ଶ୍ରୀଲଙ୍କାରେ ଚାଲିଥିବା ଏମର୍ଜିଂ ଏସିଆ କପ୍‌ରେ ପାକିସ୍ତାନକୁ ୮ ୱିକେଟ୍‌ରେ ହରାଇଲା ଭାରତ

ନୂଆଦିଲ୍ଲୀ: ଭାରତର ବୋଲିଂ ଏବଂ ବ୍ୟାଟିଂ ଆଗରେ ଧରାଶାଇ ହୋଇଛି ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ। ଶ୍ରୀଲଙ୍କାର କଲମ୍ବୋରେ ଚାଲିଥିବା ଏମର୍ଜିଂ ଏସିଆ କପ୍‌ରେ ପାକିସ୍ତାନ ଦଳକୁ ଆଠ ୱିକେଟ୍‌ରେ ପରାସ୍ତ କରିଛି। ପାକିସ୍ତାନ ଏ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। କିନ୍ତୁ ଭାରତୀୟ ବଲରଙ୍କ ଦୁର୍ଦଶ ବୋଲିଂ ଆଗରେ ପରା ପାକିସ୍ତାନ ଟିମ୍ ମାତ୍ର ୨୦୫ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହିତ ଭାରତ ସେମିଫାଇନଲରେ ପହଂଚିଛି। ଶନିବାର ଭାରତ ବାଂଲାଦେଶ ମଧ୍ୟରେ ସେମିଫାଇନାଲ ମୁକାବିଲା ହେବ।

ଭାରତ ପାଇଁ ଆର୍‌ଏସ୍‌. ହଙ୍ଗରଗେକର ସର୍ବାଧିକ ୫ ୱିକେଟ୍ ନେଇଥିବା ବେଳେ ମାନବ ସୁତାର ୩ଟି, ରିୟାନ ପରାଗ ଏବଂ ନିଶାନ୍ତ ସିନ୍ଧୁ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ପାକିସ୍ତାନ ପାଇଁ କ୍ୱାସିମ୍ ଆକ୍ରାମ୍ ସର୍ବାଧିକ ୪୮ ରନ୍ ସ୍କୋର କରିଥିଲେ।

ଜବାବରେ ୨୦୬ ରନ୍‌କୁ ପିଛା କରି ଭାରତ ପାଇଁ ଓପନିଂ ଯୋଡ଼ି ଅଭିଶେକ ଶର୍ମା ଏବଂ ସାଇ ସୁଦର୍ଶନ୍ ଭଲ ଆରମ୍ଭ କରିଥିଲେ । ଗୋଟିଏ ପଟେ ସାଇ ସୁଦର୍ଶନ୍ କ୍ରିଜ୍‌ରେ ଜମି ରହି ସୁନ୍ଦର ବ୍ୟାଟିଂ ଜାରି ରଖିଥିବା ବେଳୈ ଅଭିଶେକ ୨୦ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ନିକିନ୍ ଜୋସ୍ ୫୩ ରନ୍ ସ୍କୋର୍ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଏହାପରେ ଅଧିନାୟକ ୟସ୍ ଧୁଲ୍ ବ୍ୟାଟିଂ କରିବାକୁ ଆସି ୨୧ ରନ୍‌ର ଯୋଗଦାନ କରିଥିଲେ । ଅପରପକ୍ଷରେ ସାଇ ସୁଦର୍ଶନ୍ ଶେଷ ପର୍ଯ୍ୟନ୍ତ ସୁନ୍ଦର ବ୍ୟାଟିଂ ଜାରି ରଖି ଶତକ ହାସଲ କରିଥିଲେ । ତାଙ୍କର ଏହି ଶତକୀୟ ପାଳି ପାଇଁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା ।