ଆହୁରି ମହଙ୍ଗା ହେଲା ଏଲପିଜି ସିଲିଣ୍ଡର, ରାହୁଲ କହିଲେ-ସରକାର ଜନତାଙ୍କୁ ଭୋକିଲା ପେଟରେ ଶୋଇବାକୁ ବାଧ୍ୟ କରୁଛି

ନୂଆଦିଲ୍ଲୀ : ଦିନକୁ ଦିନ ବଢିବାରେ ଲାଗିଛି ଘରୋଇ ଏଲପିଜି ସିଲିଣ୍ଡରର ଦର । ଏହାର ଦାମ ବଢି ବଢି ଏବେ ଆକାଶଛୁଆଁ ରହିଛି । ଗତ ୧୫ ଦିନରେ ଅଣ ସବସିଡି ଏଲପିଜି ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ଘଟିଲାଣି । ଆଜି ଅର୍ଥାତ ସେପ୍ଟେମ୍ବର ୧ରେ ସିଲିଣ୍ଡର ଦାମ ପୁଣି ୨୫ ଟଙ୍କା ବଢିଛି । ଏହାକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ଅନ୍ୟାୟ ବିରୋଧରେ ଏକଜୁଟ ହେବାକୁ ସେ ଲୋକଙ୍କୁ ଅପିଲ୍ କରିଛନ୍ତି ।

ରାହୁଲ ଟ୍ୱିଟ୍ କରିଛନ୍ତି ଯେ, ଜନତାଙ୍କୁ ଭୋକିଲା ପେଟରେ ଶୋଇବାକୁ ଏହି ସରକାର ବିବଶ କରୁଛି । ଏହିପରି ଅନ୍ୟାୟ ବିରୋଧରେ ଦେଶ ଏକଜୁଟ ହେଉଛି । ରାହୁଲ ହ୍ୟାସଟ୍ୟାଗ ‘ବିଜେପିର ଲୁଟ୍ ବିରୋଧରେ ଭାରତ’ ଲେଖିବା ସହ ଚାରି ମହାନଗରରେ ଚଳିତ ବର୍ଷ ଜାନୁଆରୀରୁ ଏ ପର୍ଯ୍ୟନ୍ତ ବଢିଥିବା ଏଲପିଜି ଦାମର ତାଲିକା ମଧ୍ୟ ସେୟାର କରିଛନ୍ତି ।

 

କଂଗ୍ରେସ ପେଟ୍ରୋଲ, ଡିଜେଲ୍ ଓ ଏଲପିଜିର ମୂଲ୍ୟ ବୃଦ୍ଧିକୁ ନେଇ ସରକାର ଉପରେ କ୍ରମାଗତ ହମଲା କରି ଆସୁଛି । କେନ୍ଦ୍ର ସରକାର ଦ୍ୱାରା କିଛି କରକୁ ହଟାଇ ଏହି ସବୁ ଉତ୍ପାଦର ଦାମ କମ କରିବାକୁ ଦଳ ଦାବି କରିଛି । ହେଲେ ଅନ୍ୟପଟେ ଏଲପିଜି ସିଲିଣ୍ଡରର ଦାମ ବଢିବାରେ ଲାଗିଛି । ଏହା ପୂର୍ବରୁ ପେଟ୍ରୋଲିୟମ କମ୍ପାନୀ ଅଗଷ୍ଟ ୧୮ରେ ଗ୍ୟାସ ସିଲିଣ୍ଡର ଦାମ ୨୫ ଟଙ୍କା ବଢାଇଥିଲେ । ଦିଲ୍ଲୀରେ ଏବେ ୧୪.୨ କେଜି ଏଲପିଜି ସିଲିଣ୍ଡରର ଦାମ ବଢି ୮୮୪.୫୦ ଟଙ୍କାରେ ପହଞ୍ଚିଛି ।

ଉଲ୍ଲେଖନୀୟ ଜୁଲାଇ ଓ ଅଗଷ୍ଟ ମାସରେ ମଧ୍ୟ ଦାମ ବଢିଥିଲା । ମେ ଓ ଜୁନରେ ସିଲିଣ୍ଡର ଦାମରେ କୌଣସି ବୃଦ୍ଧି ଘଟିନଥିଲା । ଏପ୍ରିଲ ମାସରେ ଏଲପିଜି ସିଲିଣ୍ଡର ଦାମର ୧୦ ଟଙ୍କା ବଢିଥିଲା । ଦିଲ୍ଲୀରେ ଚଳିତ ବର୍ଷ ଜାନୁଆରୀରେ ଏଲପିଜି ସିଲିଣ୍ଡର ଦାମ ୬୯୪ ଟଙ୍କା ଥିଲା । ଏହି ପରି ଧିରେ ଧିରେ ବଢି ଆଜି ସିଲିଣ୍ଡରର ଦାମ ୮୮୪.୫୦ ଟଙ୍କାରେ ପହଞ୍ଚିଛି ।