fbpx

ମହାରାଷ୍ଟ୍ରରେ ଛାତିଥରା ଘଟଣା: ନାବାଳିକାଙ୍କୁ ୯ମାସରେ ଧରି ଗଣଦୁଷ୍କର୍ମ କଲେ ୩୦ ଅଭିଯୁକ୍ତ, ୨୬ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଘଟିଛି ଭୟାନକ ଘଟଣା । ଯାହା ମାନବିକତାର ସମସ୍ତ ସୀମାକୁ ଟପିଛି । ଜିଲ୍ଲାରେ ଜଣେ ନାବାଳିକାକୁ ୩୦ ଜଣ ଗଣଦୁଷ୍କର୍ମ କରିଥିବା ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଦୀର୍ଘ ୯ ମାସ ଧରି ଗଣ-ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଥାନେ ଅଞ୍ଚଳରେ ଏହି ପୀଡ଼ିତାଙ୍କ ଜଣେ ଯୁବକଙ୍କ ସହିତ ସମ୍ପର୍କ ରହିଥିଲା । ସମ୍ପର୍କ ରଖିବା ସମୟର ଏକ ଭିଡ଼ିଓ ଆଧାରରେ ପୀଡ଼ିତାଙ୍କୁ କରାଯାଉଥିଲା ବ୍ଲାକମେଲିଂ । ଏହାର ସୁଯୋଗ ନେଇ ଅଭିଯୁକ୍ତମାନେ ପୀଡ଼ିତାଙ୍କ ସହିତ ଦୁଷ୍କର୍ମ କରୁଥିଲେ । ତେବେ ପ୍ରାୟ ୩୦ ଜଣ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଥିବା ବେଳେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କହିଛି ପୋଲିସ । ପୋଲିସ ଏହି ମାମଲାରେ ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ଚଳିତ ଜାନୁଆରୀରୁ ଆରମ୍ଭ କରି ସେପ୍ଟେମ୍ବର ପର୍ଯ୍ୟନ୍ତ ନାବାଳିକା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ପୀଡ଼ିତା ନାବାଳିକାଙ୍କର ବୟସ ୧୫ ବର୍ଷ । ଜାନୁଆରୀ ମାସରେ ପ୍ରଥମେ ପୀଡ଼ିତାଙ୍କର ଜଣେ ବନ୍ଧୁ ଅନ୍ୟ କିଛି ବ୍ୟକ୍ତିଙ୍କ ସହ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ପରେ ଦୁଷ୍କର୍ମ ସମୟର ଭିଡିଓ ରେକର୍ଡିଂ କରି ନାବାଳିକାଙ୍କୁ ବ୍ଲାକ ମେଲିଂ କରାଯାଇଥିଲା । ସେ ଦୁଷ୍କର୍ମର ଭିଡିଓ ଅନ୍ୟମାନଙ୍କୁ ପଠାଇଥିଲେ । ଏହି ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତମାନେ ୯ ମାସ ପର୍ଯ୍ୟନ୍ତ ନବାଳିକାଙ୍କୁ ବିଭିନ୍ନ ସ୍ଥାନକୁ ଡାକି ବାରମ୍ବାର ଦୁଷ୍କର୍ମ କରିଥିଲେ । ଲୋକ ଲଜ୍ଜା ଭୟରେ ସେ ପୁଲିସରେ ଏନେଇ ଅଭିଯୋଗ କରିନଥିଲେ । କିନ୍ତୁ ଶେଷରେ ସବୁ କିଛି ଅତିଷ୍ଟ ହୋଇଯିବାରୁ ସେ ପୁଲିସରେ ଅଭିଯୋଗ ଦାଖଲ କରିଛନ୍ତି । ୨ ନାବାଳକଙ୍କ ସମେତ ୩୦ ଜଣ ତାଙ୍କୁ ଦୀର୍ଘ ୯ ମାସ ଧରି ଦୁଷ୍କର୍ମ କରିବା ସହ ମାର୍‌ପିଟ୍‌ କରି ଶାରୀରିକ ଅତ୍ୟାଚାର କରିଥିବା ସେ ଅଭିଯୋଗ କରିଛନ୍ତି । ପୀଡ଼ିତା ଅଭିଯୋଗ ଦାଖଲ କରିବା ପରେ ଏକ ବିଶେଷ ଅଭିଯାନ ଦ୍ୱାରା ମାତ୍ର ୨୪ ଘଣ୍ଟା ମଧ୍ୟରେ ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଠାଣେ ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରୁ ସେମାନେ ଗିରଫ ହୋଇଛନ୍ତି । ଘଟଣାର ତଦନ୍ତ କରିବାକୁ ଏକ ପୁଲିସ ଟିମ୍‌ ଗଠନ ହୋଇଛି । ଫରେନ୍ସିକ୍‌ ଟିମ୍‌ ମଧ୍ୟ ମାମଲାର ତଦନ୍ତ କରୁଛି ।

Get real time updates directly on you device, subscribe now.