fbpx

ଧନ୍ୟରେ କଳିଯୁଗ! ଚା’ କପ୍ ମୂଲ୍ୟ ୫୫ ଟଙ୍କା: ଅଯୋଧ୍ୟାରେ ରାମଙ୍କ ନାଁରେ ଲୁଟୁଛନ୍ତି ବେପାରୀ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରକୁ ନେଇ ଏବେ ସବୁଠି ଚର୍ଚ୍ଚା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ଦିନରୁ ରାମ ମନ୍ଦିରକୁ ଛୁଟିଛି ରାମଭକ୍ତଙ୍କ ଲମ୍ବା ଧାଡ଼ି । ‘ବାଲକ ରାମ’ଙ୍କ ଦିବ୍ୟ ଦର୍ଶନ ପାଇବା ପାଇଁ ଦେଶର କୋଣ ଅନୁକୋଣରୁ ଲୋକଙ୍କ ସୁଅ ଛୁଟିଛି । କିନ୍ତୁ ଏହି ଭକ୍ତି ଏବଂ ଅସହାୟତାର ଫାଇଦା ଉଠାଉଛନ୍ତି ଅଯୋଧ୍ୟାର ବ୍ୟବସାୟୀ । ଗୋଟିଏ କପ୍ ଚା’ର ମୂଲ୍ୟ ୫୫ ଟଙ୍କା ଦେଇ ବାଧ୍ୟ ହେଉଛନ୍ତି ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ । ତେବେ ଏହି ଘଟଣା ପରେ ଅସନ୍ତୋଷ ଜାହିର କରି ରାମଙ୍କ ନାଁରେ ଏଠି ଲୁଟ ହେଉଥିବା ଅନେକ ଭକ୍ତ କହିଛନ୍ତି ।

ଅଯୋଧ୍ୟାକୁ ପ୍ରଭୁ ଶ୍ରୀରାମଙକ ଦର୍ଶନ କରିବାକୁ ଆସିଥିବା ଜଣେ ଶ୍ରଦ୍ଧାଳୁ ସୋସିଆଲ ମିଡିଆରେ ଏକ ରେଷ୍ଟୁରାଣ୍ଟର ବିଲ୍ ପୋଷ୍ଟ କରିଛନ୍ତି । ଏହି ଫଟୋରୁ ଜଣାଯାଇଛି ଯେ, ଅଯୋଧ୍ୟାର ଶବରୀ ରେଷେଇ ନାମକ ଏକ ରେଷ୍ଟୁରାଣ୍ଟରେ ଗୋଟିଏ କପ୍ ଚା’ର ମୂଲ୍ୟ ୫୫ ଟଙ୍କା ହୋଇଥିବା ବେଳେ ଗୋଟିଏ ଟୋଷ୍ଟ ୬୫ ଟଙ୍କାରେ ବିକ୍ରି କରାଯାଉଛି । ବ୍ୟବସାୟୀଙ୍କ ଏଭଳି ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଅଯୋଧ୍ୟାକୁ ରାମଙ୍କ ଧର୍ଶନ ପାଇଁ ଆସିଥିବା ଅନେକ ଶ୍ରଦ୍ଧାଳୁ । ଏହାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ X(ଟ୍ୱିଟର)ରେ ମଧ୍ୟ ଖୁବ ଆଲୋଚନା ହେବାରେ ଲାଗିଛି ।

ତେବେ ଏହି ଫଟୋ ପୋଷ୍ଟ କରି ୟୁଜର ଜଣକ ଲେଖିଛନ୍ତି ଯେ, ଅଯୋଧ୍ୟା, ଶବରୀ ରଷୋଇ, ୫୫ ଟଙ୍କାରେ ଗୋଟିଏ ଚା’, ୬୫ ଟଙ୍କାରେ ଗୋଟିଏ ଟୋଷ୍ଟ । ରାମଙ୍କ ନାମରେ ଲୁଟ, ଲୁଟି ପାରିଲେ ଲୁଟ୍ । ଏହି ରେଷ୍ଟୁରାଣ୍ଟ ବିଲ୍ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ସୋସିଆଲ ମିଡିଆ ୟୁଜର ମଧ୍ୟ ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ଜଣେ ୟୁଜର ଏଥିରେ ଲେଖିଛନ୍ତି, ତୀର୍ଥକୁ ପର୍ଯ୍ୟଟନ ସ୍ଥଳୀ କରିଦେଲେ ଶ୍ରଦ୍ଧା କେଉଁଠୁ ଆସିବ? ସମସ୍ତେ ରାମ ନାମରେ ଅର୍ଥ ଉପାର୍ଜନ କରିବାରେ ବ୍ୟସ୍ତ । ତାହେଲେ ଏଭଳି ସ୍ଥାନକୁ ତୁମେ କାହିଁକି ଯାଅ ବୋଲି ଆଉ ଜଣେ ୟୁଜର ପ୍ରଶ୍ନ କରିଛନ୍ତି । ସେ ଲେଖିଛନ୍ତି ଯେ, ତୁମାକୁ ତ କେହି ଧରି ନେଇ ଯାଇ ନଥିବେ । ସର୍ଭିସ ପୂରା ଦରକାର, ଟଙ୍କା ଦେବା ବେଳକୁ କଷ୍ଟ ହେଉଛି । ଏଭଳି ମାମଲାକୁ ନେଇ ଏବେ ସୋସିଆଲ ମିଡିଆ ସରଗରମ ହୋଇଛି ।

Get real time updates directly on you device, subscribe now.