fbpx

ଏବେ କ୍ଷମତା ପାଇଁ ନିଜ ଭିତରେ ଲଢେଇ, ହକ୍କାନୀ ଗୁଳିରେ ତାଲିବାନ ନେତା ବରାଦର ଆହତ

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ଅକ୍ତିକାର କରିବାର ଦୁଇ ସପ୍ତାହ ବିତି ସାରିଛି । ତଥାପି ଏ ପର୍ଯ୍ୟନ୍ତ ସରକାର ଗଠନକୁ ନେଇ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ । ଏବେ ଆଫଗାନିସ୍ତାନରେ କ୍ଷମତାକୁ ନେଇ ମୁହାଁମୁହିଁ ତାଲିବାନ ଓ ହକ୍କାନୀ ନେଟୱର୍କ । ଏହା ମଧ୍ୟରେ ବଡ ଖବର ଆସିଛି ଯେ, ତାଲିବାନର ସହ ସଂସ୍ଥାପକ ଅବଦୁଲ ଗନି ବରାଦର ଓ ହକାନୀ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଛି ଏବଂ ଏହ ସମୟରେ ଗୁଳି ମଧ୍ୟ ଚାଲିଛି । ଆଫଗାନିସ୍ତାନର ୱେବସାଇଟ୍ ପଞ୍ଜଶୀର ଅବଜରଭରର ରିପୋର୍ଟ ଅନୁଯାୟୀ, ଏହି ସଂଘର୍ଷରେ ଅବଦୁଲ ଗନି ବରାଦର ଆହତ ହୋଇଛି । କୁହାଯାଉଛି ହକ୍କାନୀ ଗୋଷ୍ଠୀ ପକ୍ଷରୁ ହିଁ ଗୁଳି ଚଳା ଯାଇଛି ।

କାବୁଲରେ ଗତ ରାତିରେ ତାଲିବାନର ଦୁଇ ବରିଷ୍ଠ ନେତା ମଧ୍ୟରେ କ୍ଷମତାକୁ ନେଇ ସଂଘର୍ଷ ସମୟରେ ଗୁଳିମାଡ ହୋଇଛି । ପଞ୍ଜଶୀର ପ୍ରସଙ୍ଗକୁ କେମିତି ସମାଧାନ କରାଯିବ ଏହାକୁ ନେଇ ଅନସ ହକ୍କାନୀ ଓ ମୁଲା ବରାଦରର ସଦସ୍ୟ ମଧ୍ୟରେ ଅସହମତି ରହିଥିଲା ଏବଂ ଏହାକୁ ନେଇ ଏହି ସଂଘର୍ଷ ଘଟିଥିବା କୁହାଯାଉଛି । ହକ୍କାନୀ ନେଟୱର୍କ ପକ୍ଷରୁ ଚଳାଯାଇଥିବା ଗୁଳିରେ ମୁଲ୍ଲା ବରାଦର ଆହତ ହୋଇଥିବା କୁହାଯାଉଛି । ପାକିସ୍ତାନରେ ତାଙ୍କର ଚିକିତ୍ସା ଚାଲିଛି । ହେଲେ ଆନୁଷ୍ଠାନିକ ଭାବେ ଘଟଣା ବିଷୟରେ କୌଣସି ସୂଚନା ଦିଆଯାଇନାହିଁ ।

ଅନ୍ୟପଟେ ହକ୍କାନୀ ନେଟୱର୍କ ଓ ତାଲିବାନ ମଧ୍ୟରେ ଜାରି ଟଣାଓଟରା ମଧ୍ୟରେ ଆଫଗାନିସ୍ତାନର ପୂର୍ବତନ ମହିଳା ସାଂସଦ ମରିୟମ ସୋଲେମାନଖିଲ ଶନିବାର ଦାବି କରିଛନ୍ତି ଯେ, ହକ୍କାନୀ ନେଟୱର୍କ ଓ ତାଲିବାନ ମଧ୍ୟରେ କ୍ଷମତାକୁ ନେଇ ଲଢେଇ ଆରମ୍ଭ ହୋଇ ଯାଇଛି । ହକ୍କାନୀ ନେଟୱର୍କର ନେତା ଅନସ ହକ୍କାନୀ ଓ ଖଲିଲ ହକ୍କାନୀଙ୍କ ତାଲିବାନ ନେତା ମୁଲ୍ଲା ବରାଦର ଏବଂ ମୁଲ୍ଲା ୟାକୁବ ସହିତ ସଂଘର୍ଷ ହୋଇଛି । ସୋଲେମାନଖିଲ ଟ୍ୱିଟ୍ କରିଛନ୍ତି ଯେ, ପାକିସ୍ତାନ ଚାହୁଁ ନାହିଁ ମୁଲ୍ଲା ବରାଦର ଦେଶର ନେତୃତ୍ୱ ନିଅନ୍ତୁ । ଅନ୍ୟପଟେ ହକ୍କାନୀ ନେଟୱର୍କ ସରକାରରେ ବଡ ଭାଗିଦାରୀ ଏବାଂ ପ୍ରତିରକ୍ଷା ମନ୍ତ୍ରୀ ପଦ ଦାବି କରୁଛି । ହେଲେ ତାଲିବାନ ଏତେ ସବୁ ଦେବାକୁ ପ୍ରସ୍ତୁତ ନୁହେଁ ।

Get real time updates directly on you device, subscribe now.