fbpx

ଦୁର୍ବଳ ହେଉଛି ବାତ୍ୟା “ଜୱାଦ’: ଆଜି ମଧ୍ୟାହ୍ନ ସୁଦ୍ଧା ପୁରୀ ନିକଟବର୍ତ୍ତୀ ଅଞ୍ଚଳରେ ଘଷି ହୋଇଯିବ, ପ୍ରବଳ ବର୍ଷିବ, କମ୍ ପବନ ବହିବ

ବର୍ଷା ସରିବା ପରେ ଚାଷ କ୍ଷୟକ୍ଷତି ଆକଳନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଉପକୂଳବାସୀଙ୍କ ପାଇଁ ଆଶ୍ୱାସନାର ଖବର । ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା “ଜୱାଦ’ ।  ଶନିବାର ସଂନ୍ଧ୍ୟା ସାଢ଼େ ୫ଟା ବେଳେ ଗଭୀର ଅବପାତ ବା ଡିପ୍ ଡିପ୍ରେସନ୍‌ରେ ପରିଣତ ହୋଇସାରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି । ଆଜି ସକାଳ ସୁଦ୍ଧା ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ ଏକ ଅବପାତରେ ପରିଣତ ହେବ ।  ମଧ୍ୟାହ୍ନ ସୁଦ୍ଧା ପୁରୀ ନିକଟବର୍ତ୍ତୀ ହେବ ଓ ଧୀରେ ଧୀରେ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିବ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଏକ ଲଘୁଚାପରେ ପରିଣତ ହୋଇ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ ।ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମବଙ୍ଗରେ ବି ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

 

ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟାର ପ୍ରଭାବରେ କମ୍‌ ପବନ ବହିବ, ମାତ୍ର ପ୍ରବଳ ବର୍ଷା ହେବ । ସେ କହିଛନ୍ତି ଯେ, ବାତ୍ୟାର ତୀବ୍ରତା ହ୍ରାସ ପାଇ ଚାଲିଛି । ପୁରୀରେ ପହଞ୍ଚଲା ବେଳକୁ ଏହା ଅବପାତରେ ପରିଣତ ହୋଇଥିବ । ଏହି ସମୟରେ ଘଣ୍ଟାକୁ ୬୦ରୁ ୭୦ କିମି ପବନ ରହିବ । ଏହା ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଆଡ଼କୁ ଯିବ । ରିକର୍ଭ କରି ବେଗ କମିବ । ଗଞ୍ଜାମ, ପୁରୀ, ଜଗତସିଂହପୁରଓ ଖୋର୍ଦ୍ଧାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ଭୁବନେଶ୍ୱରରେ ୨୦୦ ମିମି ବର୍ଷା ହୋଇପାରେ । ଭତ୍ତିଭୂମି କ୍ଷତି ହେବାର ସମ୍ଭାବନା କମ୍‌ ରହିଛି । ତେବେ ଫସଲ ନଷ୍ଟ ହେବା, ଧାନ ପବନରେ ଶୋଇଯିବା ଓ ପନିରିବା କ୍ଷତି ହେବା ଆଶଙ୍କା କରାଯାଉଛି । ରବିବାର ରାତି ସୁଦ୍ଧା ପ୍ରଭାବ କମିଯିବ । ବର୍ଷା ଦେଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଜୁଆରର ଉଚ୍ଚତା ମାତ୍ର ଦେଢ଼ ଫୁଟରୁ ୨ ଫୁଟ ବଢିବ । ୧୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୩୦୦ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ବିଭିନ୍ନ ଜିଳ୍ଲା ଓଡ୍ରାଫ, ଓ ଏନ୍‌ଡିଆରଫ ଦଳ ମୁତୟନ ଅଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ କଚ୍ଚା ଘର ଛାଡ଼ିବା ପାଇଁ କୁହାଯାଉଛି । ଗଛ ଭାଙ୍ଗିବା ସମ୍ଭାବନା ଅଛି । ପବନ ସମୟରେ କେହି ଘରୁ ବାହାରନ୍ତୁ ନାହିଁ । ଘର ପାଖ କୋଠା ଘରରେ ରୁହନ୍ତୁ । ବାତ୍ୟା ସରିବା ପରେ ଚାଷଜନିତ କ୍ଷତିକୁ ପ୍ରାଥମିକତା ଭିତିରେ ୭ ଦିନ ଭିତରେ ଆକଳନ କରାଯିବ ବୋଲି ଏସ୍‌ଆର୍‌ସି କହିଛନ୍ତି ।

ଅନ୍ୟପଟେ ବାତ୍ୟାକୁ ଦୃଷ୍ଟିରେ ରଖି ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଥିଲା ଏବଂ ପୁରୀ ବେଳାଭୂମିରେ ରେଡ ଫ୍ଲାଗ୍‌ ଲଗାଯିବା ସହ ବେଳାଭୂମିକୁ ଜନସାଧାରଣଙ୍କ ପ୍ରବେଶ ବାରଣ କରାଯାଇଥିଲା । ବାତ୍ୟା ଦୁର୍ବଳ ହୋଇଥିଲେ ବି ବର୍ଷାର ପ୍ରକୋପ ଜାରି ରହିବ । ଶୁକ୍ରବାରଠାରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିଛି । ଶନିବାର ସକାଳ ୭ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଗୋପାଳପୁରରେ ୪୩ ଦଶମିକ ୩ ମିମି, ପୁରୀରେ ୪୦ ମିମି ଓ ଭୁବନେଶ୍ୱରରେ ୧୦.୪ ମିମି ବର୍ଷା ରେକର୍ଡ ହୋଇଛି । ପୁରୀ ଓ ଗୋପାଳପୁର ବନ୍ଦରପାଇଁ ୭ ନମ୍ବର ବିଦସଙ୍କେତ ଜାରି ହୋଇଥିବାବେଳେ ପାରାଦୀପ ଓ ଧାମରା ପାଇଁ ୪ ନମ୍ବର ବିପଦସଙ୍କେତ ଜାରି ହୋଇଛି ।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଆଖି ଆଗରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଶନିବାର ୩୬ଟି ଟ୍ରେନ୍‌କୁ ବାତିଲ କରାଯାଇଥିବାବେଳେ ରବିବାର ପାଇଁ ୩୮ଟି ଟ୍ରେନ୍‌କୁ ବାତିଲ କରାଯାଇଛି । ସେହିପରି ୬ ତାରିଖରେ ଗୁଣୁପୁର-ପୁରୀ ଏକ୍ସପ୍ରେସ୍‌ ବାତିଲ ରହିବ ବୋଲି ପୂର୍ବତଟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ବର୍ଷା ଯୋଗୁ ଉପକୂଳ ଅଞ୍ଚଳର ଚାଷ ଜମିଗୁଡ଼ିକରେ ବର୍ଷା ପାଣି ପଶିବାରୁ ଚାଷୀକୁଳଙ୍କର ବ୍ୟାପକ କ୍ଷତି ଘଟିଛି । ଏପରିକି କଟା ହୋଇଥିବା ଧାନ ଫସଲ ବିଲରେ ପଡ଼ି ରହିଛି

Get real time updates directly on you device, subscribe now.