ଏବେ ଇସଲାମାବାଦରେ ଭାରତୀୟ ଦୂତାବାସରେ ଉଡିଲା ଡ୍ରୋନ,  ବଢିଲା ଭାରତର ଚିନ୍ତା

ନୂଆଦିଲ୍ଲୀ : ସୀମାରେ ଅନୁପ୍ରବେଶ କରାଇବାରେ ବିଫଳ ପାକିସ୍ତାନ ଏବେ ଡ୍ରୋନ ମାଧ୍ୟମରେ ଅସ୍ତ୍ର ଶସ୍ତ୍ର ପଠାଇବା ଓ ଆକ୍ରମଣ କରିବାକୁ ହୀନ ପ୍ରୟାସ ଜାରି ରଖିଛି। ଗତ ସପ୍ତାହରେ ଯେଉଁ ଦିନ ଜମ୍ମୁ ସ୍ଥିତ ବାୟୁସେନା ଘାଟିରେ ଡ୍ରୋନ ମାଧ୍ୟମରେ ଆକ୍ରମଣ ହୋଇଥିଲା, ସେହି ସମୟରେ ପାକିସ୍ତାନର ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସ ଭିତରେ ଡ୍ରୋନ ଦେଖିବାକୁ ମିଳିଥିଲା। ସେହି ସମୟରେ ଏକ କାର୍ଯ୍ୟକ୍ରମ ଚାଲିଥିଲା। ଏହି ଘଟଣାରେ ଭାରତ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି। ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଉଚ୍ଚାୟୋଗର ଅଧିକାରୀଙ୍କ ନିକଟରେ ଭାରତ ଏହି ମାମଲା ଉଠାଇ ନିଜ ସୁରକ୍ଷା ସମ୍ବନ୍ଧରେ ଅବଗତ କରାଇଛି।

ପ୍ରଥମ ଥର ପାକିସ୍ତାନ ସ୍ଥିତ ଭାରତୀୟ ଉଚ୍ଚାୟୋଗରେ ଡ୍ରୋନ ଦେଖିବାକୁ ମିଳିଛି। ଜମ୍ମୁରୁ ନେଇ ଇସଲାମାବାଦ ପର୍ଯ୍ୟନ୍ତ ଭାରତୀୟ ଉଚ୍ଚାୟୋଗର କୋଠା ନିକଟରେ ଡ୍ରୋନ ନଜର ଆସିବା ଭାରତର ଚିନ୍ତାକୁ ବଢାଇ ଦେଇଛି। ଏହା ପୂର୍ବରୁ ଗତ ଶନିବାର ଓ ରବିବାର ରାତିରେ ଜମ୍ମୁ ବାୟୁସେନା ଘାଟି ଉପରେ ଡ୍ରୋନ ମାଧ୍ୟମରେ ଆକ୍ରମଣ ହୋଇଥିଲା। ଏଥିରେ ବାୟୁସେନାର ଦୁଇ ଜଣ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣା ପରେ ସମଗ୍ର ଦେଶରେ ଡ୍ରୋନ ଆକ୍ରମଣ ଆଶଙ୍କାକୁ ଦୃଷ୍ଟରେ ରଖି ସମସ୍ତ ସୈନ୍ୟ ପ୍ରତିଷ୍ଠାନରେ ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ଡ୍ରୋନ ନିରୋଧୀ ଗନ ସହ କମାଣ୍ଡୋଙ୍କୁ ମୁତୟନ କରାଯାଇଛି।

ଡ୍ରୋନ ଆକ୍ରମଣକୁ ନେଇ ଖୋଦ୍ ସେନା ମୁଖ୍ୟ ଏମଏମ ନରଓ୍ଵଣେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଡ୍ରୋନ ସର୍ବସାଧାରଣର ଅଞ୍ଚଳରେ  ଠାବ ହେବା ଚିନ୍ତାର ବିଷୟ। ଏଥିରେ ପଡୋଶୀ ଦେଶର ପ୍ରଚ୍ଛନ୍ନ ହାତ ରହିଥିବା ସେ କହିଛନ୍ତି। ଏହାର ମୁକାବିଲା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଜାରି ରହିଛି। ସେହି ଦୃଷ୍ଟିରୁ ଆହୁରି ସତର୍କ ରହିବାର ଆବଶ୍ୟତା ଥିବା ନରଓ୍ଵଣେ କହିଛନ୍ତି।