ଜୁନିୟର ହକି ବିଶ୍ୱକପର ସେମି ଫାଇନାଲ: ଆଜି ଶକ୍ତିଶାଳୀ ଜର୍ମାନୀକୁ ଭେଟିବ ଭାରତ, ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ କୋଚ୍‌ ଗ୍ରାହାମ୍‌ ରିଡ୍‌ଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଚଳିତ ଜୁନିୟର ହକି ବିଶ୍ୱକପର ସେମିଫାଇନାଲରେ ଶକ୍ତିଶାଳୀ ଜର୍ମାନୀକୁ ଭେଟିବ ଭାରତ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ମ୍ୟାଚ୍‌ ରାତି ୭ଟା ୩୦ ମିନିଟରୁ ଆରମ୍ଭ ହେବ । ଭାରତୀୟ ଦଳ ପାଇଁ ପୁଣି ଆଉ ବଡ ଚାଲେଞ୍ଜ ସାମ୍ନା କରିବ।

ସୂଚନା ମୁତାବିକ, ଚଳିତ ଜୁନିୟର ହକି ବିଶ୍ୱକପ ଜିତିବା ଲକ୍ଷ୍ୟରେ ଥିବା ଭାରତୀୟ ଦଳ ପାଇଁ ପୁଣି ଆଉ ଏକ ଅଗ୍ନି ପରୀକ୍ଷା । ବେଲଜିୟମ ବିପକ୍ଷ କ୍ୱାର୍ଟରଫାଇନାଲ ମ୍ୟାଚ ଭାରତୀୟ ଦଳ ପାଇଁ ମସ୍ତବଡ ଚାଲେଞ୍ଜ ଥିଲା । ମାତ୍ର ଏହି ବାଧାକୁ ଅତିକ୍ରମ କରିବା ପରେ ଭାରତ ଶୁକ୍ରବାର ଦିନ ଜର୍ମାନୀ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଆଉ ଏକ ପ୍ରତିବନ୍ଧକ ଅତିକ୍ରମ କରିବାକୁ ପଡିବ । ତେବେ ଏହି ମ୍ୟାଚରେ ବିଜୟ ଲାଭ କରିବା ଭାରତ ପାଇଁ ଏକ ବଡ ଆହ୍ୱାନ । କାରଣ ସର୍ବାଧିକ ଛଅ ଥର ଚାମ୍ପିଅନ ଜର୍ମାନୀ ଚଳିତ ବିଶ୍ୱକପରେ ସମସ୍ତଙ୍କ ଠାରୁ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି । ତେଣୁ ଜର୍ମାନୀକୁ ଚାଲେଞ୍ଜ କରିବା ପାଇଁ ଭାରତୀୟ ଦଳକୁ ସ୍ୱତନ୍ତ୍ର ଗୁରୁମନ୍ତ୍ର ଦେଇଛନ୍ତି ସିନିୟର ଦଳର ମୁଖ୍ୟ କୋଚ ଗ୍ରାହାମ ରିଡ୍‌ । ପ୍ରଥମ ସେମିଫାଇନାଲରେ ଆର୍ଜେଣ୍ଟିନା-ଫ୍ରାନ୍ସ ମୁକାବିଲା ହେବା ପାଇଁ ଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଜର୍ମାନୀ । ତେଣୁ କୋଚ ରିଡ୍‌ କହିଛନ୍ତି ଯେ ଯେ କୌଣସି ଚାପ ପରିସ୍ଥିତି ଆସିଲେ ମଧ୍ୟ ଅତ୍ୟଧିକ ବ୍ୟତିବ୍ୟସ୍ତ ନ ହୋଇ ସ୍ଥିର ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ । କାରଣ ଏହା ପ୍ରଦର୍ଶନ ଉପରେ ବରାବର ନକରାତ୍ମକ ପ୍ରଭାବ ପକାଇବ । ତେଣୁ ସବୁ ମୁହୂର୍ତ୍ତରେ ମନ ସ୍ଥିର କରି ଲଢ଼େଇ କରିବା ଉଚିତ । ବିଶେଷ ବିଚଳିତ ହୋଇ ଖେଳିଲେ ଅଧିକ ତ୍ରୁଟି କରିବାକୁ ପରିସ୍ଥିତି ବାଧ୍ୟ କରିବ ।

ଏହା ଫଳରେ ପ୍ରତିକ୍ଷ ଦଳ ଫାଇଦା ଉଠାଇବା ପାଇଁ ସୁଯୋଗ ପାଇବେ । କାରଣ ଜର୍ମାନୀ ଏକ ଶକ୍ତିଶାଳୀ ଦଳ । ସେମାନେ ସବୁବେଳେ ସୁଯୋଗକୁ ଅପେକ୍ଷା କରି ରହିଥାନ୍ତି । ତେଣୁ ସୁଚିନ୍ତିତ ଭାବେ ଆକ୍ରମଣ ଜାରି ରଖିଲେ ବେଲଜିୟମ ପରି ସେମାନେ ନିଶ୍ଚିତ ଭିନ୍ନ ପରିଣତି ଭୋଗିବେ । ସେହିପରି ରକ୍ଷଣ ଭାଗ ଖେଳାଳିଙ୍କ ଉପରେ ସବୁକିଛି ନିର୍ଭର କରେ । ଏହା ବ୍ୟତିତ ଗୋଲ କିରଙ୍କୁ ବଡ ଭୂମିକା ଗ୍ରହଣ କରିବାକୁ ପଡିବ । ବେଲଜିୟମ ବିକ୍ଷ ମ୍ୟାଚରେ ଭାରତୀୟ ଦଳର ପ୍ରଦର୍ଶନକୁ ତାରିଫ କରି ରିଡ୍‌ କହିଛନ୍ତି ଯେ ସେମିଫାଇନାଲରେ ଏହି ସଫଳତା ଜାରି ରଖି ପାରିଲେ ବିଜୟ ନିଶ୍ଚିତ ସମ୍ଭବ ହୋଇ ପାରିବ ।