fbpx

ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଟାବଲେଟ୍ ବଣ୍ଟନ କଲେ ଲଦାଖର ଉପରାଜ୍ୟପାଳ ଓ ଆରମ୍ଭ କଲେ YounTab ଯୋଜନା

ଲଦାଖ: ଲଦାଖର ଉପରାଜ୍ୟପାଳ ଏଲ.ଜି ମାଥୁର ଛାତ୍ରଛାତ୍ରୀଙ୍କ ପାଇଁ ଲଞ୍ଚ କରିଛନ୍ତି YounTab ଯୋଜନା ଏବଂ ସେମାନଙ୍କ ମଧ୍ୟରେ ୧୨ ହଜାର ୩୦୦ ଟାବଲେଟ୍ ବଣ୍ଟନ କରିଛନ୍ତି । ଏହି ଯୋଜନାକୁ ଭର୍ଚୁଆଲରେ ଲଞ୍ଚ କରିଛନ୍ତି ଉପରାଜ୍ୟପାଳ । ଯଦ୍ୱାରା ୧୨ ହଜାରରୁ ଛାତ୍ରଛାତ୍ରୀ ଉପକୃତ ହେବେ । ମାଗଣା ଟାବଲେଟ୍ ବଣ୍ଟନ କରିବାରେ ଦେଶର ପ୍ରଥମ ୟୁନିଅନ୍ ଟେରିଟୋରୀ ହୋଇପାରିଛି ଲଦାଖ । ଏହି ଟାବଲେଟଗୁଡ଼ିକରେ ଇ-ପାଠ୍ୟ ପୁସ୍ତକ, ଭିଡିଓ ବକ୍ତୃତା ଏବଂ ଅନଲାଇନ୍ ଶ୍ରେଣୀ ପ୍ରୟୋଗ ସହିତ ଅନଲାଇନ୍ ଏବଂ ଅଫଲାଇନ୍ ବିଷୟବସ୍ତୁ ଅପଲୋଡ୍ ହୋଇଛି । ଆସନ୍ତା ଦୁଇ ମାସ ମଧ୍ୟରେ ରାଜ୍ୟର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏହି ଟାବଲେଟ୍ ବଣ୍ଟନ କରାଯିବ ।

ଏହି ଅବସରରେ ଉପରାଜ୍ୟପାଳ କହିଛନ୍ତି, “ଏହି ଯୋଜନା କେବଳ କରୋନା ମହାମାରୀ ସହ ଜଡିତ ନୁହେଁ, ବରଂ ଏହା ଶିକ୍ଷା ବ୍ୟବସ୍ଥାରେ ପ୍ରଯୁକ୍ତିବିଦ୍ୟାକୁ ଏକୀକରଣ କରିବାର ପ୍ରୟାସ । ବିଶେଷ କରି କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଉପରେ ଧ୍ୟାନ ଦିଆଯାଇ ଏହି ସ୍କିମ୍ ଆରମ୍ଭ କରାଯାଇଛି । ଏହି ଅବସରରେ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାଗଣାରେ ଟାବଲେଟ୍ ବଣ୍ଟନ କରାଯାଇଥିଲା । କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି YounTab ସ୍କିମ୍ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ବୈଷୟିକ ସହାୟତା ସହିତ ବିଦ୍ୟାଳୟ ଶିକ୍ଷା ବିଭାଗର ଏକ ପଦକ୍ଷେପ ବୋଲି ଲଦାଖ ପ୍ରଶାସନ ଦର୍ଶାଇଛି ।

ଏହି କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ଏଲ.ଜି ମାଥୁର ଆଗାମୀ ବର୍ଷରେ ଶିକ୍ଷା ପ୍ରଯୁକ୍ତି ଉପରେ ଗୁରୁତ୍ୱାରୋପ କରିବା ସହିତ ଲଦାଖର ଛାତ୍ରଛାତ୍ରୀମାନଙ୍କ ଆବଶ୍ୟକତାକୁ ତୁରନ୍ତ ପୂରଣ କରିବାରେ ସନ୍ତୁଷ୍ଟ ପ୍ରକାଶ କରିଥିଲେ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଲଦାଖର ଯେଉଁ ଦୁର୍ଗମ ଅଞ୍ଚଳ ଗୁଡିକରେ ଇଣ୍ଟରନେଟ୍ ସୁବିଧା ଏପର୍ୟ୍ୟନ୍ତ ପହଞ୍ଚି ନାହିଁ ସେଠାରେ ଶିକ୍ଷା ପାଇଁ ହାଇ-ଟେକ୍ ବ୍ୟବସ୍ଥା କରିବା । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ପର୍ୟ୍ୟାପ୍ତ ଅର୍ଥ ଯୋଗାଇ ଦେଇଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.