fbpx

ଆଜି ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଏସ୍‌କେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ସେବାରେ ସାମିଲ ହେବ ଆଉ ୨ଟି ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ଗସ୍ତ କରି ସେଠାରେ ବିଏସ୍‌କେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ସଭାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ । ଏହାସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ପରେ ମଧ୍ୟାହ୍ନ ୧୨ଟାରେ ଢେଙ୍କାନାଳ ଷ୍ଟାଡିୟମରେ ପହଞ୍ଚି ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ଶନିବାର ଦିନ ୧୨ଟାରେ ଢେଙ୍କାନାଳ ସ୍ଥିତ ମିନି ଷ୍ଟାଡିଅମରେ ଆୟୋଜନ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନବୀନ ଯୋଗଦେଇ ଜିଲ୍ଲାର ୨ ଲକ୍ଷ ୯୪ ହଜାର ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିବା ସହ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି  ସହରାଞ୍ଚଳରେ ମୋଟ ୧୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ଶିବା ସୁବ୍ରମଣୀଙ୍କ ନେତୃତ୍ୱରେ ଜଣେ ଏଏସପି, ୫ଜଣ ଡ଼ିଏସପି, ୯ଜଣ ଇନିସପେକ୍ଟର, ୬୨ଜଣ ଏଏସଆଇ ଓ ୧୩ଜଣ ଟ୍ରାଫିକ ପୁଲିସ ନିୟୋଜିତ ହୋଇଛନ୍ତି ।

ସେହିପରି ଅନୁଗୁଳ ଜିଲ୍ଲାର ମୁଖ୍ୟ ଷ୍ଟାଡିୟମ ପଡିଆ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ସଭାରେ ଯୋଗ ଦେଇ ହିତାଧିକାରୀମାନଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ଅନୁଗୁଳ ଜିଲ୍ଲାରେ ୯୨୪କୋଟି ଓ ଢେଙ୍କାନାଳ ଜିଲ୍ଲାରେ ୮ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.