fbpx

ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପ୍ରୟାସ ବୃଥା, ଖାଲି ହାତରେ ଡୋମିନିକାରୁ ଉଡାଣ ଭରିଲା ଭାରତୀୟ ବିମାନ !

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି । କିନ୍ତୁ ଚୋକସିକୁ ଆଣିବା ପାଇଁ ଗତ ସପ୍ତାହରେ ଦସ୍ତାବିଜ ସହ ଡୋମିନିକା ଯାଇଥିବା ଭାରତର ପ୍ରାଇଭେଟ୍ ବିମାନ ବର୍ତମାନ ଖାଲି ହାତରେ ସେଠାରୁ ଉଡାଣ ଭରିଛି । ସୂଚନା ଅନୁଯାୟୀ, ଗୁରୁବାର ସ୍ଥାନୀୟ ସମୟନୁସାରେ ରାତି ୮ଟା ୧୦ରେ ଡୋମିନିକାରୁ ବିମାନ ଉଡାଣ ଭରି ସାରିଛି । କିନ୍ତୁ ବିମାନର ଗନ୍ତବ୍ୟସ୍ଥଳ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁଁ । କେବଳ ଏହା ସ୍ପଷ୍ଟ ଯେ, ବିମାନ ଡୋମିନିକା ଛାଡି ସାରିଛି ।

ସୂଚନାଯୋଗ୍ୟ, ଭାରତ ଜନ୍ମିତ ମେହୁଲ ଅନେକ ବର୍ଷ ପୂର୍ବରୁ ଆଂଟିଗୁଆର ନାଗରିକତା ଗ୍ରହଣ କରି ସାରିଛି । ତେବେ ଆଂଟିଗୁଆରୁ ଫେରାର ହେବା ପରେ ମେ ୨୩ରେ ଡୋମିନିକାରେ ଚୋକସି ଗିରଫ ହୋଇଥିଲା । ବେଆଇନ ଭାବେ ଡୋମିନିକାରେ ପ୍ରବେଶ କରିଥିବା ମେହୁଲଙ୍କ ଉପରେ ଅଭିଯୋଗ ହୋଇଛି । ସଂପ୍ରତି ମାମଲାର ବିଚାର କୋର୍ଟରେ ଜାରି ରହିଛି । ଏହା ମଧ୍ୟ ସୂଚନା ଆସିଥିଲା ଯେ, ଡୋମିନିକା କୋର୍ଟ ମେହୁଲର ଭାରତ ପ୍ରତ୍ୟର୍ପଣ ସପକ୍ଷରେ ଅଛନ୍ତି ।

ମେହୁଲଙ୍କୁ ଆଣିବା ପାଇଁ ଭାରତରୁ ଆଠ ଜଣିଆ ସ୍ୱତନ୍ତ୍ର ଟିମ୍ ଡୋମିନିକା ଗସ୍ତ କରିଥିଲେ । ଟିମରେ ସିବିଆଇ, ପ୍ରବର୍ତନ ନିର୍ଦ୍ଦେଶାଳୟର ଅଧିକାରୀ ସହ ସିଆରପିଏଫ ଅଧିକାରୀ ସ।ମିଲ ଥିଲେ । ତେବେ ସମସ୍ତ ଅଧିକାରୀ ଯେଉଁ ଘରୋଇ ବିମାନରେ କାତାରରୁ ଡୋମିନିକା ଯାତ୍ରା କରିଥିଲେ, ସେହି ବିମାନ ଖାଲି ହାତରେ ଉଡାଣ ଭରି ସାରିଛି । ତେବେ ଏହାର ଗନ୍ତବ୍ୟସ୍ଥଳ ବିଷୟରେ କୌଣସି ସୂଚନା ମିଳିଲାନି ।

ଅପରପକ୍ଷେ ଗୁରୁବାର ଡୋମିନିକା କୋର୍ଟ ମେହୁଲ ଚୋକସିର ଜାମିନ ଆବେଦନ ଖାରଜ କରିଥିଲେ । ଏହା ପରେ ୧୪ ଦିନିଆ ପୋଲିସ ରିମାଣ୍ଡରେ ମେହୁଲଙ୍କୁ ପଠାଯାଇଥିଲା । ଡୋମିନିକା ହାଇକୋର୍ଟ ହୀରା ବ୍ୟବସାୟୀ ମେହୁଲଙ୍କ ପକ୍ଷରୁ ଦାଖଲ ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନର ଶୁଣାଣିକୁ ଗୁରୁବାର ସ୍ଥଗିତ ରଖିଥିଲେ। ବିଚାରପତି ବର୍ଣ୍ଣି ଷ୍ଟିଫେନସନ ଉଭୟ ପକ୍ଷର ତର୍କ ଶୁଣିବା ପରେ ମାମଲାର ପରବର୍ତୀ ତାରିଖ ସ୍ଥିର କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.