fbpx

ସାମ୍ନାକୁ ଆସିଲା ବହିଷ୍କୃତ କନେଷ୍ଟବଳ ପ୍ରସନ୍ନଙ୍କ ସମ୍ପତ୍ତି ତାଲିକା, ପ୍ରାୟ ୭ କୋଟି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନୀଷ ହତ୍ୟା ମାମଲାରେ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରା ଏବେ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ପ୍ରସନ୍ନଙ୍କ ଆୟ ବହିର୍ଭୁତ ସମ୍ପତ୍ତି ତାଲିକା । ଭିଜିଲାନ୍ସ ଦ୍ୱାରା ଚଢ଼ାଉ ହେବା ପରେ ୬ କୋଟି ୯୭ ଲକ୍ଷ ୧୫ ହଜାର ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଛି । ନିଜ ଆୟଠାରୁ ପ୍ରାୟ ୨୨୧ ଗୁଣା ଅଧିକ ସମ୍ପତ୍ତି ଠୁଳ ହୋଇଥିବା ସୂଚନା ମିଳିଛି । ବିପୁଳ ସମ୍ପତ୍ତି ଠୁଳନେଇ ପ୍ରସନ୍ନ ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି ।

ତେବେ ସମ୍ପତ୍ତିର ମୂଲ୍ୟାୟନ ନେଇ ଆଉ ଅଧିକ ଖୋଳତାଡ଼ ଜାରି ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ସ୍ପଷ୍ଟ ହେବା ପରେ ମାମଲା ରୁଜୁ କରିଛି ଭିଜିଲାନ୍ସ । ପ୍ରସନ୍ନ ଓ ତାଙ୍କ ପତ୍ନୀଙ୍କ ସମେତ ପରିବାର ସଦସ୍ୟଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏବେ ପ୍ରସନ୍ନ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିବ ଭିଜିଲାନ୍ସ । ପ୍ରସନ୍ନଙ୍କ ପରିବାରକୁ ପଚରାଉଚରା କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ଏଡିଜି ଯଶୋବନ୍ତ ଜେଠୁଆ ।

ଉଲ୍ଲେଖଯୋଗ୍ୟ ଯେ, ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ ୫ଟି ଘରେ ଏକାସାଙ୍ଗରେ ୫ଟି ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । କଳ୍ପନା ଛକ ବାସଭବନ ଓ ଡୁମଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର ଗୋଦାମରେ ରେଡ୍ ହୋଇଥିଲା । ଏହା ସହ ଲିଙ୍ଗିପୁର ଶାନ୍ତିବିହାର ଫର୍ଣ୍ଣିଚର ୱାର୍କସପ୍ ଓ ପାତ୍ରପଡ଼ା ସାଉଥସିଟି ବାର୍, ଖୋର୍ଦ୍ଧା ଜିଲ୍ଲାରେ ଥିବା ୨ ମହଲା ଘରେ ରେଡ୍ ହୋଇଥିଲା । ଚଢ଼ାଉରେ ୫ଟି ଟିମରେ ୨ ଡିଏସପି ଓ ୫ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ । ବେଆଇନ ଭାବେ ବାର ଚଳାଇବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିଲା । ପୂର୍ବରୁ ପ୍ରସନ୍ନ ଗିରଫ ହେବା ସହ ଚାକିରିରୁ ବହିଷ୍କୃତ ହୋଇଥିଲେ ।

Get real time updates directly on you device, subscribe now.