ନୂଆଦିଲ୍ଲୀ: ଶିଶୁଙ୍କୁ ନେଇ ପୂର୍ବରୁ କରାଯାଉଥିବା ଆଶଙ୍କାର ପରିସମାପ୍ତି ଘଟିଛି । ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଆଗକୁ ଆସିବାକୁ ଥିବା ତୃତୀୟ ଲହରରେ ଶିଶୁମାନେ ବେଶିମାତ୍ରାରେ ସଂକ୍ରମିତ ହେବେ ବୋଲି ଆଶଙ୍କା କରାଯାଉଥିଲା । ତେବେ ଏହି ବିପଦର ସମ୍ଭାବନା ନାହିଁ । ଶିଶୁମାନେ ତୃତୀୟ ଲହରରେ ସୁରକ୍ଷିତ ରହିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହି ବିଷୟରେ ବହୁବାର ରିସର୍ଚ୍ଚ କରାଯାଇଥିଲା । ପୃଥିବୀର ବିଭିନ୍ନ ଦେଶର ଗବେଷଣା ଓ ତଥ୍ୟକୁ ନେଇ ବିଚାର କରାଯାଇଥିଲା ।
କୋଭିଡର ତୃତୀୟ ଲହରେ ଶିଶୁମାନେ ବେଶିମାତ୍ରାରେ ଆକ୍ରାନ୍ତ ହେବା ନେଇ ବିଗତ କିଛି ଦିନ ଧରି ଜୋରସୋରରେ ଆଲୋଚନା ଜାରି ରହିଥିଲା । ପ୍ରଥମ ଲହରରେ ବୃଦ୍ଧ ଓ ଦ୍ୱିତୀୟ ଲହରରେ ଯୁବପୀଢ଼ି ବେଶି ପ୍ରଭାବିତ ହୋଇଥିଲେ । ଏହି ଦୁଇ ଲହରରେ ଶିଶୁମାନେ କମ୍ ସଂକ୍ରମିତ ହୋଇଥିଲେ । ତେବେ ଶିଶୁଙ୍କ ଠାରେ ରହିଥିବା ପ୍ରକୃତିଦତ୍ତ ରୋଗ ପ୍ରତିରୋଧକ କ୍ଷମତା କାରଣରୁ ଏହି ସଂକ୍ରମଣ ଆଶଙ୍କା ହ୍ରାସ ପାଇଥିବା ଇଣ୍ଡିଆନ ଏକାଡେମି ଅଫ୍ ଫେଡିଆଟ୍ରିକ୍ସ (ଆଇଏପି) ପକ୍ଷରୁ କୁହାଯାଇଛି । ତେବେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ସିଧାସଳଖ କହିଛନ୍ତି ଯେ, ପ୍ରଥମ ଦୁଇଟି ଲହର ପରି ତୃତୀୟ ଲହରରେ ଶିଶୁମାନେ ଗମ୍ଭୀର ଭାବେ ସଂକ୍ରମିତ ହେବାର ଆଶଙ୍କା କମ୍ । ତଥାପି ପିତାମାତା ଓ ଅଭିଭାବକମାନେ ଶିଶୁମାନଙ୍କର ଯତ୍ନ ନେବା ସହ କୋଭିଡ୍ ନିୟମ ପାଳନ କରିବା ଦରକାର ବୋଲି ଗୁଲେରିଆ କହିଥିଲେ ।