୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ: ୭ଟି ଜିଲ୍ଲାର ‘ଜନ ଆଶୀର୍ବାଦ ଯାତ୍ରା’ ଯୋଗଦେବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ

ଦେଶବ୍ୟାପୀ ‘ଜନ ଆଶୀର୍ବାଦ ଯାତ୍ରା’

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଜି ଠାରୁ ଦେଶବ୍ୟାପୀ ଆରମ୍ଭ ହେବ ବିଜେପିର ଜନ ଆଶୀର୍ବାଦ ଯାତ୍ରା । ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ସମସ୍ତ କେନ୍ଦ୍ରମନ୍ତ୍ରୀମାନେ ଦେଶର ପ୍ରାୟ ୨୧୨ଟି ସଂସଦୀୟ କ୍ଷେତ୍ରକୁ ଯାଇ ଜନ ଆଶୀର୍ବାଦ ଲୋଡିବେ । ଏହି ଜନ ଆଶୀର୍ବାଦ ଯାତ୍ରା ୧୪୨ ଦିନ ଯାଏଁ ଚାଲିବା ଏହି ଅବସରରେ କେନ୍ଦ୍ରମନ୍ତ୍ରୀମାନେ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ ମଧ୍ୟ କରିବେ । ଜନ ଆଶୀର୍ବାଦ ଯାତ୍ରା ଅବସରରେ  ଗୁରୁବାର ୨ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ନବ ୩ ଦିନିଆ ଗସ୍ତରେ ଆସୁଛନ୍ତି । ୧୯ ତାରିଖ ସକାଳେ ଉଭୟ ମନ୍ତ୍ରୀ ଭୁବନେଶ୍ୱରଠାରେ ପହଂଚିବା ପରେ ସିଧାସଳଖ ପୁରୀ ଗସ୍ତ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ ।

କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ନବ ୧୯ ତାରିଖ ସଂଧ୍ୟାରେ ରେଳ ଯୋଗେ ରାୟଗଡା ଗସ୍ତ କରିବେ । ୨୦ ତାରିଖ ସକାଳୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ନବ କୋରାପୁଟ ଗସ୍ତ କରି ରାତ୍ରଯାପନ କରିବୋ୨୧ ତାରିଖରେ ଜୟପୁର, ନବରଙ୍ଗପୁର ଦେଇ ଗସ୍ତ କରି ଭବାନୀପାଟଣାରେ ରାତ୍ରଯାପନ କରିବେ । ୨୨ ତାରିଖ ଦିନ ଶ୍ରୀ ବୈଷ୍ନବ କେସିଙ୍ଗା, ଟିଟିଲାଗଡ, କଂଟାବାଜୀ, ପାଟଣାଗଡ ଦେଇ ବଲାଙ୍ଗୀରଠାରେ ପହଂଚିବେ । ୨୨ ତାରିଖ ସଂଧ୍ୟାରେ ଶ୍ରୀ ବୈଷ୍ନବ ବଲାଙ୍ଗୀରରୁ ଭୁବନେଶ୍ୱର ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ । ଏହି ଜନ ଆଶୀର୍ବାଦ ଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ନବ ୭ଟି ଜିଲ୍ଲା, ୬ଟି ଲୋକସଭା ଅଂଚଳରେ ୧୧୫ଟି ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ସଭା ଓ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିବେ ।