ନୂଆଦିଲ୍ଲୀ : ବିସିସିଆଇ ଘରୋଇ ଟି-୨୦ ଲିଗ୍ ଆଇପିଏଲକୁ ନେଇ ବଡ ପ୍ରସ୍ତୁତି କରୁଛି । ଆଗାମୀ ସଂସ୍କରଣରୁ ଅ।ଇପିଏଲରେ ୮ ବଦଳରେ ୧୦ ଦଳ ମଇଦାନକୁ ଓହ୍ଲାଇବେ । ବୋର୍ଡ ଗୋଟିଏ ଦଳର ମୂଳ ଦର ପ୍ରାୟ ୨ ହଜାର କୋଟି ଟଙ୍କା ରଖିଛି । ଏମିତିରେ ବୋର୍ଡକୁ ଦୁଇଟି ଦଳରୁ ପାଖାପାଖି ୫ ହଜାର କୋଟି ଟଙ୍କା ମିଳିପାରେ । ଆଗାମୀ ସିଜିନରୁ ୬୦ ପରିବର୍ତ୍ତେ ୭୪ ମ୍ୟାଚ୍ ଖେଳାଯିବ । ବର୍ତ୍ତମାନ ସିଜିନର ଅବଶିଷ୍ଟ ୩୧ ମ୍ୟାଚ୍ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ ।
ଆଇପିଏଲ ପରିଚାଳନା ପରିଷଦ ନିକଟରେ ବୈଠକ ସମୟରେ ଏହାର ବିଡ୍ ପ୍ରକ୍ରିୟାକୁ ଅନ୍ତିମ ରୂପ ଦେଇଛି । ବିସିସିଆଇର ବିଶ୍ୱସ୍ତ ସୂତ୍ର ଅନୁଯାୟୀ, କୌଣସି ବି କମ୍ପାନୀ ୭୫ କୋଟି ଟଙ୍କା ଦେଇ ନିଲାମ ଦସ୍ତାବିଜ କିଣି ପାରିବ । ପ୍ରଥମେ ଦୁଇ ଦଳର ମୂଳ ଦର ୧୭୦୦ କୋଟି ଟଙ୍କା ରଖାଯିବ ବୋଲି ବିଚାର ଚାଲିଥିଲା । ମାତ୍ର ଏବେ ଏହାର ଆଧାର ମୂଲ୍ୟ ୨୦୦୦ କୋଟି ଟଙ୍କା ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ବଢିବ ମ୍ୟାଚ୍ ସଂଖ୍ୟା
ଆଇପିଏଲର ଆର୍ଥିକ ବ୍ୟବସାୟ ବୁଝୁଥିବା ଜନୈକ ଅଧିକାରୀ କହିଛନ୍ତି ଯେ, ଯଦି ବିଡ୍ ପ୍ରକ୍ରିୟା ଯୋଜନା ଅନୁସାରେ ହୁଏ ତେବେ ବିସିସିଆଇକୁ ଅତି କମରେ ୫୦୦୦ କୋଟି ଟଙ୍କା ଲାଭ ମିଳିବ । କାରଣ ଅନେକ କମ୍ପାନୀ ନିଲାମ ପ୍ରକ୍ରିୟା ପାଇଁ ରୁଚି ଦେଖାଇଛନ୍ତି । ତେଣୁ ବିସିସିଆଇ ୫୦୦୦ କୋଟି ଟଙ୍କା ଆୟ କରିବ ବୋଲି ଆଶା ରଖିଛି । ଆଗାମୀ ସଂସ୍କରଣରେ ୭୪ ମ୍ୟାଚ୍ ଖେଳାଯିବ ବୋଲି ଅଧିକାରୀ କହିଛନ୍ତି ।
ବିଡ୍ ପ୍ରକ୍ରିୟା ପାଇଁ ବିଶେଷ ନିୟମ
ସୂଚନା ମୁତାବକ, ବାର୍ଷିକ ୩୦୦୦ କୋଟି ଟଙ୍କା କିମ୍ବା ସେଥିରୁ ଅଧିକ ଆୟ କରୁଥିବା କମ୍ପାନୀକୁ ହିଁ ନିଲାମ ପ୍ରକ୍ରିୟାରେ ସାମିଲ ପାଇଁ ଅନୁମତି ଦିଆଯିବ । ଏପରିକି ବିସିସିଆଇ କମ୍ପାନୀଗୁଡିକର ସମୂହକୁ ମଧ୍ୟ ଦଳ କିଣିବା ପାଇଁ ଅନୁମତି ଦେବାକୁ ଯୋଜନା କରୁଛି । ଏଥିରେ ନିଲାମ ପ୍ରକ୍ରିୟା ଆହୁରି ରୋଚକ ହେବ ବୋଲି କୁହାଯାଉଛି । ଯେଉଁ ଦୁଇଟି ଦଳ ଆଇପିଏଲରେ ସାମିଲ ହେବେ, ସେମାନଙ୍କ ମଧ୍ୟରେ ଦୌଡରେ ରହିଛି ଅହମ୍ମଦାବାଦ, ଲଖନଉ ଓ ପୁଣେ ।