ଓଡ଼ିଶା ଭାସ୍କର: ଶେଷ ହୋଇଛି ପବିତ୍ର ଜାଗର ଅମାବାସ୍ୟା ବା ମହାଶିବରାତ୍ରି। ରାଜ୍ୟ ସମେତ ଦେଶର କୋଣ ଅନୁକୋଣରେ ଦେବ ଦେବ ମହାଦେବଙ୍କ ଶିବରାତ୍ରି ପାଳନ ହୋଇଯାଇଛି। ତେବେ ଏହି ଦିନ ଏକ ଅଲୌକିକ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା ଦେଖାଦେଇଛି। ଭକ୍ତଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ସ୍ୱୟଂ ନାଗଦେବତା ମନ୍ଦିର ଭିତରକୁ ଆସି କ୍ଷୀର ପିଇଛନ୍ତି। ଏହି ବେଳର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଆଉ ଏହି ଦୃଶ୍ୟ ଯିଏ ଦେଖୁଛି, ସିଏ କହୁଛି ଏହା ଜାଗରରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବିରଳ ସଂଯୋଗ। କାରଣ ଜାଗରରେ ସତେ ଯେପରି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମର୍ତ୍ତ୍ୟପୁରକୁ ସ୍ୱୟଂ ପ୍ରଭୁ ଶିବଶଙ୍କର ଓଲ୍ହାଇ ଆସିଥିଲେ।
ସୂଚନା ଥାଉକି, ଶୁକ୍ରବାର ଦିନ ଜାଗର ପାଇଁ ପୂଜାର୍ଚ୍ଚନା ଚାଲିଥିବା ବେଳେ ମହାଦେବଙ୍କ ମହାଦୀପ ଦୀପ ଉଠିବା ପୂର୍ବରୁ ରାତି ପ୍ରାୟ ୧୨ ଟା ପରେ ସ୍ୱଂୟ ନାଗରାଜ ଆସି କ୍ଷୀର ପିଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଏକ ଅଲୌକିକ ଘଟଣା ନୀଳଗିରି ସଜନାଗଡ଼ର ତେଣ୍ଡା ଗ୍ରାମରେ ଥିବା ରୁଖି ତଥା ଶଙ୍ଖେଶ୍ୱର ମହାଦେବଙ୍କ ମନ୍ଦିରରେ ଦେଖିବାକୁ ମିଳିଛି। କୁଳଡିହା ଅଭୟାରଣ୍ୟର ପାଦଦେଶରେ ଗୋଟିଏ ବିରାଟ ପଥର ଚତୀରି ଭିତରୁ ଆବିର୍ଭୁତ ପ୍ରସିଦ୍ଧ ବାବା ଶଙ୍ଖେଶ୍ୱର ମନ୍ଦିର। ବାବା ଲିଙ୍ଗଙ୍କ ଅବସ୍ଥାନ ପାର୍ଶ୍ଵରେ ଗୋଟିଏ ସୁଡଙ୍ଗ ଭିତରେ ଭିତରେ ଥବାରୁ ସେଇ ସୁଡଙ୍ଗ ଦେଇ ନାଗଦେବତା ଆସି କ୍ଷୀର ପିଇ ବହୁତ ସମୟ ପର୍ୟ୍ୟନ୍ତ ଦର୍ଶନ ଦେଇଥିବା ଭକ୍ତ କହିଛନ୍ତି।