fbpx

ସୁପ୍ରିମକୋର୍ଟରୁ ମମତା ସରକାରଙ୍କୁ ଝଟକା, ପୀଠ କହିଲେ-ଆପଣଙ୍କ ଆବେଦନର ଶୁଣାଣି କରି ସମୟ ବରବାଦ କରି ପାରିବୁ ନାହିଁ

ନୂଆଦିଲ୍ଳୀ : ସୁପ୍ରିମକୋର୍ଟରୁ ପଶ୍ଚିମବଙ୍ଗ ସରକାରଙ୍କୁ ଲାଗିଲା ଜୋରଦାର ଝଟକା । ସୁପ୍ରିମକୋର୍ଟ ଶୁକ୍ରବାର ସଂଘ ଲୋକ ସେବା ଆୟୋଗ(ୟୁପିଏସସି)ର ବିନା ପରାମର୍ଶରେ ପୋଲିସ ମହା ନିର୍ଦ୍ଦେଶକ(ଡିଜିପି) ନିଯୁକ୍ତ କରିବା ନେଇ ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ଖାରନ କରିଛନ୍ତି । କୋର୍ଟ ଆବେଦନ ଉପରେ ବିଚାର କରିବାକୁ ମନା କରି କହିଛନ୍ତି, ସରକାରଙ୍କ ପକ୍ଷରୁ ଏହା ଆଇନର ଦୁରୁପଯୋଗ ହୋଇଛି । ବିଚାରପତି ନାଗେଶ୍ୱର ରାଓ, ବିଚାରପତି ବି ଆର ଗବଇ ଓ ବିଚାରପତି ବି ଭି ନାଗରତ୍ନାଙ୍କ ପୀଠ ପଶ୍ଚିମବଙ୍ଗ ସରକାରଙ୍କୁ ପୋଲିସ ସୁଧାର ସମ୍ବନ୍ଧିତ ମୁଖ୍ୟ ମାମଲାରେ ପକ୍ଷକାର ହେବାକୁ ଅନୁମତି ଦେଇଛନ୍ତି ।

ପୀଠ କହିଛନ୍ତି, ରାଜ୍ୟ ସରକାର ଡିଜିପି ନିଯୁକ୍ତିରେ ୟୁପିଏସସିର ଭୂମିକା ଚାହୁଁ ନାହାନ୍ତି । ଏହା ଆଇନଗତ ପ୍ରକ୍ରିୟା । ଆପଣଙ୍କ ଆବେଦନ ଉପରେ ଆମେ ବିଚାର କରି ପାରୁବ ନାହିଁ । କାରଣ ଏହା ଆଇନର ଦୁରୁପଯୋଗ ହେବ । ମୁଖ୍ୟ ମାମଲାର ଶୁଣାଣି ସମୟରେ ଯୁକ୍ତି ରଖି ପାରନ୍ତି । କିନ୍ତୁ ଏହାର ଯାଚିକା ଉପରେ ଶୁଣାଣି କରିବାକୁ ଆମେ ଅନୁମତି ଦେଇ ପାରିବୁ ନାହିଁ । ତେଣୁ ଆମେ ଆପଣଙ୍କ ଆବେଦନ ଖାରଜ କରୁଛୁ । ଏହି ଧରଣର ଆବେଦନ ଆମେ ଶୁଣି ପାରିବୁ ନାହିଁ । ଆମେ ଏହା ଉପରେ ସମୟ ବରବାଦ କରି ପାରିବୁ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯଦି ରାଜ୍ୟ ସରକାର ଡିଜିପି ନିଯୁକ୍ତି ନେଇ ଏହି ଧରଣର ମାମଲା ଦାୟର କରିବା ଆରମ୍ଭ କରିବେ ତେବେ ଅନ୍ୟ ମାମଲାର ଶୁଣାଣି ପାଇଁ ସମୟ ବାହାର କରିବା ମୁସ୍କିଲ ହୋଇ ପଡିବ । ଉଲ୍ଲେଖନୀୟ ରାଜ୍ୟ ସରକାର ପୋଲିସ ସୁଧାରକୁ ନେଇ ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟର ୨୦୧୮ର ଆଦେଶର ସଂଶୋଧନ ଉପରେ ହସ୍ତକ୍ଷେପ କରିବାକୁ ଆବେଦନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ବରିଷ୍ଠ ଆଡଭୋକେଟ୍ ସଦ୍ଧାର୍ଥ ଲୁଥର ଦଲିଲ ଦେଇଛନ୍ତି ଯେ, ପୋଲିସ ଅଧିକାରୀଙ୍କ ନିଯୁକ୍ତି ରାଜ୍ୟ ସରକାରଙ୍କ ଅଧିକାର ହୋଇଥାଏ । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ସରକାର ଉଚ୍ଚତମ ନ୍ୟାୟାଳୟରେ ଆବେଦନ ଦାଖଲ କରି ରାଜ୍ୟ ସରକାରଙ୍କୁ ବିନା ୟୁପିଏସସିରର ଦଖଲରେ ଡିଜିପି ନିଯୁକ୍ତି କରିବାର ଅନୁମତି ଦିଆଯାଉ ।

 

Get real time updates directly on you device, subscribe now.