fbpx

ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୋଦି

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର):  ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଭୁବନେଶ୍ୱରରେ ପହଞ୍ଚି ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଏହା ପରେ ସେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା ଅଞ୍ଚଳକୁ ଆକାଶମାର୍ଗରୁ ଅନୁଧ୍ୟାନ କରି ସ୍ଥିତି ସମୀକ୍ଷା କରିବେ । ପରେ ସେ ପଶ୍ଚିମବଙ୍ଗ ଯାଇ ପୂର୍ବ
ମେଦିନିୁର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ଦେଖିବେ । ଏହା ପରେ ଦୁଇ ରାଜ୍ୟ ପାଇଁ ପ୍ୟାକେଜ୍‌ ଘୋଷଣା କରିାରନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ ୟଶ୍ ବାତ୍ୟାର ପ୍ରଭାବ ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି, କ୍ଷୟକ୍ଷତି ଆକଳନ ଏବଂ ତତ୍‌ସଂକ୍ରାନ୍ତ ବିଷୟର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ । ଓଡ଼ିଶା ଓ ପଶ୍ଚିମବଙ୍ଗରେ ୪୬ଟି ଲେଖାଏଁ ଦଳ ସହିତ ଏନ୍‌ଡିଆର୍‌ଏଫ୍‌ର ମୋଟ ୧୦୬ଟି ଦଳ ନିୟୋଜିତ କରାଯାଇଥିଲା । ଏମାନେ ଏକ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ସହିତ ରାସ୍ତା ଅବରୋଧ କରିଥିବା ୨୫୦୦ ଗଛ/ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ପଦକ୍ଷେପ ନେଇଥିଲେ । ସ୍ଥଳ ସେନା ଓ ତଟରକ୍ଷୀ ବାହିନୀ ପକ୍ଷରୁ ଅସହାୟ ଲୋକମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନୌସେନା ଓ ବାୟୁସେନାକୁ ସଜାଗ ରଖାଯାଇଥିଲା । ୟଶ୍ ବାତ୍ୟା ଯିବା ପରେ ରାଜ୍ୟଗୁଡ଼ିକ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ କରାଯାଇଛି ।

ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି ଯେ, ସଠିକ୍‌ ପୂର୍ବାନୁମାନ, ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ପ୍ରଭାବୀ ଢଙ୍ଗରେ ସୂଚୀତ କରିବା ଓ ଠିକଣା ସମୟରେ ଉଦ୍ଧାର କରିବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାରୀ ଏଜେନ୍ସି ଗୁଡ଼ିକ ସୁନିଶ୍ଚିତ ପଦକ୍ଷେପ ନେବା କାରଣରୁ ଧନଜୀବନ ହାନିକୁ ସର୍ବନିମ୍ନସ୍ତରରେ ରଖାଯାଇପାରିଛି । ତେବେ ବନ୍ୟା କାରଣରୁ କ୍ଷୟକ୍ଷତିକୁ ଏବେ ଆକଳନ କରାଯାଉଛି । ଅଧିକାଂଶ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଓ ଟେଲି ଯୋଗାଯୋଗ ସେବାକୁ ସ୍ୱାଭାବିକ କରାଯାଇପାରିଛି । ବାତ୍ୟା ଯୋଗୁ ଦେଖାଦେଇଥିବା ଆହ୍ୱାନର ମୁକାବିଲା କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରୀ ଏଜେନ୍ସି ଗୁଡ଼ିକ ପ୍ରଭାବୀ ଓ ସକ୍ରିୟ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ତେବେ ପ୍ରଭାବିତ ଅଞ୍ଚଳରେ ସାଧାରଣ ଜନଜୀବନକୁ ସ୍ୱାଭବିକ କରିବା ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଲାଗି ସେ ସମ୍ପୃକ୍ତ ଏଜେନ୍ସି ଗୁଡ଼ିକୁ ପରାମର୍ଶ ଦେଇଛନ୍ତି ।

ସେହିପରି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଉପଯୁକ୍ତ ଭାବେ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ଶକ୍ତି ସଚିବ, ଟେଲି ଯୋଗାଯୋଗ ସଚିବ, ଆଇଏମ୍‌ଡି ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.