fbpx

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ମାମଲା: ଜେସିବି ଡ୍ରାଇଭର ଓ ସହଯୋଗୀକୁ ବାନ୍ଧିଲା ପୁଲିସ

ବସ୍ତିରୁ ଉଦ୍ଧାର ହେଲା ନାବାଳିକା

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ଥାନା ଚାରିଛକ ଅଞ୍ଚଳରୁ ଜଣେ ନାବାଳିକାକୁ ଦେଢମାସ ତଳେ ଜେସିବି ଡ୍ରାଇଭର ଓ ତାର ସହଯୋଗୀ ଅପହରଣ କରି ଦୁଷ୍କର୍ମ କରିବା ଘଟଣାରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ସହଯୋଗୀକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଦେଢ ମାସ ତଳେ ନୟାଗଡ ଜିଲ୍ଲା ଇଟାମାଟି ଅଞ୍ଚଳର ଦୁଃଖିଶ୍ୟାମ ସାହୁ ଓ ତାର ସମ୍ପର୍କୀୟ ଭଣଜା ଜେସିବି ଡ୍ରାଇଭର ଭାବେ ଚାରିଛକ ଅଞ୍ଚଳରେ କାର୍ଯ୍ୟ କରୁଥିଲେ । ସ୍ଥାନୀୟ ଗ୍ରାମର ଜଣେ ନାବାଳିକାକୁ ଅପହରରଣ କରି ନେଇଯାଇଥିଲେ । ଏ ସମ୍ପର୍କରେ ନାବାଳିକାଙ୍କ ପିତା ନିମାପଡା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁକରି ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ । ସଂପୃକ୍ତ ଜେସିବି ଡ୍ରାଇଭର ଓ ତାର ଭଣଜା ନାବାଳିକାକୁ ନେଇ ଭୁବନେଶ୍ୱରର ଏକ ବସ୍ତି ଅଞ୍ଚଳରେ ରଖିଥିବା ଖବର ପାଇ ନିମାପଡା ଥାନା ଆଇଆଇସି ଶଙ୍କର୍ଷଣ ଦଳେଇଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା । ଏହି ପୋଲିସ ଟିମ୍‌ ଭୁବନେଶ୍ୱରରେ ଚଢଉ କରି ଅଭିଯୁକ୍ତ ଦୁଃଖିରାମ ସାହୁ ଓ ତାର ସହଯୋଗୀ ସୁମନ୍ତ ପ୍ରଧାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ନାବାଳିକା ଓ ସମ୍ପୃକ୍ତ ଦୁଃଖୀଶ୍ୟାମର ଡାକ୍ତରୀ ମାଇନା କରାଯାଇଥିବା ବେଳେ ପୋଲିସ ନାବାଳିକାଙ୍କ ବୟାନ ଆଧାରରେ ଅପହରଣ ଓ ଦୁଷ୍କର୍ମ, ପୋସ୍କ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିବା ନେଇ ପୋଲିସ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ ହୋଇଛି ।

Get real time updates directly on you device, subscribe now.