fbpx

ତ୍ରିକୋଣୀୟ ସିରିଜରେ ମୁହାଁମୁହିଁ ହୋଇ ପାରନ୍ତି ଭାରତ-ପାକିସ୍ତାନ, ପିସିବି ଅଧ୍ୟକ୍ଷ ରମିଜ୍ ରାଜାଙ୍କ ବଡ ବୟାନ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ । ଅନ୍ତିମ ଥର ଦୁଇ ଦେଶ ମଧ୍ୟରେ ୨୦୧୨-୧୩ରେ ସିରିଜ୍ ଖେଳାଯାଇଥିଲା । ନିକଟରେ ଟି-୨୦ ବିଶ୍ୱ କପରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ପାକିସ୍ତାନ ୧୦ ୱିକେଟରେ ବିଜୟୀ ହୋଇଥିଲା । ପିସିବି ଅଧ୍ୟକ୍ଷ ରମିଜ ରାଜା କହିଛନ୍ତି ଯେ, ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ସମ୍ଭାବନା ବହୁତ କମ । ମାତ୍ର ଦୁଇ ଦେଶ ତ୍ରିକୋଣୀୟ ସିରିଜରେ ପରସ୍ପରର ମୁକାବିଲା କରି ପାରନ୍ତି ।

ଆଇସିସି ଦୁଇ ଦିନ ତଳେ ପାକିସ୍ତାନକୁ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଅଧିକାର ଦେଇଛି । ଏମିତିରେ ପ୍ରଶ୍ନ ଉଠୁଛି ଯେ, ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତ ପାକିସ୍ତାନ ଗସ୍ତ କରିବ କି ନାହିଁ ? ଏହା ମଧ୍ୟରେ ରମିଜ ରାଜା କହିଛନ୍ତି, କୌଣସି ବି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଦେଶ ବାହାରେ କରାଯିବା ସହଜ ନୁହେଁ । କୌଣସି ବି ଦେଶକୁ ଆୟୋଜନର ଅଧିକାର ଦେବା ସମୟରେ ଏହା ଉପରେ ବିଚାର କରାଯାଇଥାଏ ଯେ, ସବୁ ଦେଶ ଯେମିତି ମ୍ୟାଚ୍ ଖେଳି ପାରିବେ । ମୋ ମତରେ ଭାରତ ଏଥିରୁ ପଛକୁ ହଟିବ ନାହିଁ ଏବଂ ପାକିସ୍ତାନ ଗସ୍ତ କରିବ ବୋଲି ରମିଜ ରାଜା କହିଛନ୍ତି ।
କାମ ସହଜ କଲେ ଗାଙ୍ଗୁଲି

ରମିଜ୍ ରାଜା କହିଛନ୍ତି, କାମକୁ ନେଇ ସୌରଭ ଗାଙ୍ଗୁଲିଙ୍କ ସହିତ ମୋର ଭଲ ସମ୍ବନ୍ଧ ରହିଛି । ଆମ ଦୁହିଁଙ୍କ ମଧ୍ୟରେ ଭଲ ଯୋଗାଯୋଗ ରହିଛି । ଯେତେବେଳେ ଦୁଇ ଜଣ ପୂର୍ବତନ କ୍ରିକେଟର ପ୍ରବନ୍ଧକ ଦାୟିତ୍ୱ ତୁଲାନ୍ତି, ତେବେ ସେମାନେ କ୍ରିକେଟ୍ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ଆଉ ଏମିତିରେ କାମ ସହଜ ହୋଇଯାଏ । ଏମିତିରେ ବି ୨୦୨୩ରେ ଦିନିକିଆ ବିଶ୍ୱ କପ୍ ଭାରତରେ ଆୟୋଜନ ହେବାର ଅଛି । ଏଥିରେ ଯୋଗ ଦେବାକୁ ପାକିସ୍ତାନ ଦଳ ଭାରତ ଗସ୍ତ କରିବ । ପାକିସ୍ତାନ ଦଳ ୨୦୧୬ରେ ମଧ୍ୟ ଟି-୨୦ ବିଶ୍ୱ କପ୍ ଖେଳିବା ପାଇଁ ଭାରତ ଆସିଥିଲା ।

ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଉନଥିବାରୁ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ବହୁତ କମ ହୋଇଥାଏ । ଦୁଇ ଦଳ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ହିଁ ମୁହାଁମୁହିଁ ହୁଅନ୍ତି । ଆସନ୍ତା ବର୍ଷ ଶ୍ରୀଲଙ୍କାରେ ଟି-୨୦ ଏସିଆ କପ୍ ଏବଂ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱ କପ୍ ଖେଳାଯିବ । ଦୁଇ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିପାରେ ।

Get real time updates directly on you device, subscribe now.