କରୋନା ଜୁଗାଡ୍: କାରରେ ହୋଟେଲ୍ ଡାଇନିଂର ମଜା, ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ୱର : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ତେଣୁ ଗତବର୍ଷ ପରି ଏବର୍ଷ ମଧ୍ୟ ଲୋକମାନେ ନିଜ ନିଜ ଘରେ ବନ୍ଦ ହୋଇଯାଇଛନ୍ତି । ଏହି ସମୟରେ କେବଳ ଜରୁରୀ ନଥିଲେ ଘରୁ ନ ବାହାରିବାକୁ ଲୋକମାନଙ୍କୁ ଅପିଲ୍ କରିଛନ୍ତି କେନ୍ଦ୍ର ତଥା ରାଜ୍ୟ ସରକାର । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ହୋଟେଲ୍ ଗୁଡିକୁ ମଧ୍ୟ ଡାଇନିଂ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି । ଏହିଭଳି ସମୟରେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ ନିଜ ହିସାବରେ ଜୁଗାଡ କରୁଥିବା ଦେଖିବାକୁ ମିଳିଛି ।

ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଦୁଇ ଜଣ ଯୁବକ ହୋଟେଲ୍ ଡାଇନିଂର ମଜା ନେବାକୁ ଯାଇ କାର୍ ରେ ହିଁ ଡାଇନିଂର ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳିଛି । ହୋଟେଲ୍ ରେ ଖାଦ୍ୟ ଖାଇବା ଦ୍ୱାରା ଯଦି ସଂକ୍ରମଣର ଆଶଙ୍କା ରହୁଛି ତେବେ ସେହି ଖାଦ୍ୟକୁ ହୋଟେଲରୁ ଅର୍ଡର କରି କାର୍ ରେ ଖାଇଲେ ତ କିଛି ଅସୁବିଧା ନାହିଁ । ଭିଡିଓରେ ଏହି ପନ୍ଥାକୁ ଆପ୍ଲାଏ କରିଛନ୍ତି ଦୁଇ ଯୁବକ । ତେବେ ଏହି ଭିଡିଓକୁ ଜଣେ ଆଇପିଏସ୍ ଅଫିସର୍ ସେୟାର କରିଛନ୍ତି । ଆଉ କ୍ୟାପସନ୍ ରେ ଲେଖିଛନ୍ତି, “ହ୍ୟାସଟ୍ୟାଗ୍ କୋଭିଡ୍ ଜୁଗାଡ: କୋଭିଡ୍ ଯୋଗୁଁ ବାହାରେ ଯାଇ ଖାଇବା ସୁରକ୍ଷିତ ନୁହେଁ । ହେଲେ କିଛି ଲୋକ ଅଭିନବ ଚିନ୍ତାଧାରା ବାହାର କରୁଛନ୍ତି । ଏହା ବି ହେଉଛି ଏକ ଅଭିନବ ଉପାୟ । ଯେକେହି ବି ଏହାକୁ କରିପାରିବେ” ।

ଏହି ଭିଡିଓରେ ଆପଣ ମାନେ ଦେଖିବାକୁ ପାଇବେ ଯେ, ଦୁଇଜଣ ଯୁବକ କାରରେ ବସିଛନ୍ତି । ହୋଟେଲର ୱେଟର୍ ଆସି ସେମାନଙ୍କ କାର୍ ରେ ଡାଇନିଂ ଲଗାଉଛି ତାପରେ ଖାଇବା ଆଣି ସେହି ମିନି ଡାଇନିଂରେ ବାଢ଼ୁଛି । ଏହାପରେ ଦୁଇଜଣ ଯୁବକ ଖୁବ୍ ମଜାରେ ଖାଇବା ଖାଦ୍ୟ ଖାଉଛନ୍ତି ।