ଛାତ୍ରକୁ ଆଣ୍ଠେଇ, ତା’ ଉପରେ ବସିପଡିଲା ଶିକ୍ଷକ, ପିଟିପିଟି ଭାଙ୍ଗିଦେଲା ଗୋଡ଼, ପରେ ଚିକିତ୍ସା ପାଇଁ ଦେଉଛି ୨୦୦ ଟଙ୍କା
୫ମ ଶ୍ରେଣୀ ଛାତ୍ରର ଗୋଡ଼ ଭାଙ୍ଗିଦେଲା ନୃଶଂସ ଶିକ୍ଷକ, ଚିକିତ୍ସା ପାଇଁ ଦେଲା ୨୦୦ ଟଙ୍କା
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଜଣେ ଶିକ୍ଷକର ନୃଶଂସ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ଜଣେ ନିରୀହ ୧୦ ବର୍ଷର ପିଲାକୁ ସେ ଏତେ ଜୋରରେ ବାଡ଼େଇଛି ଯେ, ସେହି ପିଲାର ଗୋଡ଼ ଭାଙ୍ଗିଯାଇଛି ଏବଂ ତା’ କାନକୁ ଶୁଭାଯାଉ ନାହିଁ।
ପରିବାର ଲୋକେ ଛାତ୍ରଙ୍କ ଗୋଡ଼ ‘ଏକ୍ସରେ’ କରି ଶିକ୍ଷକ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି। ଏହାପରେ ଅଭିଯୁକ୍ତ ଶିକ୍ଷକ ଜଣକ ପୀଡ଼ିତ ଛାତ୍ରଙ୍କ ପରିବାର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛି ଏବଂ ପିଲାର ଚିକିତ୍ସା ପାଇଁ ୨୦୦ ଟଙ୍କା ଯାଚିଛି। ଅଭିଯୋଗ ରହିଛି ଯେ, ଶିକ୍ଷକ ଛାତ୍ରଙ୍କୁ ଅଣ୍ଠେଇବାକୁ କହିଲା, ଏହାପରେ ସେ ନିଜେ ଛାତ୍ରଙ୍କ ଉପରେ ବସିପଡିଲା।
ପ୍ରଶ୍ନର ଉତ୍ତର ନ ଦେବା ପାଇଁ ପିଟିଲା: ପୋଲିସ ଛାତ୍ରର ମେଡିକାଲ ଯାଞ୍ଚ କରାଇବା ପରେ ଜଣାପଡିଛି ଯେ, ଛାତ୍ରର ଗୋଡ଼ର ହାଡ଼ ଭାଙ୍ଗିଯାଇଛି। ଶିକ୍ଷକ ଉପରେ ଅଭିଯୋଗ ରହିଛି ଯେ, ସେ ୧୦୦ ବର୍ଷର ଛାତ୍ରଙ୍କୁ ପ୍ରଶ୍ନ ପଚାରିଥିଲା, ଏହି ପ୍ରଶ୍ନର ସେ ଉତ୍ତର ଦେଇପାରିନଥିଲା।
ଏହି କାରଣ ପାଇଁ ଶିକ୍ଷକ ଜଣକ ଛାତ୍ରକୁ ଖୁବ ଜୋରରେ ବାଡେଇଥିଲା। ଏଥିସହ ଅନେକ ଘଣ୍ଟା ପର୍ଯ୍ୟନ୍ତ ଛାତ୍ରଙ୍କୁ ଅଣ୍ଠେଇବାକୁ କହିଥିଲା। ଏହି ସମୟରେ ହିଁ ପିଲାର ଗୋଡ଼ ଭାଙ୍ଗିଯାଇଛି।
ପୋଲିସ କଲା ଗିରଫ: ଛାତ୍ର ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ସେଠାରେ ସେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର ଖବର ମିଳିବା ପରେ ଅଭିଯୁକ୍ତ ଶିକ୍ଷକ ହର୍ଷିତଙ୍କୁ ଗିରଫ କରାଯାଇଛି। ଏଥିସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।