fbpx

ତୁର୍କୀରେ ଭୟଙ୍କର ନିଆଁ, ୬୦ ସ୍ଥାନରେ ବ୍ୟାପିଛି ଜଙ୍ଗଲି ନିଆଁ, ୪ ମୃତ

ନୂଆଦିଲ୍ଲୀ: ତୁର୍କୀର ଦକ୍ଷିଣ ଉପକୂଳରେ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧିପାଇଛି । ତୃତୀୟ ଦିନରେ ନିଆଁକୁ ଆୟତ୍ତ କରିବାକୁ ଯାଇ ଅଗ୍ନିଶମ କର୍ମଚାରୀ ପ୍ରାୟ ଏକ ଡଜନରୁ ଉଦ୍ଧ୍ୱର୍ ଗାଁ ଏବଂ କିଛି ହୋଟେଲକୁ ଖାଲି କରିଛନ୍ତି ।

ସୂଚନା ଅନୁଯାୟୀ ତୁର୍କୀର ୩୦ ଜିଲ୍ଲାର ୬୦ଟି ସ୍ଥାନରେ ଜଙ୍ଗଲୀ ନିଆଁ ଲାଗିଛି । ଅଧିକାରୀମାନେ କହିଛନ୍ତି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଥବା ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର କରିବା ସହ ଗାଁ ଏବଂ ହୋଟେଲ ଗୁଡ଼ିକୁ ଖାଲି କରାଯାଇଛି । ଏହା ସହ ଲୋକମାନେ ମଧ୍ୟ ନିଆଁ ଦେଖି ସୁରକ୍ଷିତ ସ୍ଥାନକୁ ପଳାଇଯାଉଥିବାର ଦେଖାଯାଉଛି । ଜଙ୍ଗଲ ମନ୍ତ୍ରୀ ବେକିର ପାକଡେମିରିଲି କହିଛନ୍ତି ମନ୍ତାଲୟା ଏବଂ ମୁଗଲା ପ୍ରାନ୍ତରେ ଭୀଷଣ ନିଆଁ ଲାଗିଛି । ନିଅାଁ ଲିଭାଇବାକୁ ପ୍ରୟାସ ଜାରି ରହିଛି ।

ଜଙ୍ଗଲୀ ନିଆଁ ଅନ୍ୟ ଅଞ୍ଚଳରେ ମଧ୍ୟ ବ୍ୟାପିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୪୦ରୁ ଅଧିକ ଆହତ ହୋଇଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି । ଗତ ମଙ୍ଗଳବାର ଏଥେନ୍ସର ଉତ୍ତରରେ ଥିବା ଏକ ପାଇନ ଜଙ୍ଗଲରେ ନିଆଁ ଲାଗିଥିଲା ଯାହାକୁ ନିୟନ୍ତ୍ରଣକୁ ଆଣିବା ପୂର୍ବରୁ ଏକ ଡଜନରୁ ଅଧିକ ଘର ପୋଡ଼ି ନଷ୍ଟ ହୋଇସାରିଥିଲା । ଉତ୍ତର ଲେବାନନରେ ପାଇନ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥଲା ଏଥରେ ଜଣକୁ ମୃତ୍ୟୁ ହୋଇଥିଲା ।

ତୁର୍କୀରେ ପୂର୍ବ ଅନ୍ତାଲୟାର ମାନବଗତରେ ଲାଗିଥିବା ନିଆଁରେ ତିନି ଜଣକର ମୃତ୍ୟୁ ହୋଇଛି । ତେବେ ନିଆଁ ମୁଖ୍ୟତଃ ପର୍ଯ୍ୟଟନ ଅଞ୍ଚଳରେ ଲାଗିଥିବାରୁ ଆବାସିକ ଅଞ୍ଚଳରେ ନିଆଁ ଲାଗିବାର ସମ୍ଭାବନା ନଥିବା କହିଛନ୍ତି ଜଙ୍ଗଲ ମନ୍ତ୍ରୀ । ବୁଧବାର ତୁର୍କୀର ଅଦନା ଏବଂ ମର୍ସିନ ପ୍ରଦେଶରୁ ନିଆଁ ବ୍ୟାପିବା କାରଣରୁ ଖାଲି କରାଯାଇଥିଲା । ସେହିପରି ମାନଭଗତରେ ଏକ ହସ୍ପିଟାଲକୁ ମଧ୍ୟ ଖାଲି କରାଯାଇଛି । ମାରମରିସରେ ଅନେକ ହୋଟେଲ ଏବଂ ବିଲ୍ଡିଂକୁ ଖାଲି କରାଯାଇଛି । ମୁଗଲା ଏବଂ ଆଇଦିନ ପ୍ରଦେଶର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ନିଆଁ ଲାଗିଛି ।

ପାକଡେମିରିଲି କହିଛନ୍ତି ତିନିଟି ପ୍ଲେନ, ୯ଟି ଡ୍ରୋନ, ୩୮ ହେଲିକପ୍ଟର, ୬୮୦ ଅଗ୍ନିଶମ ଗାଡ଼ି ଏବଂ ୪୦୦୦ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅନ୍ୟ ପ୍ରଦେଶଗୁଡ଼ିକରେ ନ ବ୍ୟାପିବାକୁ ପୁରା ଚେଷ୍ଟା କରାଯାଉଛି ।

Get real time updates directly on you device, subscribe now.