fbpx

ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ, ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ୧୯ ପଦକ ଧରି ଘରକୁ ଫେରୁଛନ୍ତି ଦେଶର ହିରୋ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭାରତ ଆଉ ଟିକେ ପାଦେ ଆଗେଇ ପାରା ଅଲିମ୍ପିକ୍ସରେ ଇତିହାସ ରଚିଛି । ଗୋଟିଏ କି ଦୁଇଟି ନୁହେଁ ୫ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ପାରା ଅଲିମ୍ପିକ୍ସରେ ଇତିହାସରେ ସର୍ବାଧିକ ୧୯ ପଦକ ସହ ଘରକୁ ଫେରୁଛନ୍ତି ଦେଶକୁ ଗର୍ବିତ କରିଥିବା ଆମର ଆଥଲେଟ୍ । ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ପାରା ଅଲିମ୍ପିକ୍ସରେ ଭାରତ ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ ପଦକ ସହ ପଦକ ତାଲିକାର ଟପ୍ ୨୫ରେ ରହି ନିଜର ଅଭିଯାନ ଶେଷ କରିଛି ଭାରତ ।

ବିଶ୍ୱର ଏକାଧିକ କ୍ରୀଡାକୁ ନେଇ ଆୟୋଜିତ ଯେ କୌଣସି ପ୍ରତିଯୋଗିତାରେ ଭାରତର ଏହା ହେଉଛି ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହା ପୂର୍ବରୁ ଭାରତ ୨୦୧୮ ସମର ୟୁଥ ଅଲିମ୍ପିକ୍ସରେ ୧୩ ପଦକ ଜିତିଥିଲା । ଟୋକିଓ ଅଲିମ୍ପିକ୍ସରେ ୭ ପଦକ ଜିତିବା ପରେ ପରେ ଭାରତ ପାରା ଅଲିମ୍ପିକ୍ସରେ ନିଜର ଏହି ସଫଳତା ହାସଲ କରିଛି । ଏହା ପୂର୍ବରୁ ପାରା ଅଲିମ୍ପିକ୍ସରେ ସର୍ବାଧିକ ୧୫ ପଦକ ଜିତିଥିଲା, ଯାହାକୁ ଦଳ ଅତିକ୍ରମ କରିଛି । ଏଥିସହ ଶୀର୍ଷ ୨୫ରେ ରହି ଭାରତ ନିଜର ଅଭିଯାନ ଶେଷ କରିଛି ।

୧୯୬୮ରେ ନିଜର ପ୍ରଥମ ପାରା ଅଲିମ୍ପିକ୍ସରେ ଭାରତ ୧୨ ପଦକ ଜିତିଥିଲା । ହେଲେ ଏଥର ଦଳ ୧୯ ପଦକ ଜିତି ଇତିହାସ ରଚି ସ୍ୱଦେଶ ଫେରୁଛନ୍ତି । ଏହା ପୂର୍ବରୁ ଭାରତ ରିଓ ଅଲିମ୍ପିକ୍ସରେ ମାତ୍ର ୧୯ ଆଥଲେଟଙ୍କୁ ପଠାଇଥିଲା ଏବଂ ଦଳ ୪ ପଦକ ଜିତିଥିଲା । ହେଲେ ଟୋକିଓ ଅଲିମ୍ପିକ୍ସରେ ୫୪ ଆଥଲେଟଙ୍କ ଏକ ବଡ ଦଳ ପଠାଇଥିଲା । ଟେବୁଲ ଟେନିସରୁ ଭାରତ ନିଜର ପଦକ ଜିତିବା ଆରମ୍ଭ କରିଥିଲା । ଭାବିନାବେନ ପଟେଲ ଭାରତର ପ୍ରଥମ ମହିଳା ଟେବୁଲ ଟେନିସ ଖେଳାଳି ଭାବେ ପାରା ଅଲିମ୍ପିକ୍ସରେ ପଦକ ଜିତିଥିଲେ । ଆଉ ଭାରତ ନିଜର ଅଭିଯାନ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଏବଂ ରୌପ୍ୟ ପଦକ ସହ ଶେଷ କରିଛି । କୃଷ୍ଣା ନଗର ବ୍ୟାଡମିଣ୍ଟନ ଏସଏଚ ୬ ଏକକ ବର୍ଗରେ ସ୍ୱର୍ଣ୍ଣ ପଦକ ଏବଂ ଏସଏଲ ୪ ବର୍ଗରେ ସୁହାସ ୟଥିରାଜ ରୌପ୍ୟ ପଦକ ଜିତିଛନ୍ତି ।

ହେଲେ ଭାରତ ପକ୍ଷରୁ ସବୁଠୁ ବଡ ସଫଳତା ହାସଲ କରିଛନ୍ତି ସୁଟର ଅବନି ଲେଖାରା । ସେ ପ୍ରଥମ ଭାରତୀୟ ମହିଳା ଆଥଲେଟ୍ ଭାବେ ସୁଟିଂରେ ସ୍ୱର୍ଣ୍ଣ ପଦକ ଏବଂ ବ୍ରୋଞ୍ଚ ପଦକ ଜିତି ଇତିହାସ ରଚିଛନ୍ତି । କେବଳ ଏତିିକି ନୁହେଁ ପାରା ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ପଦକ ବିଜୟିନୀ ଅବନି ଉଦଯାପନୀ ସମାରୋହରେ ଜାତୀୟ ପତାକ ବହନ କରିଛନ୍ତି ।

Get real time updates directly on you device, subscribe now.