fbpx

ଯନ୍ତ୍ରଣା ବଖାଣିଲେ ରବୀନ୍ଦ୍ର ଜାଡେଜା, ଦଳରୁ ବାଦ୍ ପଡିବା ପରେ ଦେଢ ବର୍ଷ ପର୍ଯ୍ୟନ୍ତ ଶୋଇ ପାରିନଥିଲେ

ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟିମ୍‌ର ଷ୍ଟାର ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଜୋରଦାର ପ୍ରସ୍ତୁତି କରୁଛନ୍ତି । ୨୦୧୮ ଇଂଲଣ୍ଡ ଗସ୍ତ ପୂର୍ବରୁ ଜାଜେଜା ଦୀର୍ଘ ସମୟ ଧରି ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳରୁ ବାହାରେ ଥିଲେ । ଦଳରେ ସାମିଲ ଥାଇ ବି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ପାରୁନଥିଲେ । ଇଂଲଣ୍ଡ ଗସ୍ତ ଜାଡେଜାଙ୍କ କ୍ୟାରିୟରରେ ନୂତନ ମୋଡ ଆଣିଥିଲା । ଏବେ ଜାଡେଜା ଭାରତକୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ବିଜୟୀ କରାଇବାକୁ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି । ଜାଡେଜା ଭରାତୀୟ ଦଳର ସେହି ବଛା ବଛା ଖେଳାଳିଙ୍କ ମଧ୍ୟରୁ ଜଣେ ଯିଏ ତିନୋଟି ଫର୍ମାଟରେ ଦଳର ପ୍ରତିନିଧିତ୍ୱ କରୁଛନ୍ତି ।

ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ଜାଡେଜାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣ ୧୮ ମାସ ପର୍ଯ୍ୟନ୍ତ ଭାରତୀୟ ଦିନିକିଆ ଓ ଟେଷ୍ଟ ଦଳରୁ ବାହାରେ ଥିଲେ । ଏହା ପରେ ଆପଣ ଜୋରଦାର ପ୍ରତ୍ୟାବର୍ତନ କେମିତି କଲେ ? ଏହାର ଉତରରେ ଜାଡେଜା କହିଛନ୍ତି, ସତ କହିବାକୁ ଗଲେ ଏହି ଦେଢ ବର୍ଷ ରାତିରେ ନିଦ ଆସିନଥିଲା । ମୁଁ ଠିକରେ ଶୋଇ ପାରୁନଥିଲି । ମୁଁ ଚିନ୍ତା କରୁଥିଲି ଯେ, କଣ କରିବି, ଦଳକୁ କେମିତି ପ୍ରତ୍ୟାବର୍ତନ କରିବି ? ମୁଁ ଟେଷ୍ଟ ଦଳରେ ଥିଲି ମାତ୍ର, ଖେଳି ପାରୁନଥିଲି । ମୁଁ ଦିନିକିଆ ଦଳରୁ ବାଦ୍ ପଡିଥିଲି । ଘରୋଇ କ୍ରିକେଟ୍ ମଧ୍ୟ ଖେଳୁନଥିଲି । କାରଣ ମୁଁ ଭାରତୀୟ ଦଳ ସହ ଯାତ୍ରା କରୁଥିଲି । ମୋତେ ନିଜକୁ ସାବ୍ୟସ୍ତ କରିବା ପାଇଁ ସୁଯୋଗ ମିଳୁନଥିଲା । ମୁଁ ଚିନ୍ତା କରୁଥିଲି ଯେ, ମୁଁ ଚୂଡାନ୍ତ ଏକାଦଶକୁ କେମିତି ଫେରିବି ।

୨୦୧୮ ଓଭାଲ ଟେଷ୍ଟରେ ୩୩୨ ରନର ପିଛା କରୁଥିବା ଭାରତୀୟ ଦଳ ୬ ୱିକେଟ୍ ହରାଇ ୧୬୦ ରନ କରି ସଂଘର୍ଷ କରୁଥିଲା । ସେହି ସଙ୍କଟ ସମୟରେ ଜାଡେଜା ୮୬ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିିଥିଲେ । ତାଙ୍କ ପ୍ରଦର୍ଶନରେ କୋଚ୍ ରବି ଶାସ୍ତ୍ରୀ କହିଥିଲେ ଯେ, ଏହି ଅଲରାଉଣ୍ଡର ବିଶ୍ୱର ଯେ କୌଣସି ସ୍ଥାନରେ ମଧ୍ୟ ଖେଳି ପାରିବ । ଏହି ମ୍ୟାଚକୁ ନେଇ ଜାଡେଜା କହିଛନ୍ତି, ସେହି ଟେଷ୍ଟ ମ୍ୟାଚ୍ ମୋ ପାଇଁ ସବୁ କିଛି ବଦଳାଇ ଦେଲା । ପୁରା ଖେଳ, ମୋର ପ୍ରଦର୍ଶନ, ମୋର ଆତ୍ମ ବିଶ୍ୱାସ, ସବୁ କିଛିରେ ନୂତନ ମୋଡ ଆଣିଥିଲା । ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ନିଜର ଆତ୍ମ ବିଶ୍ୱାସ ବୃଦ୍ଧି ଘଟେ ଏବଂ ଏହା ପରବର୍ତୀ ମ୍ୟାଚ୍ ପାଇଁ ଦୃଢତା ପ୍ରଦାନ କରେ ବୋଲି ଜାଡେଜା କହିଛନ୍ତି ।

ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେଲେ ଏବଂ ମୁଁ ଦିନିକିଆକୁ ପ୍ରତ୍ୟାବର୍ତନ କଲି । ତେବେଠୁ ମୁଁ ଭଲ ପ୍ରଦର୍ଶନ କରି ଆସୁଛି । ମୋର ମନେ ଅଛି, ଯେବେ ମୁଁ ଉକ୍ତ ଟେଷ୍ଟରେ ବ୍ୟାଟିଂ କରିବାକୁ ଓହ୍ଲାଇଲି ମନରେ କିଛି ଯୋଜନା ନଥିଲା । ମୁଁ କ୍ରିଜରେ ସମୟ ନେଲି ଏବଂ ଡେବ୍ୟୁ କରିଥିବା ହନୁମା ବିହାରୀଙ୍କୁ ମଧ୍ୟ ଏମିତି କରିବାକୁ କହିଥିଲି ବୋଲି ଜାଡେଜା କହିଛନ୍ତି ।

Get real time updates directly on you device, subscribe now.