fbpx

ବାପାଙ୍କ ପାଇଁ ଦିନଟିଏ… କାହିଁକି ପାଳନ ହୁଏ Father’s Day? ଜାଣନ୍ତୁ ପିତୃଦିବସର ଇତିହାସ

Advertisement

ଓଡ଼ିଶା ଭାସ୍କର: ଆଜି ପିତୃଦିବସ, ଦୁନିଆର ସବୁ ବାପାଙ୍କ ପାଇଁ ସ୍ୱତନ୍ତ୍ର ଦିନଟିଏ । ନିଜକୁ ଆଉ ନିଜ ଖୁସିକୁ ଭୁଲି ପରିବାର ଓ ସନ୍ତାନଙ୍କ ପାଇଁ ବଞ୍ଚୁଥିବା ସେହି ମଣିଷକୁ ଭକ୍ତି ପାଇବାର ଦିନ । ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ ପିଲାଙ୍କ ଭବିଷ୍ୟତ ଏବଂ ସଫଳତା ପାଇଁ ନିଜର ସମସ୍ତ ହସଖୁସି, ଧନସମ୍ପତ୍ତିକୁ ହସି ହସି ଜଳାଞ୍ଜଳି ଯିଏ ଦେଇପାରେ , ସେ ହେଉଛନ୍ତି ବାପା । ଜଣେ ପିତାଙ୍କ ବ୍ୟତୀତ ଏଭଳି ତ୍ୟାଗ ଏବଂ ଉତ୍ସର୍ଗ କରି ପାରୁଥିବା ବ୍ୟକ୍ତି ଆଉ କେହି ଏ ଦୁନିଆରେ ନାହାନ୍ତି । ତାଙ୍କ ଋଣ ସୁଝିବା ଗୋଟିଏ ଜନମ ନୁହେଁ, ସାତ ଜନମରେ ବି ସମ୍ଭବ ହୋଇପାରିବ ନାହିଁ । ବାସ୍ ତାଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ପାଇଁ ସନ୍ତାନମାନଙ୍କ ତରଫରୁ ଗୋଟିଏ ଦିନ ପାଳନ ହୁଏ ଫାଦର୍ସ ଡେ’ । ତେବେ ଆସନ୍ତୁ ଜାଣିବା ଏହି ଦିବସର ଇତିହାସ ଏବଂ ଏହାର ମହତ୍ତ୍ୱ….

ଫାଦର୍ସ ଡେ’ ବା ପିତୃଦିବସ ପ୍ରଥମ ଥର ପାଇଁ ୱଶିଂଟନର ସ୍ପୋକେନ ସହରରେ ପାଳନ କରାଯାଇଥିଲା । ସୋନୋରା ସ୍ମାର୍ଟ ଡାଡଙ୍କ ପ୍ରସ୍ତାବରେ ଆରମ୍ଭ ହୋଇଥିଲା ଏହି ଦିବସର ପାଳନ । ସୋନୋରାଙ୍କର ମା ନଥିଲେ, ତେଣୁ ୫ ଭାଇ ଭଉଣୀଙ୍କ ସହ ତାଙ୍କୁ ମଧ୍ୟ ମା-ବାପା ଉଭୟଙ୍କ ଭଲ ପାଇବା ଦେଇଥିଲେ ସୋନୋରାଙ୍କ ବାପା । ପିଲାଙ୍କ ପାଳନ-ପୋଷଣରୁ ଆରମ୍ଭ କରି ସେମାନଙ୍କ ପ୍ରତି ସ୍ନେହ, ଆଦର, ତ୍ୟାଗ ଏବଂ ସମର୍ପଣରେ ସେ ସମସ୍ତ ପିଲାଙ୍କୁ ବଡ଼ ମଣିଷ କରିଥିଲେ । ସେଥିପାଇଁ ମା’ଙ୍କ ପାଇଁ ପାଳନ ହେଉଥିବା ‘ମଦର୍ସ ଡେ’ ଭଳି ପିତାଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଦିନ ରହିବା ଆବଶ୍ୟକ ବୋଲି ଚିନ୍ତା କରିଥିଲେ ସୋନୋରା । ପିତାଙ୍କ ପ୍ରତି ସନ୍ତାନମାନଙ୍କର ଥିବା ସ୍ନେହ ପ୍ରେମ ଇତ୍ୟାଦି ପାଇଁ ‘ଫାଦର୍ସ ଡେ’ ପାଳନ କରିବା ଆରମ୍ଭ କରିିଲେ ।

ତେବେ ସୋନୋରାଙ୍କ ବାପାଙ୍କ ଜନ୍ମଦିନ ଜୁନ୍ ମାସରେ ହେଉଥିଲା । ତେଣୁ ଜୁନ୍ ମାସରେ ହିଁ ସେ ‘ଫାଦର୍ସ ଡେ’ ପାଳନ କରିବା ପାିଁ ଯାଚିକା ଦାୟର କରିଥିଲେ । ଏହାସହିତ ‘ଫାଦର୍ସ ଡେ’କୁ ନେଇ ଲୋକଙ୍କ ମନରେ ସଚେତନତା ବୃଦ୍ଧି କରିବା ପାଇଁ ଅନେକ କ୍ୟାମ୍ପ କରିଛନ୍ତି । ଶେଷରେ ତାଙ୍କର ଏହି ଦାବି ପୂରଣ ହେବା ସହ ୧୯୧୦ ମସିହା ଜୁନ୍ ୧୯ ତାରିଖରେ ପାଳନ ହୋଇଥିଲା ଇତିହାସର ପ୍ରଥମ ‘ଫାଦର୍ସ ଡେ’ । ୧୯୬୬ ମସିହାରେ ରାଷ୍ଟ୍ରପତି ଲିଣ୍ଡନ୍ ଜନସନ ଜୁନ୍ ମାସର ତୃତୀୟ ରବିବାରରେ ଫାଦର୍ସ ଡେ’ ପାଳନ କରିବା ପାଇଁ ଘୋଷଣା କରିଥିଲେ । ଏହାପରେ ସମଗ୍ର ଆମେରିକାରେ ଏହାକୁ ମାନ୍ୟତା ମିଳିବା ସହ ୧୯୭୨ ମସିହାରେ ଏହାକୁ ଏକ ଛୁଟିଦିନ ଭାବରେ ମଧ୍ୟ ଘୋଷଣା କରାଗଲା ।

ମାତା-ପିତାଙ୍କ ତ୍ୟାଗ ଏବଂ ଭଲପାଇବାକୁ ଶବ୍ଦରେ ବୟାନ କରିବା ଅସମ୍ଭବ । ତେଣୁ ଫାଦର୍ସ ଡେ’ ଦିନରେ ପିତାଙ୍କ ସମର୍ପଣ ଏବଂ ସ୍ନେହ ପ୍ରତି ସମ୍ମାନ ଏବଂ ଖୁସି ଜାହିର କରିବା ପାଇଁ ଗୋଟିଏ ଦିନ ବୋଲି ପାଳନ କରାଯାଉଛି । ଏହି ଦିନରେ ସନ୍ତାନ ନିଜ ପିତାଙ୍କୁ ଖୁସି କରିବା ପାଇଁ ଭିନ୍ନ ଭିନ୍ନ ପ୍ରୟାସ କରିଥାନ୍ତି । କେହି ନିଜ ପିତାଙ୍କ ତାଙ୍କ ମନ ପସନ୍ଦର ଉପହାର ଦେଇଥାନ୍ତି ତ ଆଉ କେହି ତାଙ୍କ ସହ ସମୟ ବିତାଇଥାନ୍ତି । ଜୀବନରେ ପିତାଙ୍କ ଭୂମିକାକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି ଦିନକୁ ସାରା ବିଶ୍ୱରେ ସେଲିବ୍ରେଟ କରାଯାଇଥାଏ ।

Get real time updates directly on you device, subscribe now.