ଭାରତ ବିପକ୍ଷ ସିରିଜ୍‌ ନୂଆ ଦିଗ୍‌ଦର୍ଶନ ଦେବ: ଲୁଙ୍ଗି ଏନଗିଦି

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅନ୍ୟତମ ଫାଷ୍ଟ ବୋଲର ଲୁଙ୍ଗି ଏନଗିଦି କହିଛନ୍ତି ଯେ ଭାରତ ବିପକ୍ଷ ଆଗାମୀ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ସଫଳତା ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ହେଉଛି ଆମର ୨୦୨୧-୨୦୨୩ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଅନ୍ତର୍ଗତ ପ୍ରଥମ ସିରିଜ । ତେଣୁ ଏହି ସିରିଜରେ ସଫଳ ହୋଇ ବିଜୟରୁ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛୁ । ବିରାଟ କୋହଲିଙ୍କ ନେତୃତ୍ୱରେ ପରିଚାଳିତ ଭାରତୀୟ ଦଳରେ ସଂଖ୍ୟାଧିକ ବିଶ୍ୱ ସ୍ତରୀୟ ତଥା ମ୍ୟାଚ ବିଜୟୀ ତାରକା ଅଛନ୍ତି । ସେମାନଙ୍କର ଟେଷ୍ଟ ରେକର୍ଡ ଅତି ପ୍ରଶଂସନୀୟ । ନିକଟରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳର ପ୍ରଦର୍ଶନ ଅତି ଉଚ୍ଚକୋଟୀର ଥିଲା । ସେହିପରି ଚଳିତ ବର୍ଷ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମାଟିରେ ଭାରତୀୟ ଦଳ ମଧ୍ୟ ଆଧିପତ୍ୟ ବିସ୍ତାର କରି ଐତିହାସିକ ବିଜୟ ହାସଲ କରିଥିଲେ । ତେବେ ଆମ ଦଳରେ ଏକାଧିକ ପ୍ରଭାବୀ ଫାଷ୍ଟ ବୋଲର ଅଛନ୍ତି । ତେଣୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କଡା ଟକ୍କର ଦେବେ ବୋଲି ଅନୁମାନ । ଏହି ସିରିଜରେ ଆମେ ବିଜୟୀ ହେଲେ ,ଆଗାମୀ ସିରିଜରେ ଭଲ ପ୍ରଦର୍ଶନ ପାଇଁ ବରାବର ଅଧିକ ଉତ୍ସାହ ସୃଷ୍ଟି କରିବ । କାରଣ ଭିନ୍ନ ପରିବେଶରେ ସନ୍ତୁଳନ ରକ୍ଷା କରି ଖେଳିବାରେ ଆମ ଦଳର ଖେଳାଳି ସମ୍ପୂର୍ଣ୍ଣ ଅଭ୍ୟସ୍ତ । ଅନ୍ୟ ପକ୍ଷରେ କରୋନା ମହାମାରୀ ପ୍ରଭାବ କ୍ରିକେଟ ଦୁନିଆକୁ ଗତ ଦୁଇ ବର୍ଷଧରି ବଡ ସମସ୍ୟାରେ ପକାଇ ଆସିଛି । ତେଣୁ ଖେଳାଳି ମାନେ ଏକାଧିକ ସିରିଜ ଓ ଟୁର୍ଣ୍ଣାମେଣ୍ଟ ଖେଳିବା ବେଳେ ଦୀର୍ଘ ଦିନ ବାୟୋ-ବବଲରେ ରହିବା ଅତି ଯତ୍ନଣା ଦାୟକ । ତଥାପି ସେହି ପରିସ୍ଥିତି ଭିତରେ ସମସ୍ତେ ଗତି କରିବାକୁ ପଡୁଛି ବୋଲି ଏନଗିଦି କହିଛନ୍ତି ।