fbpx

ଚତୁର୍ଦ୍ଦଶୀରେ ସରିଲା ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ(ଓଡ଼ିଶା ଭାସ୍କର): ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀରେ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି । ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ବନକଲାଗି କରାଯାଇଛି । ଏଥିସହ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ଖଡିପ୍ରସାଦ ବିଜେ ହୋଇଛି । ସକାଳେ ମହାପ୍ରଭୁଙ୍କୁ ଖଡିପ୍ରସାଦ ଲାଗି ହୋଇଥିଲା । ଅନ୍ୟପଟରେ ଆଜିଠାରୁ ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ, ପୋଲିସ କର୍ମଚାରୀ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ଆରଟିିପିସିଆର ଟେଷ୍ଟ ଆରମ୍ଭ ହେଇଛି । ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ପାଇଁ ଗ୍ରୀନଜୋନ୍ ହେବ ବୋଲି ଏସପି କହିଛନ୍ତି ।

ଗତକାଲି ଅଣସରର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରକୁ ଖଳି ପ୍ରସାଦ ବିଜେ ହୋଇଥିବା ବେଳେ ଆଜି ଚତୁର୍ଦ୍ଦଶୀରେ ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ଖଡିପ୍ରସାଦ ବିଜେ ହୋଇଥିଲା । ଗଜପତି ମହାରାଜାଙ୍କୁ ଏହି ପ୍ରସାଦ ଅର୍ପଣ କରାଯାଇଛି । ଦଇତାପତି ଓ ଦତ୍ତମହାପାତ୍ର ସେବକ ରୂପାଥାଳିରେ ଧରି ଆସିଥିଲେ ମହାପ୍ରଭୁଙ୍କୁ ଲାଗି ଖଡିପ୍ରସାଦ । ସେପଟେ ଆଜି ଦତ୍ତମହାପାତ୍ର ସେବାୟତ ହିଙ୍ଗୁଳ, ହରିତାଳ, କେଶର, କସ୍ତୁରୀ, ଧଳା ଓ କଳା ଶଙ୍ଖ ବ୍ୟବହାର କରି ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିଛନ୍ତି । ବନକଲାଗି ପରେ ମହାପ୍ରଭୁଙ୍କ ମୁଖମଣ୍ଡଳ ଅତ୍ୟନ୍ତ ସୁନ୍ଦର ଆଉ ଆକର୍ଷଣୀୟ ଦେଖ।।ଇଥାଏ ।

ଆଉ ତିନିଦିନ ପରେ ରତ୍ନବେଦୀ ଛାଡି ଜନ୍ମବେଦୀକୁ ବାହୁଡିବେ ଚତୁର୍ଦ୍ଧାବିଗ୍ରହ । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା । ଶୃଙ୍ଖଳିତ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗତକାଲି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ମଧ୍ୟ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହ ଶୃଙ୍ଖଳିତ ଭାବରେ ରଥଯାତ୍ରା ସମ୍ପାଦନ କରିବା ପାଇଁ ସମୀକ୍ଷା ବୈଠକ କରିଥିଲେ ।

ଅନ୍ୟପଟରେ ରଥଯାତ୍ରାରେ ସାମିଲ୍ ହେବାକୁଥିବା ସେବାୟତଙ୍କ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ପୋଲିସ କର୍ମଚାରୀ ଓ ଗଣମାଧ୍ୟମ କର୍ମଚାରୀଙ୍କ ଆରଟିିସିଆର ଟେଷ୍ଟ ଆରମ୍ଭ ହୋଇଛି । ରଥଟଣା ପରେ ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ୱରେ କଡା ସୁରକ୍ଷା ବ୍ୟବସ୍ଥା ରହିବ । ଶୃଙ୍ଖଳିତ ରଥଯାତ୍ରା ପାଇଁ ଜନସାଧାରଣଙ୍କ ସହ ନିୟମିତ ଆଲୋଚନା କରି ସେମାନଙ୍କ ମତାମତ ନିଆଯାଉଛି ।

ଆସନ୍ତାକାଲି ମହ୍ରାଭୁଙ୍କ ନବଯୌବନ ଦର୍ଶନ । ତେବେ ଚଳିତବର୍ଷ କରୋନା ମହାମାରୀ ପାଇଁ ଭକ୍ତ ପ୍ରଭୁଙ୍କ ଏହି ଅପରୂପ ବେଶ ଦର୍ଶନ କରିପାରିବେ ନାହିଁ । ଏକଦଶୀରୁ ମହପ୍ରଭୁଙ୍କୁ ଲାଗି ହୋଇଥିବା ତୁଳସୀ ଆଜି ଭକ୍ତଙ୍କୁ ମିଳିଛି । ଯାହାକୁ ପାଇ ଭକ୍ତମାନେ ବେଶ୍ ଆତ୍ମସନ୍ତୋଷ ଲାଭ କରିଛନ୍ତି ।

Get real time updates directly on you device, subscribe now.