁ ପ୍ରମାଣିତ କରିବା ପାଇଁ ଇଂଲଣ୍ଡ ପଠାଇଥିଲେ ଶ୍ରୀ ସାମନ୍ତ । ସେଠାରେ କିସ୍ ରଗ୍ବୀ ଦଳ ଅତି ଚମତ୍କାର ଭାବେ ପ୍ରଦର୍ଶନ କରି ବିଶ୍ୱ ଚାମ୍ପିଅନ୍ ହୋଇଥିଲା । ‘ଜଙ୍ଗଲ କ୍ରାଏ’ର ସଫଳତାରେ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଯୋଜକ ପ୍ରଶାନ୍ତ ସାହ ଓ ନିର୍ଦ୍ଦେଶକ ସାଗର ବାଲାରିଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ସେମାନେ କିସ୍ର ସ୍ୱପ୍ନକୁ ସାକାର କରି ଏହା ଉପରେ ଏକ ଚଳଚ୍ଚିତ୍ର ନର୍ମାଣ କରିପାରିଛନ୍ତି ।

Get real time updates directly on you device, subscribe now.