fbpx

ମହାରାଷ୍ଟ୍ର ମହାନାଟକ: ମହାବିକାଶ ଅଘାଡିରେ ଫାଟ ? କଂଗ୍ରେସ କହିଲା- ଦଳ ଏକାକୀ ଲଢିବ ବିଧାନସଭା ନିର୍ବାଚନ 

ମୁମ୍ବାଇ : ବିଗତ ଦିନରେ ଦେଶର ଅନେକ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ରହିଛି। କେଉଁଠି କିଏ ଦଳ ଛାଡୁଛି ତ ଆଉ କେଉଁଠି ପାର୍ଟି ଭିତରେ ବିରୋଧର ସ୍ଵର ଉଠୁଛି। ଆଉ କେଉଁଠି ମେଣ୍ଟ ସରକାରରେ ଅସନ୍ତୋଷର ନିଆଁ କୁହୁଳୁଛି। ପଞ୍ଜାବ-ରାଜସ୍ଥାନରୁ ନେଇ ଉତ୍ତର ପ୍ରଦେଶ ପର‌୍ୟ୍ୟନ୍ତ ଦଳ ମଧ୍ୟରେ ଚାପା ଗୁଜରଣ ଦେଖିବାକୁ ମିଳିଛି। ଏବେ ମହାରାଷ୍ଟ୍ର ମେଣ୍ଟ ସରକାରରେ ମଧ୍ୟ ଫାଟ୍ ସୃଷ୍ଟି ହୋଇଥିବା ସଙ୍କେତ ମିଳିଛି। ଏହି କ୍ରମରେ ସୋମବାର ମହାରାଷ୍ଟ୍ରର କଂଗ୍ରେସ ସଭାପତି ନାନା ପଟୋଲେ ବଡ ବୟାନ ଦେଇଛନ୍ତି।

ପଟୋଲେ କହିଛନ୍ତି, କଂଗ୍ରେସ ଦଳ ମହାରାଷ୍ଟ୍ରରେ ଆଗାମୀ ବିଧାନସଭା ନିର୍ବାଚନ ଏକାକୀ ଲଢିବ। ସେ ଏହା ମଧ୍ୟ କହିଛନ୍ତି, ଯଦି ପାର୍ଟି ହାଇକମାଣ୍ଡ ନିଷ୍ପତ୍ତି ନିଅନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ମଧ୍ୟ ପ୍ରସ୍ତୁତ। ଏହା ପରେ ମହାରାଷ୍ଟ୍ର ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି। କଂଗ୍ରେସ ରାଜ୍ୟ ସଭାପତି ସେହି ସମୟରେ ଏହି ବୟାନ ଦେଇଛନ୍ତି, ଯେତେବେଳେ ତାଙ୍କ ଦଳ ରାଜ୍ୟରେ ଶିବସେନା ଓ ଏନସିପି ସେହ ମେଣ୍ଟ ସରକାରରେ ରହିଛି। ପଟୋଲେଙ୍କ ଏହି ଘୋଷଣା ପରେ ପୁଣି ଥରେ ସ୍ପଷ୍ଟ ହୋଇ ଯାଇଛି ଯେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାରରେ ସବୁ କିଛି ଠିକ୍ ଚାଲି ନାହିଁ।

 

ରାଜ୍ୟ ମେଣ୍ଟ ସରକାରରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଉଥିବା ଏନସିପି କହିଥିଲା ଯେ, ରାଜ୍ୟରେ ସରକାର ଚଳାଇବା ପ୍ରସଙ୍ଗରେ ତିନି ଦଳ ଏକମତ ଅଛନ୍ତି। ମାତ୍ର ୨୦୨୪ରେ ହେବାକୁ ଥିବା ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ତିନି ଦଳ ଏକାଠି ଲଢିବେ କି ନାହିଁ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇ ନାହିଁ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ରାଜନୀତିରେ ଗତ କିଛି ଦିନ ଦିନ ହେବ ସରଗରମ ଲାଗି ରହିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ଏବଂ ଏହା ପରେ ଶିବସେନା ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ରାଜ୍ୟ ରାଜନୀତିରେ ଉଷ୍ମତା ଭରି ଦେଇଛି। ପୁଣି ଏନସିପି ମୁଖ୍ୟ ଶରଦ ପାଓ୍ଵାର ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଭେଟିବା ରାଜନୀତିକୁ ନୂତନ ମୋଡ ଦେଇଛି।

 

 

Get real time updates directly on you device, subscribe now.