fbpx

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ, ଝୁଲି ଝୁଲି ଆସୁଛନ୍ତି ଚକାନୟନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଜ୍ୟେଷ୍ଠଭ୍ରାତା ବଳଭଦ୍ର, ଭଗିନୀ ସୁଭଦ୍ରାଙ୍କ ସହ କାଳିଆ ସାଆନ୍ତ ମାଉସୀ ମାଆ ଘରକୁ ଯାତ୍ରା କରିବେ । ଆଜି ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂରତି । ତେବେ ଚଳିତ ବର୍ଷ ଘୋଷଯାତ୍ରା କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଅନୁଷ୍ଠିତ ହେଉଛି । ଏଥର ମହାପ୍ରଭୁ ବଡ଼ଦାଣ୍ଡରେ ଯିବାବେଳେ ତାଙ୍କୁ ଆଉ ଚାହିଁବାକୁ କେହି ରହିବେନି । କାରଣ ଭକ୍ତମାନଙ୍କୁ ବଡ଼ଦାଣ୍ଡ ମନା । ଭକ୍ତମାନେ ଟିଭି ପରଦାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ଚକ୍ରରାଜ ସୁଦର୍ଶନ, ମାଆ ସୁଭଦ୍ରା, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ପହଣ୍ଡିରେ ରଥାରୂଢ଼ କରାଯିବା ପରେ ପରିଶେଷରେ କାଳିଆସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ସୁଶୋଭିତ ଦିବ୍ୟ ଟାହିଆରେ ସଜ୍ଜିତ ହୋଇ ଢଳିଢଳି ଆସୁଥିବା କାଳିଆର ଏଇ ଅପରୂପ ଦୃଶ୍ୟ ଦେଖିବାକୁ ଭକ୍ତମାନେ ପାଗଳ ହୋଇଉଠିଛନ୍ତି । କାଳିଆର ଏଇ ରୂପ ଦେଖିବାକୁ ପୁଣି ବରଷଟିଏ ଅପେକ୍ଷା କରିବାକୁ ପଡ଼ିବ ଭକ୍ତଙ୍କୁ । ତେବେ ଭାବବିନୋଦିଆ ଠାକୁର କାଳିଆ ସତେ ଯେମିତି ତା’ର ଚକା ଚକା ଦୁଇ ଆଖିରେ ପ୍ରିୟ ଭକ୍ତମାନଙ୍କୁ ହୃଦୟ ଭିତରେ ଖୋଜୁଥିଲା । ସେଇଥିପାଇଁ ପ୍ରଭୁ ତୁମେ ମହାନ୍, ତୁମ ପରି କିଏ ହୋଇପାରିବ । ଏଇ ତ ପ୍ରେମ, ଭକ୍ତ ଓ ଭଗବାନଙ୍କର । ସେ ଯାହା ବି ହେଉ, ନିଜ ଘରେ ବସି ଭକ୍ତମାନେ କାହିଁ କେତେ ଦୂରରୁ ମହାପ୍ରଭୁଙ୍କ ଦିବ୍ୟରୂପକୁ ଦର୍ଶନ କରି ନିଜକୁ କୃତାର୍ଥ ମଣୁଛନ୍ତି ।

Get real time updates directly on you device, subscribe now.