fbpx

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣର ସ୍ମୃତିଚାରଣ ଓ ସାମାଜିକ ବାର୍ତ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସକାଳ ପାଇଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ । ଉତ୍କଳୀୟ ପରମ୍ପରାରେ ଡ଼ଙ୍ଗା ଭସାଇବା ଓ ବୋଇତ ବନ୍ଦାଣର ଦିନ । ଅତୀତରେ ସାଧବ ପୁଅର ନୌବାଣିଜ୍ୟ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ବୋଇତରେ ଏକ ବଳିଷ୍ଠ ବାର୍ତ୍ତା ଦେବା ପାଇଁ ପ୍ରୟାସ କରିଛନ୍ତି । ଭୁବନେଶ୍ୱର ପୋଖରୀପୁଟସ୍ଥିତ ଇନ୍ଦ୍ରପସ୍ଥ କଲୋନୀ ଫେଜ୍-୨ରେ ରହୁଥିବା ସୁଶାନ୍ତ ପରିବେଶ ଉପଯୋଗୀ ବାଉଁଶ, କାଠ ଓ ସୂତା, ରଙ୍ଗ ଆଦିକୁ ବ୍ୟବହାର କରି ତିଆରିଛନ୍ତି ଏକ ସବୁଜ ବୋଇତ । ବୋଇତ ଉପରେ ଓଡ଼ିଆ ଭାଷାରେ ରହିଛି ଏକ ସୁନ୍ଦର ପରିବେଶଧର୍ମୀ ମନଛୁଆଁ ସ୍ଲୋଗାନ୍ ‘ଆସ ତିଆରିବା ହେନ୍ତାଳ ବଣ, ଏ ନେଇ ସମସ୍ତେ କରିବା ପଣ, ରହିବା ସୁରକ୍ଷିତ ସଭିଏଁ ଜାଣ’ ।
ଦିନ ଥିଲା ସାଧବ ପୁଅ ବାଲି, ସୁମାତ୍ରା, ଜାଭା, ଶ୍ରୀଲଙ୍କା ଆଦି ଦେଶମାନଙ୍କରେ ନୌବାଣିଜ୍ୟ କରି ରାଜ୍ୟକୁ ନେଇ ଆସୁଥିଲେ ଅନେକ ଧନ । ରାଜ୍ୟ ହେଉଥିଲା ସମୃଦ୍ଧ । ସମ୍ପ୍ରତି ଦ୍ୱୀପ ମଧ୍ୟରେ ରହିଥିବା ଛୋଟ ଛୋଟ ଦେଶଗୁଡ଼ିକ ବିପଦରେ । ବିଶ୍ୱ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀ ତାପମାତ୍ରାରେ ଅସ୍ୱାଭାବିକ ପରିବର୍ତ୍ତନ ସମଗ୍ର ମାନବ ସମାଜ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବାକୁ ଯାଉଛି । ଦ୍ୱୀପ ମଧ୍ୟରେ ରହିଥିବା ସମୃଦ୍ଧିଶାଳୀ ଦେଶ ଏବଂ ସମୁଦ୍ର ଉପକୂଳରେ ରହିଥିବା ଛୋଟ ବଡ଼ ସହର ଏବଂ ଗ୍ରାମଗୁଡ଼ିକ ସମୁଦ୍ର ଗର୍ଭରେ ଲୀନ ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏ ପ୍ରକାର ବିପଦକୁ କେବଳ ପରିବେଶ ସୁରକ୍ଷା ମାଧ୍ୟମରେ ଟାଳି ହେବ ବୋଲି ସୁଶାନ୍ତ କହିଛନ୍ତି । ସାମୁଦି୍ରକ ଅବକ୍ଷୟ ଏବଂ ବାତ୍ୟାକୁ ରୋକୁଥିବା ହେନ୍ତାଳ ବଣ ହିଁ ଏକମାତ୍ର ସୁରକ୍ଷା କବଚ । ଯେଉଁ ସୁରକ୍ଷା କବଚ ଦିନେ ବାତ୍ୟା, ବନ୍ୟାକୁ ରୋକୁଥିଲା, ସେହି କବଚକୁ ମଜଭୂତ କରିବା ପାଇଁ ବ୍ୟାପକ ହେନ୍ତାଳ ବଣର ଆବଶ୍ୟକତା ରହିଛି । ତେଣୁ ଏ ଦିଗରେ ଜନସଚେତନତା ନିତାନ୍ତ ଆବଶ୍ୟକ ବୋଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ବୋଇତରେ ଶ୍ରୀ ସାହୁ ଦେଇଛନ୍ତି ଏହି ନିଆରା ବାର୍ତ୍ତା । ସୁଶାନ୍ତଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।

Get real time updates directly on you device, subscribe now.